ସାଧୁ ସାବଧାନ

 

 

 

 

 

 

 

 

 

 

 

ସାଧୁ ସାବଧାନ

ମହମ୍ମଦ ରଫିକ୍‍

 

ସୂଚିପତ୍ର

 

କ୍ରମିକ ନଂ

ବିଷୟ

ଚିରମୁକ୍ତ-ମୃତ୍ୟୁଞ୍ଜୟୀ

ସାମ୍ପ୍ରଦାୟିକ ସଦ୍‌ଭାବ

ମହମ୍ମଦ ଉବାଚ

ଯୁବ ଜାଗୃତି

ମନର ବଳ

ତୁଳସୀ ଦୁଇପତ୍ରରୁ ବାସେ

ପେଟ ପୋଷ ନାହିଁ ଦୋଷ

ଜନ୍ମ ଜନ୍ମାନ୍ତର

ଯୁଗଜ୍ୟୋତି

୧୦

ମଣିଷର ମନ

୧୧

ଅମୃତସ୍ୟ ପୁତ୍ରାଃ

୧୨

ଇଦ୍‌ ଉଲ୍‌ ଫିତର୍

୧୩

ସବଳର ଅହିଂସା

୧୪

ନାରୀଶକ୍ତି ପ୍ରକରଣରେ ଗଣମାଧ୍ୟମର ଭୂମିକା

୧୫

ସାଧୁ ସାବଧାନ

୧୬

ଆପଣା ହସ୍ତେ ଜିହ୍ଵାଛେଦି

୧୭

ଉପଗ୍ରହ ଜରିଆରେ ଶିକ୍ଷାମୂଳକ

୧୮

ଟେଲିଭିଜନ କାର୍ଯ୍ୟକ୍ରମର ପରୀକ୍ଷାନିରୀକ୍ଷା

Image

 

ବହିଟି ସମ୍ପର୍କରେ

 

ମଣିଷ–ସୃଷ୍ଟିର ଶ୍ରେଷ୍ଠ ଜୀବ । ପ୍ରାଣୀଜଗତରେ ଶ୍ରେଷ୍ଠ ଅବଦାନଟିଏ । ମଣିଷ ଭିତରେ ବିଚାରବୋଧ ଏବଂ ଜୀବନକୁ ଉପଯୋଗ କରିବାର ସକଳ ଶକ୍ତିହିଁ ଇତର ପ୍ରାଣୀଠାରୁ ଶ୍ରେଷ୍ଠତ୍ୱ ଆଣିଦେଇଛି । ଆଜି କିନ୍ତୁ ମାନବୀୟ ମୂଲ୍ୟବୋଧର ଅବକ୍ଷୟ ଓ ପରସ୍ପର ମଧ୍ୟରେ ହିଂସା, ଦ୍ଵେଷ, ଅବିଶ୍ୱାସ ଏବଂ ସ୍ୱାର୍ଥନ୍ୱେଷୀ ବିଚାରଧାରା ଆମକୁ ଶ୍ରେଷ୍ଠ ଜୀବର ମର୍ଯ୍ୟାଦାରୁ ଅନେକ ଦୂରକୁ ଠେଲିଦେଇଛି । ଜାତି ଏବଂ ଧର୍ମର ବିରାଟ ପ୍ରାଚୀର ମଣିଷ ଜାତି ଭିତରେ ଏକ ପ୍ରତିବନ୍ଧକ ସୃଷ୍ଟିକରିଛି । ପ୍ରକୃତ ଧର୍ମର ମୂଳମନ୍ତ୍ରକୁ ହୃଦୟଙ୍ଗମ ନକରି ଆମେ ଆଜି ଧର୍ମନାମରେ କେବଳ ପ୍ରତିହିଂସାର ବୀଜବପନ କରି ଚାଲିଛେ । ମାତ୍ର କୌଣସିବି ଧର୍ମ ବା ଧର୍ମଶାସ୍ତ୍ର କେବେହେଲେ ଅନ୍ୟଧର୍ମର ବିରୁଦ୍ଧାଚରଣ କରେନାହିଁ । ଅତଏବ କୌଣସି ଶାସ୍ତ୍ରର ବିରୁଦ୍ଧାଚରଣ ପରିବର୍ତ୍ତେ ସେଥିରେ ଥିବା ନୀତିବାକ୍ୟକୁ ହୃଦୟଙ୍ଗମ କରି, ସେଥିପ୍ରତି ଆକୃଷ୍ଟହେବା ସାଧୁ ପୁରୁଷର ଲକ୍ଷଣ । ବିଭିନ୍ନ ତଥ୍ୟକୁ ପରୀକ୍ଷାନିରୀକ୍ଷା କରି, ହଂସ କ୍ଷୀରରୁ ନୀର ଅଲଗା କଲାପରି ମୌଳିକ ବସ୍ତୁକୁ ଗ୍ରହଣ କରିବା ଉଚିତ । ସାଂପ୍ରତିକ ସ୍ଥିତିରେ ଆମଦେଶର ବହୁ ଜାତିଗତ ସମାଜରେ ଏକତା ଓ ସହିଷ୍ଣୁତା ଆଣିବାରେ ଏହାହିଁ ପ୍ରକୃତ ପନ୍ଥା । ଧର୍ମର ପ୍ରେମ ଓ ଐକ୍ୟବାଣୀ ସମାଜକୁ ଧ୍ଵଂସମୁଖରୁ ରକ୍ଷାକରେ । ମନୁଷ୍ୟ ଭାବରେ ବଞ୍ଚିରହି ସ୍ଵର୍ଗ ଓ ମୁକ୍ତିର ପଥ ସନ୍ଧାନ କରିବାକୁ ହେଲେ ଆମର ବିଶ୍ୱାସ ସଙ୍କୁଚିତ ନହୋଇ ସମୁଦ୍ରପରି ଉଦାର ଓ ପର୍ବତପରି ଅଟଳହେବା ଦରକାର ।

 

ଧାର୍ମିକ ଭାବନା, ଆଚରଣ, ଚରିତ୍ରବତ୍ତା ଓ ସାଂପ୍ରଦାୟିକ ସଦ୍‌ଭାବ ଉପରେ ବିଭିନ୍ନ ସମୟରେ ଭିନ୍ନଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକୁ ନେଇ ଏହି ପୁସ୍ତକଟି ଆତ୍ମପ୍ରକାଶ କରିଛି । ଉଲ୍ଲିଖିତ ପ୍ରସଙ୍ଗଗୁଡ଼ିକ ପାଠକମନରେ ସାମାନ୍ୟ ଚିନ୍ତା କରିବାର ଅବକାଶ ସୃଷ୍ଟିକରି ପାରିଲେ–ଶ୍ରମକୁ ସାର୍ଥକ ମଣିବି ।

 

ବିନୀତ

ମହମ୍ମଦ ରଫିକ୍‌

ଲେଖକ

Image

 

ଚିରମୁକ୍ତ-ମୃତ୍ୟୁଞ୍ଜୟୀ

 

ମହାପୁରୁଷ ଇବ୍ରାହୀମ୍‍ କେବଳ ଇସଲାମ ଧର୍ମର ନୁହ ଖ୍ରୀଷ୍ଟିଆନ ଓ ଇହୁଦୀ ଧର୍ମରେ ମଧ୍ୟ ଜଣେ ଅତି ପୂଜ୍ୟ ଅବତାର ପୁରୁଷ । ତାଙ୍କୁ ଦିନେ ଦୈବବାଣୀ ଶୁଣାଗଲା ‘ହେ ଇବ୍ରାହୀମ୍‍, ତୁମେ ତୁମର ପ୍ରିୟ ବସ୍ତୁ ମୋପାଇଁ କୁର୍ବାନ (ତ୍ୟାଗ, ବଳି) କର । ରବ୍ରାହୀମ କିଛି ମେଣ୍ଢା ବଳି ଦେଲେ । କିନ୍ତୁ ପୁଣି ଦୈବବାଣୀ ହେଲା ଯେ ତୁମର ପ୍ରିୟ ବସ୍ତୁ କୁର୍ବାନ କର । ଇବ୍ରାହୀମ୍‍ ଚିରାଚରିତ ପ୍ରଥା ଅନୁସାରେ ଅନେକ ଓଟ ବଳିଦେଲେ । ଏହା ପ୍ରାୟ ଖ୍ରୀଷ୍ଟପୂର୍ବ ପାଞ୍ଚହଜାର ବର୍ଷ ତଳର ଘଟଣା । ସେ ସମୟରେ ତାଙ୍କର ଯାଯାବର ସମ୍ପ୍ରଦାୟ ମଧ୍ୟରେ ଗୃହପାଳିତ ପଶୁ ସମ୍ପଦହିଁ ସବୁଠାରୁ ବଡ଼ ଓ ଆପଣାର ହେଉଥିଲା । ତେଣୁ କିଛି ଓଟ ବଳି ଦେଲେ । ପୁଣି ଆଦେଶ ହେଲା ‘ହେ ଇବ୍ରାହୀମ୍‍ ଯାହା ତୁମର ଅତି ପ୍ରିୟ ଓ ଆପଣାର ତାହା ମୋପାଇଁ କୁର୍ବାନ କର’ । ଇବ୍ରାହୀମ୍‍ ଏ ଆଦେଶରେ ଚିନ୍ତିତ ଓ ବ୍ୟସ୍ତ ହୋଇ ପଡ଼ିଲେ । ପ୍ରଭୁଙ୍କର ଇଚ୍ଛା କ’ଣ ? ଅନେକ ଚିନ୍ତା କରିବା ପରେ ସେ ପ୍ରଥମେ ସ୍ଥିର ନିଶ୍ଚିତ ହେଲେ ଯେ ପୃଥିବୀରେ ତାଙ୍କର ଧନଦଉଲତ ଅପେକ୍ଷା ପୁତ୍ର ଇସ୍‌ମାଇଲ୍‌ହିଁ ଅଧିକ ପ୍ରିୟ । ମୁଁ ପୁତ୍ରକୁ କୁର୍ବାନ କରିବି ।

 

କିଶୋର ଇସ୍‌ମାଇଲ୍ ମଧ୍ୟ ପିତାଙ୍କ ପରି ଅତି ନିଷ୍ଠାବାନ ଥିଲେ । ବାପାଙ୍କଠାରୁ ଭଗବତ୍‌ ଆଦେଶ ଶୁଣି ଅତି ଆନନ୍ଦରେ କହିଲେ ଯେ ତାଙ୍କୁ ବଳିଦେବା ଆଗରୁ ତିନୋଟି ବିଷୟ ପ୍ରତି ଯେପରି ଧ୍ୟାନ ଦିଆଯାଏ । ପ୍ରଥମେ ତାଙ୍କର ମା’ଙ୍କୁ ଏ ବିଷୟ ଯେପରି ଗୋଚର ନହୁଏ । ଦ୍ୱିତୀୟରେ ତାଙ୍କର ମୁହଁ ଘୋଡ଼ାଇ ଦିଆଯିବା ଦରକାର ଏବଂ ତୃତୀୟରେ ତାଙ୍କର ହାତଗୋଡ଼ ବାନ୍ଧି ଦେବା ଦରକାର । ଉଦ୍ଦେଶ୍ୟ ଯେପରି ପୁତ୍ର ମୁଖ ଦେଖି ଇବ୍ରାହୀମ୍‍ ବିଚଳିତ ହୋର ନ ପଡ଼ନ୍ତି ଓ ପୁତ୍ର ଛାଟିପିଟି ହେବା ସମୟରେ ପିତା ନିଜ ସଂକଳ୍ପରେ ବିଚଳିତ ହୋଇ ନ ପଡ଼ନ୍ତି ।

 

ଇବ୍ରାହୀମ୍‍ ପାଖ ଗ୍ରାମକୁ ଭୋଜିଭାତରେ ନିମନ୍ତ୍ରଣ ରକ୍ଷାକରିବାକୁ ଯାଉଛନ୍ତି କହି ପୁତ୍ରକୁ ସାଙ୍ଗରେ ଧରି ବାହାରିଲେ । ଧର୍ମପତ୍ନୀ ତାଙ୍କ ହାତରେ ଦଉଡ଼ି ଦେଖି ପଚାରନ୍ତେ, ଉତ୍ତର ଦେଲେ କାଳେ ବାଟରେ ଭଲ ଓଟ ମିଳିବ ତ କିଣି ଆଣିବେ ।

 

ବଳି ସ୍ଥାନରେ ପହଞ୍ଚି ଇବ୍ରାହୀମ୍‌ ପୁତ୍ରର ହାତଗୋଡ଼ ବାନ୍ଧିଦେଲେ । ମୁହଁ ଘୋଡ଼ାଇଦେଲେ ଏବଂ ଏକ ତୀକ୍ଷ୍ଣ ଛୁରିରେ ପୁତ୍ରର ବେକ କାଟିବାକୁ ଆରମ୍ଭକଲେ । ସୂର୍ଯ୍ୟ, ଚନ୍ଦ୍ର, ତାରକା ଯାହାର ନିର୍ଦ୍ଦେଶରେ ନିଜ ନିଜ କକ୍ଷରେ ଧାବମାନ, ବ୍ରହ୍ମା ମାଳମାଳ ହୋଇ ଯାହାର ଆଦେଶପାଇଁ ଅପେକ୍ଷାରତ, ତାଙ୍କରି ଇଙ୍ଗିତରେ ଛୁରିର ଦାଢ଼ଲେଉଟି ଗଲା । ବିରକ୍ତ ହୋଇ ଇବ୍ରାହୀମ୍‍ ପୁଣି ଛୁରି ଦାଢ଼ କରି କାଟିଲାବେଳକୁ ବେକ କଟିଲା ନାହିଁ । ବିରକ୍ତହୋଇ ଇବ୍ରାହୀମ୍‍ ତୃତୀୟ ଥରପାଇଁ ଛୁରିଦାଢ଼କରି ପୁଅ ବେକକୁ କାଟନ୍ତେ ଦୈବବାଣୀ ହେଲା ‘ଇବ୍ରାହୀମ୍‍ ତୋର ସଂକଳ୍ପ ସଫଳ ହେଇଛି । ମୁଁ ଅଭୋକ୍ତା । ରକ୍ତମାଂସର ଲୋଭ, ପିପାସା ମୋଠାରେ ନାହିଁ ।’ ଭାବଗ୍ରାହୀ, ଇବ୍ରାହୀମ୍‍ଙ୍କ ସଂକଳ୍ପରେହିଁ ତୁଷ୍ଟ ।

 

ଏହା କିମ୍ବଦନ୍ତୀ ନୁହେଁ । ଏକ ଐତିହାସିକ ଘଟଣା । ବୋଧହୁଏ ସେତେବେଳର ସମାଜରେ ପ୍ରଚଳିତ ନରବଳି ପ୍ରଥାକୁ ଲୋପ କରିବାରେ ଏହି ଘଟଣା ସାହାଯ୍ୟ କରିଥିଲା ନିଜ ଭିତରର ପଶୁପଣିଆକୁ ବଳି ଦେବାକୁ, ଏହା ଏକ ସଙ୍କେତ ଥିଲା । କିନ୍ତୁ କି କ୍ଷୋଭର ବିଷୟ ! ଆଜି ଲକ୍ଷଲକ୍ଷ ମାନବ ନିଜ କର୍ତ୍ତବ୍ୟ ପ୍ରତି ଅବହେଳା କରି ପୁରୋହିତଙ୍କ ନିର୍ଦ୍ଦେଶରେ ପଶୁ ହତ୍ୟାକରି ନିଜର ଦାୟିତ୍ୱ ସମାପନ କରୁଛନ୍ତି । ମୋଟଉପରେ ନିଜର ପ୍ରିୟ ବସ୍ତୁକୁ ଭଗବାନଙ୍କ ଉଦ୍ଦେଶ୍ୟରେ ଦାନକରି, ପରଂବ୍ରହ୍ମଙ୍କ ସାନ୍ନିଧ୍ୟ ପ୍ରାପ୍ତିହିଁ ଏହାର ଉଦ୍ଦେଶ୍ୟ । କୋରାନ୍‌ର ଭାଷାରେ ‘ଅଲ୍‌ମାଲୁ ଓ୍ୟାଲ୍‌ ବନୁନା ଜୀନତ୍‌ତୁଲ ହୟାଭଦ୍‌ବୁନିୟା....ଏ ମର ସଂସାରରେ ଧନ ସମ୍ପତ୍ତି ଓ ପୁତ୍ର କନ୍ୟାହିଁ ତୁମର ପ୍ରିୟ ଓ ପରିବାର ପାଇଁ ଶୋଭନୀୟ । କିନ୍ତୁ ପରକାଳ ପାଇଁ ପୁଣ୍ୟହିଁ ଅତି ବାଞ୍ଛନୀୟ । ନିଜର ଜୀବଦ୍ଦଶାରେ ଉତ୍ତମ କର୍ମହିଁ ପରକାଳର ପାଥେୟ ।

 

ଭଗବତ୍‌ ଇଚ୍ଛା ପୂର୍ଣ୍ଣ କରିବାକୁ ଭଗବତ୍‌ପ୍ରେମୀ ସବୁ କିଛି ପରିତ୍ୟାଗ କରିପାରେ । ମହାଦାନୀ କର୍ଣ୍ଣଙ୍କପରି ନିଜଶରୀରର କବଚ କୁଣ୍ଡଳ ଏପରିକି ପୁତ୍ରକୁ ମଧ୍ୟ ତ୍ୟାଗ କରିପାରେ । ଭାଗବତର ଭାଷାରେ–

 

‘ଆତ୍ମାର ପ୍ରିୟ ବସ୍ତୁ ଯେତେ

ଅବା ମିଳଇ ଅକସ୍ମାତେ

ଆନନ୍ଦେ ସମର୍ପିବ ମୋତେ’ ।

 

ପୁନଶ୍ଚ

 

‘କର୍ମେ ମିଳିବ ଯେତେ ଭୋଗ....

ମୋ ପ୍ରୀତି ଅର୍ଥେ ପରିତ୍ୟାଗ ।’

 

ଯେଉଁ ବ୍ୟକ୍ତି ଏପରି କରେ ସେ ହିଁ କେବଳ ମୁକ୍ତିର ଅଧିକାରୀ । ବିନା ଗୋପୀ ଭାବରେ ମୁକ୍ତି ମିଳେନା । ନିଜର ଭଲମନ୍ଦ ପ୍ରତି ଦୃଷ୍ଟି ନଦେଇ, ନିଜର ଲାଭ କ୍ଷତି ପ୍ରତି ଉଦାସୀନ ରହି ପ୍ରିୟଜନର ଶୁଭ ଚିନ୍ତା କରିବାହିଁ ଗୋପୀଭାବ । ଯେପରି ରାଧା ନିଜର ନର୍କଭୋଗ ବିଷୟ ବିଚାରକୁ ନନେଇ ଶ୍ରୀକୃଷ୍ଣଙ୍କର ଆରୋଗ୍ୟପାଇଁ ନାରଦଙ୍କ କଥାରେ ପଦଧୂଳି ଦେବାକୁ ପ୍ରସ୍ତୁତ ହୋଇଗଲେ । ମୁଁ, ମୁଁ ନୁହେଁ । ସବୁତ’ ତୁ । ଧରନ୍ତୁ ଆପଣ ସାକ୍ଷାତ୍‌ କରିବାକୁ ଯାଇ କାହାର ଦୁଆର ଖଟ୍‌ଖଟ୍‌ କଲେ, ଭିତରୁ ପ୍ରଶ୍ନହେଲା କିଏ ? ଆପଣ ଉତ୍ତର ଦେଲେ ମୁଁ । ଭିତରୁ ଉତ୍ତର ଆସିଲା ‘ମୁଁ’ ତ, ଭିତରେ ଅଛି । ସେହି ନ୍ୟାୟରେ ନିଜକୁ ସମ୍ପୂର୍ଣ୍ଣରୂପେ ସମର୍ପଣ ନକରିବା ପର୍ଯ୍ୟନ୍ତ ମୁକ୍ତି ନାହିଁ । ନିଜର କର୍ମଦ୍ୱାରାହିଁ, ମନୁଷ୍ୟ, ନିଜର ସ୍ୱର୍ଗ ଓ ନର୍କ ଗଢ଼େ । କିନ୍ତୁ ଜନ୍ମ ମରଣରୁ ମୁକ୍ତି ଅସମ୍ଭବ । ଆମେ ନିତ୍ୟ ପ୍ରାର୍ଥନା କରୁଁ ‘ମୃତ୍ୟୁଃ ମାଂ ଅମୃତଃ ଗମୟ’ । କିନ୍ତୁ ଏହା ଆମର ହୃଦୟର ଭାଷା ନୁହେଁ । କୌଣସି ପଦାର୍ଥର ପ୍ରାପ୍ତିପାଇଁ ଚେଷ୍ଟା କରିବାକୁ ପଡ଼େ । ଅତଏବ ମୁକ୍ତିପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ । ହୃଦୟ ଭିତରର ଏହି ‘ମୁଁ’ ଅହଂଭାବହିଁ ଆଜିକାଲିର ନୈତିକ ଦାରିଦ୍ର୍ୟର ପ୍ରଧାନ କାରଣ । ‘ମୁଁ’ କେହି ନୁହେଁ । ‘ମୁଁ’ ମିଥ୍ୟା । ‘ତୁ’ ହିଁ କେବଳ ସତ୍ୟ । ଯେ ଭଗବତ୍‌ ପ୍ରେମୀ ତାକୁ ସବୁ କଥାରେ ‘ତୁ’ର ନିର୍ଦ୍ଦେଶ ଅନୁଭୂତ ହୁଏ । ନିନ୍ଦୁକର ନିନ୍ଦା ବା ଅସଭ୍ୟର କୁବ୍ୟବହାର ତାକୁ ସ୍ପର୍ଶ କରିପାରେ ନାହିଁ । ଏପରି ଲୋକ ଚିରମୁକ୍ତ–ମୃତ୍ୟୁଞ୍ଜୟୀ ।

Image

 

ସାମ୍ପ୍ରଦାୟିକ ସଦ୍‌ଭାବ

 

ପବିତ୍ର କୋରାନ୍‍ର ବାଣୀରୁ ମୁଁ ମୋର କଥାର ଆରମ୍ଭ କରୁଛି । ପରମେଶ୍ୱର କହୁଛନ୍ତି, ହେ ମାନବ ଯଦି ମୁଁ ଇଚ୍ଛା କରିଥାନ୍ତି, ତେବେ ତୁମ୍ଭ ସମସ୍ତଙ୍କୁ ଏକ ରଙ୍ଗ ଏକ ରୂପ ଏକ ଭାଷା ଏକ ଜାତିରେ ପରିଣତ କରି ଦେଇପାରି ଥାଆନ୍ତି । କିନ୍ତୁ ମୋର ଇଚ୍ଛା, ପରସ୍ପର ମଧ୍ୟରେ ଏ ବିଭିନ୍ନତା ସତ୍ତ୍ୱେ, ତୁମ୍ଭେମାନେ ବୁଝ ଅନୁଭବକର ଯେ ତୁମେ ଆଦିମାନବ ଆଦାମ୍‍ର ସନ୍ତାନ ଓ ପରସ୍ପର ଭାଇ ଭାଇ । ଟିକିଏ ଚିନ୍ତା କରନ୍ତୁ, ଧରନ୍ତୁ ଗୋଟିଏ ପରିବାରର କଥା । ଏକା ମାଆ ପେଟରୁ ଚାରୋଟି ଶିଶୁର ଜନ୍ମ । ଜଣେ କଳା, ଜଣେ ଗୋରା, ଜଣେ ଡେଙ୍ଗା, ଜଣେ ଗେଡ଼ା, ସେଥିରେ ପୁଣି ଜଣେ ବହୁତ ପାଠପଢ଼ି ପଣ୍ଡିତ ଆଉଜଣେ ଅଳ୍ପ ପଢ଼ିଛି । ଜଣେ ବହୁ ଭାଷାରେ ଅଭିଜ୍ଞ, ଜଣେ ସୁପୁରୁଷ, ଜଣେ ଦୁଷ୍ଟ, ଜଣେ ସେଥି ମଧ୍ୟରୁ ସ୍ତ୍ରୀ । ଆପଣ କ’ଣ ଅସ୍ଵୀକାର କରିବେ ଏ ଚାରିଜଣ ସମସ୍ତେ ଏକମାଆର ସନ୍ତାନ ବୋଲି ? ଆପଣ ଇଚ୍ଛା କରିବେ ଏକ ଅନ୍ୟର ଅମଙ୍ଗଳ କରୁ ? ଆପଣ କ’ଣ ଇଚ୍ଛା କରିବେ ଏମାନେ ପରସ୍ପର ମଧ୍ୟରେ ଶତ୍ରୁତା କରି ଏ ଚାରିଜଣ ପରସ୍ପରଠାରୁ ବିଚ୍ଛିନ୍ନ ରହନ୍ତୁ ?

 

ଦେଖନ୍ତୁ ଗୋଟିଏ ପରିବାର ପକ୍ଷରେ ଯାହା ସତ୍ୟ, ଗୋଟିଏ ଦେଶ ପକ୍ଷରେ କାହିଁକି ସମସ୍ତ ପୃଥିବୀପାଇଁ ମଧ୍ୟ ତାହାହିଁ ସତ୍ୟ । ଆମର ଏଇ ବିରାଟ ଦେଶ ଭାରତବର୍ଷ, କଥାରେ ଅଛି ଯାହା ନାହିଁ ଭାରତେ, ତାହାନାହିଁ ଜଗତେ । ଏ ଦେଶର ପାଣି ପବନ ଖାଦ୍ୟରେ ଆମେ ସମସ୍ତେ ବଢ଼ିଥାଇ ଏବଂ ବଞ୍ଚିଥାଇ । ଯଦି ଭାରତବର୍ଷକୁ ଆପଣ ଭାରତ ମାତା ବୋଲି କହନ୍ତି ତେବେ ଭାରତ କେବଳ ହିନ୍ଦୁଙ୍କ ମାତା ନୁହନ୍ତି, ଏହା ମୁସଲମାନଙ୍କ ମାତା, ଖ୍ରୀଷ୍ଟିଆନଙ୍କ ମାତା, ଶିଖଙ୍କର ମାତା ଏବଂ ଏ ଦେଶରେ ଯିଏ ଜନ୍ମଲାଭ କରିଛି ତାଙ୍କର ମାତା । ଏବଂ ଏ ଦେଶବାସୀ ସେହି ମାତାର ସନ୍ତାନ । ଯଦି କିଏ ଯୁକ୍ତି କରେ ଯେ ଅନେକେ ଭାରତକୁ ମାତା ବୋଲି ଗ୍ରହଣ କରନ୍ତି ନାହିଁ ତେବେ ମୁଁ ପ୍ରଶ୍ନ କରିବି, ଯଦି ଜଣେ ନିଜର ଜନ୍ମଦାତ୍ରୀ ମା’ଙ୍କୁ ମା’ ବୋଲି ସ୍ଵୀକାର ନକରେ, ତେବେ ସେ କ’ଣ ତା’ର ମା’ ନୁହେଁ ? ତାକୁ ଜନ୍ମ ଦେଇନାହିଁ ? ମୁଁ ଏଠାରେ ଗୋଟିଏ କଥା ସ୍ପଷ୍ଟ କରିଦେବାକୁ ଚାହେଁ, ଇସଲାମ ଧର୍ମରେ ଆଲ୍ଲା କୁହ ବା ଈଶ୍ଵର ବା ଭଗବାନ କୁହ, ତାଙ୍କର ସ୍ଥାନ ସମସ୍ତଙ୍କର ଉପରେ ତା’ ଉପରେ କେହି ନାହିଁ । ସମସ୍ତ ପୂଜା ଆରାଧନାର ଯୋଗ୍ୟ କେବଳ ଆଲ୍ଲା-। ସେଥିପାଇଁ ମୁଣ୍ଡିଆ ମାରି ସାଷ୍ଟାଙ୍ଗ ପ୍ରଣିପାତ କରି ଯେଉଁ ବିଶେଷ ସମ୍ମାନ ଈଶ୍ଵରଙ୍କୁ ମୁସଲମାନ ଦେଖାଏ, ତାହା କେବଳ ତାଙ୍କରିପାଇଁ, ଅନ୍ୟପାଇଁ ନୁହେଁ । ତେଣୁ ସ୍ତ୍ରୀ–ସ୍ୱାମୀଙ୍କୁ, ପୁତ୍ରକନ୍ୟା–ପିତାମାତାଙ୍କୁ ବା ଅନ୍ୟ କୌଣସି ବସ୍ତୁକୁ ସାଷ୍ଟାଙ୍ଗ ପ୍ରଣିପାତ କରିବାପାଇଁ ଇସଲାମ ବାରଣ କରିଛି-। ୟା ବୋଲି ସମ୍ମାନ କରିବାକୁତ ବାରଣ ନାହିଁ । ଆମ ଭାରତବର୍ଷରେ ବିଭିନ୍ନ ଧର୍ମ, ଜାତିର ଲୋକେ କାହିଁ କେତେକାଳରୁ ବସବାସ କରି ଆସୁଛନ୍ତି । କେତେ ରାଜ୍ୟର ଉତ୍ଥାନ ହୋଇଛି ପତନ ମଧ୍ୟ ହୋଇଛି । କେତେ ରାଜା, ସମ୍ରାଟ, ଯୋଦ୍ଧାଙ୍କର ଆବିର୍ଭାବ ହୋଇଛି, ତିରୋଧାନ ହୋଇଛି-। ଆପଣ ନିଶ୍ଚୟ ସ୍ଵୀକାର କରିବେ । କିନ୍ତୁ ଧର୍ମ ରହିଛି, ପୁଷ୍ଟ ହୋଇଛି, ବୃଦ୍ଧି ପାଇଛି-। ଧର୍ମର ବିଲୋପ ହୋଇନାହିଁ, ଏକ ଧର୍ମ ଅନ୍ୟ ଧର୍ମକୁ ବିଲୋପ କରିପାରିନାହିଁ । ବିଲୋପର ଅପଚେଷ୍ଟା ଯେଉଁଠି ହୋଇଛି, ପ୍ରତ୍ୟେକ ଧର୍ମର ଅଭିବୃଦ୍ଧି ମଧ୍ୟ ଘଟିଛି । ଆପଣ ପୃଥିବୀର ଇତିହାସ ଦେଖନ୍ତୁ, ଆଦି ଧର୍ମରୁହିଁ ସମସ୍ତ ଧର୍ମର ଉତ୍ପତ୍ତି । ପୂର୍ବପୁରୁଷଙ୍କର ଗଢ଼ିଥିବା ନିଅଁ ଉପରେହିଁ ଦାୟାଦମାନେ ଏକତାଲାରୁ ଦୁଇ ତିନି ତାଲା ଘର ଗଢ଼ିଥାନ୍ତି । ଏଠାରେ ମୁଁ ପୁଣି ପବିତ୍ର କୋରାନ୍‌ର ଏକ ବାଣୀ ଉଦ୍ଧାର କରୁଛି, ଆଲ୍‌ହା ହଜରତ୍‌ ମହମ୍ମଦଙ୍କୁ କହିଛନ୍ତି, ‘ହେ ମହମ୍ମଦ, ମୁଁ ତୋତେ କୌଣସି ନୂଆ କଥା କହୁନାହିଁ, ତୋ ପୂର୍ବରୁ ଆସିଥିବା ଅବତାରମାନଙ୍କୁ ଯାହା କହିଥିଲି ତାହାହିଁ କହୁଛି-। ଏକଥା କେବଳ ଆରବୀୟ ଭାଷାରେ କହୁଛି, ଏଇଥିପାଇଁ ଯେ ଅନ୍ୟ ଭାଷା ଏମାନେ ବୁଝିବେ ନାହିଁ । ତୋତେ କହୁଛି ଏଥିପାଇଁ ଯେ ତୁ ସେମାନଙ୍କର ସମଗୋତ୍ର ଭାଇ, ତାଙ୍କରି ମଧ୍ୟରୁ ଜଣେ-। ଏହିଭଳି ପ୍ରତ୍ୟେକ ଦେଶରେ, ଭାଷାରେ, ଜାତିରେ ମୁଁ ତୋରି ଭଳି ବାର୍ତ୍ତାବହ ପ୍ରେରଣ କରିଥାଏ-। ଏପରି କୌଣସି ସ୍ଥାନ ନାହିଁ, ମାନବ ନାହାନ୍ତି ଯାହାଙ୍କ ପାଖରେ ମୋର ବାଣୀ ପ୍ରଚାର ନ ହୋଇଛି-। କିନ୍ତୁ କାନ ଥାଇ ଏମାନେ ବଧିର, ଆଖିଥାଇ ଏମାନେ ଅନ୍ଧ । ଅନ୍ୟ କଥାରେ ଏମାନେ ଚେଇଁ ଶୋଇଛନ୍ତି । ଏମାନଙ୍କ ପାଇଁ ଦୁଃଖ କରନା । ମୋର ଅନୁକମ୍ପା, କରୁଣା ନହେଲେ ଏମାନଙ୍କର ନିଦ ଭାଙ୍ଗିବ ନାହିଁ । ଏମାନଙ୍କୁ କହିଦିଅ ସେମାନେ ଯାହା କରୁଛନ୍ତି ତା’ର ଫଳ ସେମାନଙ୍କୁ ଭୋଗକରିବାକୁ ପଡ଼ିବ ।’ ତୁମେ ଯାହା କରୁଛ ତାହାର ଫଳ ତୁମକୁ ଭୋଗ କରିବାକୁ ପଡ଼ିବ, ଧର୍ମରେ ବାଧ୍ୟବାଧକତା ନାହିଁ । ‘ଲାଇକ୍‌ରା ଫିଦ୍‌ଦିନ’ ତୁମ କର୍ମଫଳ ତୁମର । ସେମାନଙ୍କ କର୍ମଫଳ ସେମାନଙ୍କର । ଧାନ ରୋଇଲେ ଧାନଗଛ ହୁଏ, ଧାନ ଫଳେ । ଗହମରୁ ଗହମ ହୁଏ, ଆମ୍ୱ ଗଛରୁ ଆମ୍ବ ଫଳେ, ଲେମ୍ବୁ ଗଛରୁ ଲେମ୍ୱୁ ଫଳେ । ଆପଣ କମଳା ମନେ କରି ଯଦି କାନ୍ଧିଆ ଗଛ ଲଗାନ୍ତି, ଫଳ ଖଟାହେବ । ଏଠି ଦୋଷ କାହାକୁ ଦେବେ, ନିଜ ଛଡ଼ା ? ପବିତ୍ର କୋରାନ୍‌ର ଆଉ ଏକ ମନ୍ତ୍ର ଶୁଣନ୍ତୁ; ଯାହାକୁ ଆବୃତ୍ତି କଲେ ଆପଣ ମୁସଲମାନ ହୋଇଯିବେ ।

 

‘ମୁଁ ଈଶ୍ଵରଙ୍କ ଉପରେ ବିଶ୍ୱାସକରେ,

ଦେବତାମାନଙ୍କଠାରେ ବିଶ୍ୱାସ କରେ,

ପ୍ରେରିତ ପୁସ୍ତକଗୁଡ଼ିକ ଉପରେ ବିଶ୍ଵାସ ରଖେ,

ଅବତାର(ପୈଗାମ୍ବର)ମାନଙ୍କ ଉପରେ ବିଶ୍ଵାସ କରେ,

ଏବଂ ଏହି ଅବତାରମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ଦେଖେନାହିଁ ।’

 

ମୁସଲମାନଙ୍କ ପାଇଁ ପ୍ରଥମ ଆଦିମାନବ ମହାପୁରୁଷ ଆଦାମ୍‌, ନୋହା, ଯିଶୁଖ୍ରୀଷ୍ଟ, ମୂଷା ଦାଉଦ୍‌, ଇବ୍ରାହୀମ୍ ସମସ୍ତେ ଅବତାର । ବିରାଟ ଭାରତବର୍ଷରେ ଅବତାର କିଏ ? ଶ୍ରୀକୃଷ୍ଣ, ରାମ, ବୁଦ୍ଧ, ଜୈନ ଏମାନେ ମଧ୍ୟ ଯିଶୁଖ୍ରୀଷ୍ଟ, ମହମ୍ମଦଙ୍କ ପରି ଅବତାର, ବାର୍ତ୍ତାବହ ବା ପୈଗାମ୍ବର । ଏମାନଙ୍କୁ ଏକାଭଳି ସମ୍ମାନ ଦେବାକୁ ପବିତ୍ର କୋରାନ୍‌ର ନିର୍ଦ୍ଦେଶ । ଧର୍ମରେ ଅବତାର ନୁହେଁ ଅନେକ ଅବତାର ପୁରୁଷଙ୍କର ଆବିର୍ଭାବ । ଇସଲାମ ଧର୍ମରେ ଏକଲକ୍ଷ ଚବିଶ ହଜାର ପୈଗାମ୍ବରଙ୍କର ଆବିର୍ଭାବର ଉଲ୍ଲେଖ ଅଛି । କେତେକଙ୍କର ନାଁ ଦିଆଯାଇଛି କେତେକଙ୍କର ନାଁ ନାହିଁ ବା ଭିନ୍ନ ଅଛି । ଉଦାହରଣସ୍ୱରୂପ–ବାଇବେଲର ଡେଭିଡ଼, କୋରାନ୍‌ରେ ଦାଉଦ, ଆବ୍ରାହମ୍‌ ହେଲେ ଇବ୍ରାହୀମ୍‌, କ୍ରାଏଷ୍ଟ ହେଲେ ଇଶାମସି, ଜନ୍‌ ହେଲେ ୟାହିୟା, ଯୋବ୍‌ ହେଲେ ଆୟୁବ୍‌ । ସେହିଭଳି ଭିନ୍ନ ନାମରେ କିଛି ଯାଏଁ ଆସେନା । ପାଣିକୁ ‘ଓ୍ୱାଟର୍’ କହିଲେ ବା ତେଲୁଗୁ ଭାଷାରେ ‘ନିଲୁ’ ବା ଜଳ କହିଲେ ପାଣିର ଗୁଣାତ୍ମକ ପ୍ରଭେଦ କିଛି ହୁଏ ନାହିଁ । ଭଗବାନ ଦାସ କୁହ ବା ଅବଦୁଲ୍ଲା କୁହ, ଯାଏଁ ଆସେନା । ଅବଦ୍‌ମାନେ ଚାକର, ଆଲ୍‌ହାଙ୍କ ଦାସ ଅବ୍‌ଦୁଲ୍ଲା । ବିଷ୍ଣୁଙ୍କର ସହସ୍ର ନାମ, ଆଲ୍‌ହାଙ୍କର ଅସ୍‌ମା ଉଲ୍‌ ଦୁସ୍‌ନା ଅର୍ଥାତ୍‌ ଈଶ୍ଵରଙ୍କର ଅନେକ ସୁନ୍ଦର ସୁନ୍ଦର ନାମ ଅଛି । ସେ ଏକ, ଦ୍ୱିତୀୟ ନାସ୍ତି । ମାତ୍ର ବିପ୍ରଃ ବହୁଦା ବଦନ୍ତି ।

 

ଏ ଦେଶରେ ଆମେ ଏକାଠି ଜନ୍ମ ହୋଇଛୁ, ଏକ ପାଣି ପବନରେ ବଢ଼ିଛୁ । ଆସନ୍ତୁ ଏକ ଅନ୍ୟର ଚାଲିଚଳନ ବିଶ୍ୱାସରେ ଆସ୍ଥାଭାଜନ ହୋଇ ଏ ଭାରତକୁ ଉନ୍ନତ କରିବା ଓ ଆମେ ଭାରତୀୟ ବୋଲି ଗର୍ବ କରିବା । ଆମ ଭିତରେ କେବଳ ଦୁଇଟି ଜାତି ଅଛି । ଭଲ ଓ ମନ୍ଦ । ଦେବତା ଓ ଅସୁର । ଆସନ୍ତୁ ଆଜି ଆମେ ଆମର ସମସ୍ୟାର ସମାଧାନ କରିବା ଭଲକୁ ଭଲ ଓ ମନ୍ଦକୁ ମନ୍ଦ କହି । ପ୍ରସିଦ୍ଧ କବି ଜିଗର୍‌ ମୋରାଦାବାଦୀଙ୍କ ଭାଷାରେ–‘କାଏନାତ୍‌ କା ହୈ ଜଖମ୍‌ କାଏନାତ୍‌ ଯୋ ହିନ୍ଦୁ ହୈ ଇନ୍‌ ଦିନୋ ହୈ ଦାଗେ ଜିନ୍ଦଗି ଯୋ ମୁସଲମାନ ହୈ ଆଜକଲ୍‌ । ଇନ୍‌ସାନ୍‌କେ ଭେଷ୍‌ ମେ ହଏମାନ ହୈ ହର୍‌ ଜଗହ ।’ ୧୯୪୭ ମସିହାରେ ଭାରତ ଭାଗ ଭାଗ ସମୟରେ ଦଙ୍ଗା ଦେଖି କବି ଜିଗର୍‌ ମୋରାଦାବାଦୀଙ୍କ ହୃଦୟ ବିଚଳିତ ହୋଇଥିଲା । ସେ କହିଲେ, ‘ଆଜିର ହିନ୍ଦୁ ଓ ମୁସଲମାନ ବିଶ୍ଵର ଏକ ଜଖମ୍‌ ବା ବ୍ରଣ ପରି । ମନୁଷ୍ୟ ବେଶରେ ଚାରିଆଡ଼େ ହିଂସ୍ରଜନ୍ତୁହିଁ ବୁଲୁଛି । ମଣିଷ ଥାଉଁଥାଉଁ ମଣିଷର ଏ ଦୁର୍ଦ୍ଦଶା ଦେଖି ହେଉ ନାହିଁ; କିନ୍ତୁ ଦେଖୁଛି ।’ ତେଣୁ ଆସନ୍ତୁ ଶୃଙ୍ଖଳା ବୁଦ୍ଧିମତ୍ତାର ସହ କର୍ମ କରିବା । କବି ଇକ୍‌ବଲଙ୍କ ଭାଷାରେ–‘ଅମଲ ମେଁ ବନ୍‌ତି ହୈ ଜିନ୍ଦଗି ଜନତ ଭି ଜହନ୍ନମ୍‌ ଭି’ ଅର୍ଥାତ୍‌ କର୍ମରୁହିଁ ଏ ଜୀବନକାଳ ସ୍ଵର୍ଗ ବା ନର୍କରେ ପରିଣତ ହୁଏ । ଆମେ ସ୍ୱର୍ଗ ଗଢ଼ିବୁ କି ନର୍କ ଏହାର ବିଚାର ଆପଣମାନଙ୍କ ଉପରେ ।

Image

 

ମହମ୍ମଦ ଉବାଚ

 

ଶିଳ୍ପୀ ନିଜର ଭାସ୍କର୍ଯ୍ୟର ସୌଷ୍ଠବ ବୃଦ୍ଧିପାଇଁ ଯେପରି ଘନଘନ ନିହାଣ ଚଳାଏ, ସ୍ରଷ୍ଟା ସେହିପରି କୌଣସି କୌଣସି କ୍ଷେତ୍ରରେ ମାନବକୁ ଏବଂ ମାନବ ସମାଜକୁ ଶ୍ରେଷ୍ଠ ପ୍ରତିପାଦିତ କରିବାପାଇଁ ଦୁଃଖ, ଦୈନ୍ୟ, କ୍ଳାନ୍ତି, ଦ୍ୱନ୍ଦ୍ୱ, ଅବସାଦ, କ୍ଷୁଧା, ପରାଜୟସ୍ଵରୂପ ନିହାଣଦ୍ଵାରା ଅତି କଠୋର ଆଘାତ କରନ୍ତି ।

 

କଂସଦ୍ଵାରା ବନ୍ଦିନୀ ଅଷ୍ଟମ ଗର୍ଭଧାରିଣୀ ଦେବକୀଙ୍କର ମାନସିକ ଅବସ୍ଥା ଗର୍ଭସ୍ଥ ଭ୍ରୁଣ ଉପରେ କି ପ୍ରଭାବ ବିସ୍ତାର କରିଥିବ ତାହା ମନସ୍ତତ୍ୱବିତ୍‌ ବିଚାର କରିବେ । ଉଜାଣି ଯମୁନା ଅତିକ୍ରମରତ ଭୟଭୀତ ପିତା ବସୁଦେବଙ୍କ କୋଳସ୍ଥଶିଶୁ ଉପରେ ପରିପାର୍ଶ୍ୱସ୍ଥ ଅବସ୍ଥା କି ପ୍ରଭାବ ପକାଇଥିଲା ତା’ର ମଧ୍ୟ କିଛି ଉଲ୍ଲେଖ ନାହିଁ । ପରେ ପରେ କିଶୋର ଓ ପୌଗଣ୍ଡ ଅବସ୍ଥାର ଦୁଃଖ, ନିନ୍ଦା, ଶତ୍ରୁଭୟ, ହତ୍ୟାର ଅପଚେଷ୍ଟା ଅତି ଜଣାଶୁଣା ବିଷୟ । ପରବର୍ତ୍ତୀ କାଳରେ ଅତିପବିତ୍ର, ଚିରକୁମାରୀ ଅଥଚ ଅନ୍ତଃସତ୍ତ୍ୱା ଓ ମହିମାମୟଙ୍କ ଆଲୋକରେ ଉଦ୍ଭାସିତ ମରୀୟମ ପ୍ରତି ତାତ୍ସଲ୍ୟ ଘୃଣା ଓ ତାଡ଼ନା ସାଧାରଣ ଶିଷ୍ଟାଚାରର ସୀମାରେ ମଧ୍ୟ ଆବଦ୍ଧ ନଥିଲା ଏବଂ ତାଙ୍କର ଗର୍ଭସ୍ଥ ଶିଶୁ ଓ ପରବର୍ତ୍ତୀ କାଳର ଯିଶୁଖ୍ରୀଷ୍ଟଙ୍କ ପ୍ରତି ଉପେକ୍ଷା, ତାତ୍ସଲ୍ୟ, ପ୍ରତାରଣା ଏବଂ ଶେଷରେ କୁଶ ଉପରେ ତାଙ୍କର ନିର୍ବାଣ ତ ଇତିହାସର ବିଷୟବସ୍ତୁ । ସେହିପରି ମକ୍କା ନଗରୀର ସତୀ ବିଧବା ଅମାନାଙ୍କ ମାନସିକ କ୍ଳେଶ ଅବସାଦ ପରବର୍ତ୍ତୀ ସମୟର ପିତୃମାତୃହୀନ ଅନାଥ ଶିଶୁ ମହମ୍ମଦଙ୍କ ଉପରେ କି ପ୍ରଭାବ ପକାଇଥିଲା ତାହା ଅନୁଧ୍ୟାନଯୋଗ୍ୟ ।

 

ମହମ୍ମଦଙ୍କର ଜନ୍ମ ହୁଏ ମକ୍କା ନଗରୀରେ ରବିଉଲ୍‌ ଔଅଲ୍‌ ମାସର ବାର ତାରିଖ ଓ ୫୨୦ ଖ୍ରୀଷ୍ଟାବ୍ଦ ଅଗଷ୍ଟ ମାସ ୨୯ ତାରିଖ ସୋମବାର ଦିନ । ପିତା ଅବଦ୍ଦୁଲା ଓ ଆଲ୍‌ହାଙ୍କ ଦାସଙ୍କର ମୃତ୍ୟୁ ହୁଏ ମହମ୍ମଦଙ୍କ ଜନ୍ମର ୬ମାସ ପୂର୍ବରୁ । ମାତା ଅମିନା(ଶାନ୍ତି ଦେବୀ)ଙ୍କର ମୃତ୍ୟୁ ହୁଏ ମହମ୍ମଦଙ୍କୁ ଯେବେ ମାତ୍ର ଛଅବର୍ଷ । ଜେଜେବାପା ଅବୁମୋତାଲିବ ଏବଂ ପରେ କାକା ଅବୁଲାତିକ୍‌ ତାଙ୍କର ଲାଳନପାଳନ କରନ୍ତି । ତୁଳସୀ ଦୁଇ ପତ୍ରରୁ ବାସିବା ପରି ତାଙ୍କଠାରେ ଅନେକ ସୁଲକ୍ଷଣ ଦେଖିବାକୁ ମିଳିଥିଲା ଶୈଶବ ଅବସ୍ଥାରେ ଲୋକେ ତାଙ୍କୁ ଅଲ୍‌ଅମୀନ ବୋଲି କହୁଥିଲେ ସତ୍ୟବାଦିତା ପାଇଁ ।

 

ବିଧିର ବିଧାନ ବିଚିତ୍ର । ତାଙ୍କର ଯୋଜନାରେ କାହାରି ହସ୍ତକ୍ଷେପ ନାହିଁ । ମହାଚକ୍ରୀଙ୍କର ଚକ୍ରାନ୍ତରେ କୁଚକ୍ରୀଙ୍କର ପ୍ରବେଶ ନିଷେଧ ।

 

ଭୟ, କ୍ଷୁଧା, ଧନଜୀବନ ହାନି ଓ ମହାବିପଦଆପଦର ସମ୍ମୁଖୀନ କରାଇ ସେ ଦୃଢ଼ମନାଙ୍କୁ ପରୀକ୍ଷା କରନ୍ତି, ଦୃଢ଼ ଭକ୍ତିର ସମୀକ୍ଷା କରନ୍ତି । ମହାବିପଦରେ ଯେ ଅଟଳ ରହେ, ସର୍ବନାଶ ସତ୍ତ୍ୱେ ଯେ ଶରଣ ମାଗେ, ସେ ନିର୍ଭୟ ହୁଏ ସେ ଉତ୍ତୀର୍ଣ୍ଣ ହୁଏ । ସେ ହୁଏ ଜଗତର ଶ୍ରେଷ୍ଠ ମାନବ । ପ୍ରତ୍ୟେକ ଅବତାରଙ୍କର ଭାଗ୍ୟରେ ଏହାହିଁ ଘଟିଛି ।

 

ଏହି ବିଦଗ୍ଧ ମହାପୁରୁଷ ମହମ୍ମଦଙ୍କ ଜୀବନୀ ଅତୀବ ଘଟଣାବହୁଳ । ଏକାଧାରରେ ସେ ଥିଲେ ଜଣେ ରାଷ୍ଟ୍ରନାୟକ, ନିର୍ଭୀକ ସେନାପତି, ନିପୁଣ ଗୃହସ୍ଵାମୀ, ନିର୍ଭରଯୋଗ୍ୟ ବନ୍ଧୁ, କ୍ଷମତାଶୀଳ ଶତ୍ରୁ, ଆଦର୍ଶ ପତି ଓ ମମତାମୟ ପିତା । ଏହି ପ୍ରବନ୍ଧରେ ମହାପୁରୁଷ ମହମ୍ମଦଙ୍କର ମୁଖ ନିଃସୃତ କେତେକ ଅମୂଲ୍ୟ ବାଣୀର ଅବତାରଣା କରାଯାଉଛି । ତାଙ୍କର ବାଣୀ ଦୁଇ ଭାଗରେ ବିଭକ୍ତ । ସେ ଯେତେବେଳେ କୌଣସି ବିଶେଷ ସମସ୍ୟାର ସମ୍ମୁଖୀନ ହେଉଥିଲେ, ତାଙ୍କର ଶରୀରରେ ଏକ ଅପୂର୍ବ ସ୍ପନ୍ଦନ ଓ ଶିହରଣ ହେଉଥିଲା ଏବଂ ଅନର୍ଗଳ ଭାବରେ ନିଃସୃତ ହେଉଥିଲା କୋରାନ୍‌ର ଆୟାତ । ଏହାକୁ ଆଲ୍‌ହାଙ୍କ ବାଣୀ ବା ପବିତ୍ର କୋରାନ୍‌ କୁହାଯାଏ । କିନ୍ତୁ ସାଧାରଣ କଥାବାର୍ତ୍ତା ସମୟରେ ଯାହା କହୁଥିଲେ ବା କରୁଥିଲେ ତାହାହେଲା ହଦିସ୍‌ ଓ ସୁନ୍ନତ୍ । ପବିତ୍ର କୋରାନ୍‌ ଅନୁସାରେ ଏଥିରେ ଏପରି କୌଣସି ଉପଦେଶ, ଆଦେଶ, ଅନୁରୋଧ ଓ ଅଭିଯୋଗ ନାହିଁ । ଯାହା ପୂର୍ବବର୍ତ୍ତୀ ଅବତାର ଗଣ ପ୍ରକଟ କରିନାହାନ୍ତି ।

 

ତ୍ରିପିଟକରେ ଅଛି ଯେ ମାନବ ନିଜ ଦୋଷରୁ ନିଜର କ୍ଷତି ସାଧନ କରେ । ସେ ଇଚ୍ଛା କଲେ କ୍ଷତି ଭରଣା କରିପାରିବ । କୋରାନ୍‌ର ଭାଷାରେ ହେ ମାନବ ମୁଁ ତୁମର କ୍ଷତି କରେ ନାହିଁ, ତୁମେ ନିଜେ ନିଜର ଅନିଷ୍ଟ ସାଧନ କରୁଅଛ । ଅର୍ଥାତ୍‌ ଆପଣା ଦୋଷେ ପ୍ରାଣୀ ମରେ ।

 

ହଜରତ୍ ମହମ୍ମଦ କହନ୍ତି, ପାର୍ଥିବ ବସ୍ତୁ ପ୍ରତି ଆସକ୍ତି ସମସ୍ତ ଅନର୍ଥର ମୂଳ । ଅର୍ଥାତ୍‌ କାମନାର ବିନାଶରେ ଦୁଃଖର ବିନାଶ । ଭାଗବତର ଭାଷାରେ–

 

‘ଆତ୍ମାର ପ୍ରିୟ ବସ୍ତୁ ଯେତେ

ଉତ୍ତମ ବସ୍ତୁ ଯା ଜଗତେ

ଯେବା ମିଳିବ ଅକସ୍ମାତେ

ଆନନ୍ଦେ ସମର୍ପିବ ମୋତେ ।’

 

ପବିତ୍ର କୋରାନ୍‌ରେ ଅଛିଯେ, ଯେ ପର୍ଯ୍ୟନ୍ତ ନିଜର ଅତିପ୍ରିୟ ବସ୍ତୁ ଅନ୍ୟକୁ ଦାନ ନ କରିଛ ତୁମେ ମୁକ୍ତି ପାଇପାରିବ ନାହିଁ ।

 

ଗାଳିଗୁଲଜ କରିବାଦ୍ଵାରା ଯେଉଁ କ୍ଷତି ଅନ୍ୟର ବା ନିଜର ହୁଏ, ପୂଜା ପ୍ରାର୍ଥନା, ନମାଜ, ରୋଜାଦ୍ୱାରା ତା’ର ଭରଣା ହୋଇ ପାରିବ ନାହିଁ । ସ୍ରଷ୍ଟା ନିଜ ପ୍ରତି ଅପମାନ, କ୍ଷମା କରିଦେଇପାରନ୍ତି କିନ୍ତୁ ସୃଷ୍ଟିର ଅପମାନକୁ କେବଳ ସେଇ ଅପମାନିତ ବ୍ୟକ୍ତିହିଁ କ୍ଷମା କରିପାରିବ ।

 

ସେହି ବ୍ୟକ୍ତି ଉତ୍ତମ ଯାହାର ବ୍ୟବହାର ଉତ୍ତମ । ସେହି ଲୋକ ସବୁଠାରୁ ଭଲ ଯେ ନିଜର ସ୍ତ୍ରୀପ୍ରତି ସବୁଠାରୁ ଭଲ ବ୍ୟବହାର କରେ ।

 

ଆଇନ ଅନୁମୋଦିତ କିନ୍ତୁ ଆଲ୍‌ହାଙ୍କଠାରେ ଘୃଣ୍ୟ ଓ ତାଙ୍କର ଅନୁକମ୍ପାରୁ ବଞ୍ଚିତ ବିଷୟ ହେଲା ଛାଡ଼ପତ୍ର ବା ତଲାକ୍‌–ବିବାହ ବିଚ୍ଛେଦ । ସୁତରାଂ ସେ ଶବ୍ଦ ଉଚ୍ଚାରଣ କରନାହିଁ ।

 

ନିଜପାଇଁ ପସନ୍ଦ କରୁଥିବା ଜିନିଷ ଅନ୍ୟପାଇଁ ମଧ୍ୟ ପସନ୍ଦ କର । ସର୍ବୋତ୍ତମ ଶିଷ୍ଟାଚାର ସହିତ ପ୍ରତିବେଶୀମାନଙ୍କ ସହିତ ବ୍ୟବହାର କର । ବନ୍ଧୁବାନ୍ଧବ ଜ୍ଞାତି ପରିଜନଙ୍କ ପ୍ରତି ଯେଉଁ କର୍ତ୍ତବ୍ୟ ରହିଛି ସେଥିପ୍ରତି ଧ୍ୟାନ ଦିଅ । ଯାହାର ଦୌରାତ୍ମ୍ୟରୁ ତା’ର ପଡ଼ୋଶୀ ନିରାପଦ ନୁହେଁ, ସେ ମୁସଲମାନ ନୁହେଁ ।

 

ଅନ୍ୟ ଲୋକଙ୍କ ଉପସ୍ଥିତିରେ ଅଲଗା ହୋଇ କାହା ସହିତ ଗୁପ୍ତ ପରାମର୍ଶ କରନାହିଁ, କାରଣ ଏହା ସେ ଲୋକକୁ ଆଘାତ ଦେବ । ଯେ ମାନବ ପ୍ରତି କୃତଜ୍ଞ ନୁହେଁ ସେ ନିଜର ସୃଷ୍ଟିକର୍ତ୍ତାଙ୍କ ପ୍ରତି ମଧ୍ୟ କୃତଜ୍ଞ ନୁହେଁ । ଜଣେ ଲୋକ ପଚାରିଲା ଯେ ସେ କାହା ସହିତ ଭଲ ସମ୍ପର୍କ ରଖିବ ଓ ସବୁଠାରୁ ଉତ୍ତମ ବ୍ୟବହାର କରିବ । ମହମ୍ମଦ ଉତ୍ତର ଦେଲେ, ‘ତୁମର ମା’ । ସେ ଲୋକ ତିନି ତିନିଥର ସେହି ଏକା ପ୍ରଶ୍ନ ପଚାରିବାରୁ ତା’ର ଉତ୍ତର ମିଳିଲା, ତୁମର ମା’ ତୁମର ମା’ ତା’ପରେ ପିତାଙ୍କ ସ୍ଥାନ ।

 

ଭଲ କଥା ନକହି ପାରିଲେ ବରଂ ନୀରବ ରହ । ଯେ କୃପଣ ତା’ ପ୍ରତି ଉଦାର ହୁଅ । ଯେ କୁଭାଷା ପ୍ରୟୋଗ କରେ ତା’ ପ୍ରତି କ୍ଷମାଶୀଳ ହୁଅ ।

 

ଦୁର୍ବଳ ଓ ଦରିଦ୍ରମାନଙ୍କ ମଧ୍ୟରେ ମୋତେ ଅନ୍ଵେଷଣ କର । ନିଶ୍ଚିତଭାବରେ ସେମାନଙ୍କର ପରିଶ୍ରମରେ ତୁମର ପ୍ରତିପାଳନ ଓ ଭରଣପୋଷଣ ହେଉଛି ।

 

ଭିକ୍ଷା ଦେଲେ ସମ୍ପତ୍ତି କମି ଯାଏନା । ଏହା କୋରାନ୍‍ର ଭାଷାରେ କରକୁଲ ହସନା ଅର୍ଥାତ୍‌ ଆଲ୍‌ହାଙ୍କୁ ଋଣ ଦେବା । ଏହା ବଦଳରେ ପାଞ୍ଚଗୁଣ ଫେରାଇ ଦେବାକୁ ଆଲ୍‌ହା ପ୍ରତିଜ୍ଞା କରନ୍ତି ।

 

ସେହି ବ୍ୟକ୍ତି ଦରିଦ୍ର ଓ ଅତି ହତଭାଗ୍ୟ ଯେ ନିଜର ପିତା ମାତାଙ୍କର ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ବଞ୍ଚିରହେ ଅଥଚ ତାଙ୍କର ସେବା ନକରି ବୈକୁଣ୍ଠ ପ୍ରାପ୍ତିରୁ ବଞ୍ଚିତ ହୁଏ ।

ତୁମ ପତ୍ନୀର କୌଣସି ଗୁଣ ଯଦି ଭଲ ନଲାଗେ, ତାକୁ ଧ୍ୟାନ ନଦେଇ ଯେଉଁଗୁଣ ଭଲଲାଗେ ସେଥିପ୍ରତି ଦୃଷ୍ଟି ଦିଅ ।

 

ଜଣେ ବଦାନ୍ୟ ବ୍ୟକ୍ତି ଜଣେ କୃପଣ ଭକ୍ତ ଅପେକ୍ଷା ଆଲ୍‌ହାଙ୍କର ଅଧିକ ପ୍ରିୟ । ସାଧାରଣତଃ ଚାରିଗୋଟି କାରଣରୁ ଜଣେ ପୁରୁଷ ବିବାହ କରେ । ସ୍ତ୍ରୀଲୋକର ରୂପ, ତା’ର ପରିବାରର ମର୍ଯ୍ୟାଦା, ତା’ର ସମ୍ପତ୍ତି ଓ ଚତୁର୍ଥରେ ତା’ର ସୁଗୁଣ । ଯେଉଁ ସ୍ତ୍ରୀ ଗୁଣବତୀ ଓ ଧର୍ମପରାୟଣା ତାକୁହିଁ ଅଗ୍ରାଧିକାର ଦିଅ ।

 

ବିଦ୍ଵାନ ଯେଉଁ ସ୍ୟାହିରେ ଲେଖେ ତାହା ସହିଦର ରକ୍ତଠାରୁ ଆହୁରି ପବିତ୍ର । ବିଦ୍ୟା, ଜ୍ଞାନ ଆହରଣ ପାଇଁ ଚାଇନା (ଦୁର୍ଗମ ଯାତ୍ରା) ଯିବାକୁ ପଡ଼ିଲେ ଦ୍ୱିଧାବୋଧ କରନାହିଁ ।

 

ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ପରସ୍ପର ମଧ୍ୟରେ ପରାମର୍ଶକୁ ଆଲ୍‌ହା ପସନ୍ଦ କରନ୍ତି । ଶିଶୁ କନ୍ୟାଙ୍କ ପ୍ରତି ସଦୟ ଭାବ, ତୁମକୁ ନରକର ଅଗ୍ନିରୁ ରକ୍ଷା କରିବ । ଶିଶୁ କନ୍ୟାର ଲାଳନପାଳନ ପ୍ରତି ଯେ ସଜାଗ ଥାଏ, ସେ ମହମ୍ମଦଙ୍କର ଅତି ନିକଟବର୍ତ୍ତୀ ବୋଲି କହି ସେ ନିଜର ଦୁଇଟି ଅଙ୍ଗୁଳି ଦେଖାଇଥିଲେ । ତୁମର କନ୍ୟା ଯଦି ସ୍ଵାମୀ ପରିତ୍ୟକ୍ତା ହୋଇ ତୁମ ପାଖକୁ ଫେରିଆସେ ତେବେ ତା’ପାଇଁ ତୁମର ଦ୍ୱାର ଉନ୍ମୁକ୍ତ ରଖ ।

 

ବିବେକହିଁ ଆଲ୍‌ହାଙ୍କର ପ୍ରଥମ ସର୍ଜନା । ମୁଆଦ୍‌ ଇକରିବାଲା ନାମକ ଜଣେ ବ୍ୟକ୍ତିଙ୍କୁ ଇମେନ୍‌ର କାଜି ବା ଜଜ୍‌ ନିଯୁକ୍ତ କରି ପଠାଇବା ସମୟରେ ମହମ୍ମଦ ତାଙ୍କୁ ପଚାରିଲେ, ତୁମ ବିଚାରର ମାନଦଣ୍ଡ କ’ଣ ହେବ । ମୁଆଦ୍‌ ଉତ୍ତର ଦେଲେ ଯେ ସେ କୋରାନ୍‌ର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବେ । ଯଦି କୋରାନ୍‌ରେ ଏ ନିର୍ଦ୍ଦେଶ ନଥାଏ ବୋଲି ମହମ୍ମଦ ପଚାରିବାରୁ ମୁଆଦ୍‌ କହିଲେ ଯେ ମହମ୍ମଦଙ୍କର ନିର୍ଦ୍ଦେଶ ବା ହଦିସ୍‌ ଓ ସୁନ୍ନତ୍ ଅନୁସାରେ କାର୍ଯ୍ୟ କରିବେ । ଯଦି ହଦିସ୍‌ରେ କୌଣସି ନିର୍ଦ୍ଦେଶ ନମିଳେ ବୋଲି ପଚରାଯିବାରୁ ମୁଆଦ୍‌ ଉତ୍ତର ଦେଲେ ଯେ ସେ ତାଙ୍କର ବିବେକ ଅନୁସାରେ କାର୍ଯ୍ୟ କରିବେ । ଏହା ଶୁଣି ହଜରତ୍‌ ମହମ୍ମଦ ବଡ଼ ପ୍ରସନ୍ନ ହେଲେ ଏବଂ ଉପଯୁକ୍ତ ବ୍ୟକ୍ତିଙ୍କୁ କାଜି ଭାବରେ ବାଛିଛନ୍ତି ବୋଲି ସନ୍ତୁଷ୍ଟ ହେଲେ ।

 

ମହମ୍ମଦଙ୍କ ଭାଷାରେ ଯେ ବିଦ୍ୱାନକୁ ସମ୍ମାନ କରେ ସେ ମୋତେ ସମ୍ମାନ କରେ । ବିଦ୍ୱାନ ବ୍ୟକ୍ତିକୁ ମୃତ୍ୟୁ ପରେ ସ୍ଵର୍ଗରେ ଦେବତାମାନେ ସ୍ଵାଗତ କରିବେ । ସୃଷ୍ଟି ସମ୍ବନ୍ଧରେ ଏକ ଘଣ୍ଟାର ଚିନ୍ତା ବା ବିଚାର ୭୨ ଘଣ୍ଟାର ପୂଜା ପ୍ରାର୍ଥନା କରିବା ସହ ସମାନ । ଏକ ଘଣ୍ଟାର ବିଜ୍ଞାନ ଚର୍ଚ୍ଚା, ଏକ ହଜାର ରାତ୍ରୀର ପ୍ରାର୍ଥନା ବା ଏକ ହଜାର ସହିଦଙ୍କ ଶବ ଶୋଭାଯାତ୍ରାରେ ଯିବାଠାରୁ ଶ୍ରେୟସ୍କର ।

 

ଆମେରିକାର ବିଶିଷ୍ଟ ବୈଜ୍ଞାନିକ ମାଇକେଲ ଏଚ୍‌ ହର୍ଟଙ୍କର ପୁସ୍ତକ ‘ଦି ହଣ୍ଡ୍ରେଡ଼୍‌’ରେ ପୃଥିବୀର ଶହେଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଯିଶୁଖ୍ରୀଷ୍ଟ ଓ ନିଉଟନଙ୍କ ନାମ ପ୍ରଥମେ ଉଲ୍ଲେଖ ନକରି, ଏହି ଖ୍ରୀଷ୍ଟିଆନ ବ୍ୟକ୍ତି ମହମ୍ମଦଙ୍କୁ ସର୍ବପ୍ରଥମ ସ୍ଥାନ ଦେଇଛନ୍ତି ଏବଂ ଲେଖିଛନ୍ତି ଯେ ଇତିହାସରେ ମହମ୍ମଦ ଏକମାତ୍ର ବ୍ୟକ୍ତି ଯେକି ଧର୍ମ ଜଗତରେ ଧର୍ମନିରପେକ୍ଷ ଭାବରେ ଚରମ କୃତିତ୍ୱ ହାସଲ କରି ପାରିଥିଲେ ।

 

୬୩୨ ମସିହା ମାର୍ଚ୍ଚ ୭ ତାରିଖ ହଜ୍‌ହତ ଉପଲକ୍ଷେ ମକ୍କା ନିକଟସ୍ଥ ଆରାଫତ ପର୍ବତ ଉପରୁ ହଜ୍‌ ଯାତ୍ରୀମାନଙ୍କୁ ସେ ଯେଉଁ ଉପଦେଶ ଦେଇଥିଲେ ତା’ର ସାରମର୍ମ ହେଲା ହେ ଶ୍ରୋତାଗଣ, ମୋ କଥାକୁ ଧ୍ୟାନଦେଇ ଶୁଣ । ହୁସେନ୍‌ ତୁମମାନଙ୍କସହ ଆଉ ଭେଟ ନହୋଇପାରେ-। ଆଜିର ଦିନ, ଏହି ମାସ ଯେପରି ପବିତ୍ର ଅନ୍ୟ ଲୋକର ଧନଜୀବନ ତୁମପାଇଁ ସେହିପରି ପବିତ୍ର । ସ୍ତ୍ରୀମାନଙ୍କ ଉପରେ ତୁମର ଯେପରି ଅଧିକାର, ସେମାନଙ୍କର ମଧ୍ୟ ତୁମଉପରେ ସେହିପରି ଅଧିକାର ଅଛି । ଆଲ୍‌ହାଙ୍କ ନାମରେ ଶପଥକରି ତୁମେ ସେମାନଙ୍କୁ ଗ୍ରହଣ କରିଅଛ । ତୁମର ଶପଥ ଉତ୍ତମଭାବେ ରକ୍ଷାକର । କରଜ ଦେଇଥିବା ଟଙ୍କା ଉପରେ ସୁଧ ତୁମପାଇଁ ନିଷେଧ । ରକ୍ତର ମୂଲ୍ୟ ରକ୍ତ, ଏ ପ୍ରଥା ମଧ୍ୟ ଆଜିଠାରୁ ବନ୍ଦ କରାଗଲା ।

 

ତୁମର ଦାସମାନଙ୍କୁ ତୁମେ ନିଜେ ଯାହା ଖାଉଛ ତାହାହିଁ ଦିଅ । ଯାହା ନିଜେ ପିନ୍ଧୁଛ ତାହାହିଁ ପିନ୍ଧାଅ । ସେମାନଙ୍କର ଦୋଷ ଯଦି କ୍ଷମା ନକରିପାରୁଛ ତେବେ ସେମାନଙ୍କୁ ମୁକ୍ତ କରିଦିଅ । ସେମାନେ ମଧ୍ୟ ଆଲ୍‌ହାଙ୍କର ସନ୍ତାନ । ତୁମେମାନେ ସମସ୍ତେ ପରସ୍ପର ଭାଇ ଭାଇ । ସ୍ଵଇଚ୍ଛାରେ ନଦେବା ପର୍ଯ୍ୟନ୍ତ ଅନ୍ୟର ସମ୍ପତ୍ତି ତୁମପାଇଁ ନିଷେଧ । ଏଠାରେ ଯେଉଁମାନେ ଉପସ୍ଥିତ ଅଛନ୍ତି, ମୋ କଥାକୁ ଅନୁପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ପ୍ରଚାର କର, ହୋଇପାରେ ସେମାନେ ଏହାକୁ ଅଧିକ ନିଷ୍ଠାର ସହ ପାଳନ କରିବେ । ମନେ ରଖ ତୁମକୁ ଦିନେ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କ ପାଖକୁ ଫେରିଯିବାକୁ ପଡ଼ିବ । କୁଲ୍‌ଲୁ ନଫ ସିନ୍‌ ଯାଏକତୁଲ୍‌ ମଓତ୍‌, ଅର୍ଥାତ୍‌ ମର ସଂସାରେ ଜନ୍ମହୋଇ ଦେବତା ହୋଇଲେ ମରଇ ।

 

ଆରବ ଭୂମିରେ ବସବାସ କରୁଥିବା ରୁକ୍ଷମନା ଓ ସମସ୍ତ ଗୁନ୍‌ହା ବା ପାପକର୍ମରେ ଧୁରନ୍ଧର ଓ ବର୍ବରୋଚିତ ଜୀବନଯାପନ କରୁଥିବା ଆରବ ସମାଜକୁ ଏକତ୍ର କରାଇ ସେମାନଙ୍କୁ ସଦାଚାରୀ, ସତ୍ୟବାଦୀ, ନ୍ୟାୟପରାୟଣ ପରୋପକାରୀ ଓ ଧର୍ମପରାୟଣ ଜାତିରୂପେ ପରିଚିତ କରାଇବାରେ ହଜରତ୍‌ ମହମ୍ମଦଙ୍କ ଉପଦେଶ ନିଶ୍ଚୟ ପ୍ରଭାବ ବିସ୍ତାର କରିଥିଲା ।

Image

 

ଯୁବ ଜାଗୃତି

 

ଥରେ ଜଣେ ଭକ୍ତ ଠାକୁର ଅନୁକୂଳଚନ୍ଦ୍ରଙ୍କୁ ବର୍ତ୍ତମାନର ଯୁବ ସମ୍ପ୍ରଦାୟର ବିଶୃଙ୍ଖଳା ସମ୍ବନ୍ଧରେ କାରଣ ପଚାରିବାରୁ ଠାକୁର ଉତ୍ତର ଦେଇଥିଲେ ଯେ ପୂର୍ବକାଳରେ ଆମ ସମାଜରେ ବୈଦିକ ରୀତିରେ ବିବାହ ସମ୍ପନ୍ନ ହେଉଥିଲା । ସମଭାବାପନ୍ନ ଯୁବକ ଯୁବତୀ ପରସ୍ପରର ଗୁଣ ପ୍ରତି ଆକୃଷ୍ଟ ହୋଇ ସ୍ଵଇଚ୍ଛାରେ ହେଉ ବା ପିତାମାତାଙ୍କର ଦ୍ଵାରା ମନୋନୀତ ହୋଇ ବିବାହ ବନ୍ଧନରେ ଆବଦ୍ଧ ହେଉଥିଲେ । ଏହାଦ୍ଵାରା ଯେଉଁ ପୁତ୍ର କନ୍ୟା ଜନ୍ମଲାଭ କରୁଥିଲେ, ସେମାନେ ମେଧାବୀ, ସତ୍‌ସାହାସୀ ଓ ସତ୍‌କର୍ମୀ ହୋଇ ଦେଶ ଜାତିର ଗୌରବ ହେଉଥିଲେ । କିନ୍ତୁ ଆଜିକାଲି ଏହାର ବିପରୀତ ଘଟୁଛି । ଅର୍ଥ ବିନିମୟରେ ବରକନ୍ୟା ବିକାକିଣା ଚାଲିଛି । ହାତୀ ଦେବି ଘୋଡ଼ା ଦେବି, ମୋ ପେଁକାଳି ବାଜ୍‌ରେ ନୀତିରେ କିଏ କହିଲାଣି ଟିଭି ଦେବି କିଏ କହିଲାଣି ଫ୍ରିଜ୍‌ ଦେବି, କିଏ ମଟରଗାଡ଼ି ତ, କିଏ କହିଲାଣି ଏ ସମସ୍ତ ଦେବି ଓ ତା’ ସହିତ କିଛି ନଗଦ ନାରାୟଣ ।

 

ସମାଜର ବିଭିନ୍ନ ସ୍ତରର ଲୋକଙ୍କ ମଧ୍ୟରେ ନିଜ ନିଜର ଆର୍ଥିକ ସ୍ଵଚ୍ଛଳତାର ଅନୁପାତରେ କନ୍ୟାପାଇଁ ବର ଖୋଜା ପ୍ରହସନର ବିରାମ ନାହିଁ । ଏଭଳି କନ୍ୟାପିତା କ’ଣ ପ୍ରକୃତରେ ବରଟିଏ ପାଆନ୍ତି ? ବରପିତା କ’ଣ ପ୍ରକୃତରେ ଗୃହଲକ୍ଷ୍ମୀଟିଏ ଘରକୁ ଆଣନ୍ତିକି ?

 

ଡାକ୍ତର, ଇଞ୍ଜିନିୟର୍, ବରିଷ୍ଠ ପ୍ରଶାସକ, ଉଚ୍ଚକୋଟୀର ବ୍ୟବସାୟୀ ମନେକରି ନିଜର କନ୍ୟାପାଇଁ ଯେଉଁ ପାତ୍ର କନ୍ୟାପିତା ଯୋଗାଡ଼ କରନ୍ତି ସେମାନଙ୍କଠାରେ ମାନବିକତାର ବିକାଶ କେତେଦୂର ହୋଇପାରିଛି, ଏକଥା ପ୍ରତି ବୋଧହୁଏ କନ୍ୟାପିତାଙ୍କର ଧ୍ୟାନ ନଥାଏ । ସେହିଭଳି ଉଚ୍ଚ ଶିକ୍ଷିତା ସୁନ୍ଦରୀ କନ୍ୟା ଅଧିକ ଯୌତୁକ ଆଣି ସ୍ଵାମୀ ଗୃହର କୁଳ ଲକ୍ଷ୍ମୀପାଇଁ କେତେଦୂର ଉପଯୁକ୍ତ ଏକଥା ମଧ୍ୟ ବରପିତା ଚିନ୍ତା କରନ୍ତି ନାହିଁ । ଦୃଶ୍ୟମାନ ବସ୍ତୁ ଯେ ସତ୍ୟ ନା ଏହାର ଅନ୍ତରାଳରେ କୌଣସି ଅନ୍ୟ ବସ୍ତୁର ସ୍ଥିତି ରହିଛି, ଏ କଥା ଚିନ୍ତାକୁ ଆଣନ୍ତି ନାହିଁ । ଏହି ପ୍ରକ୍ରିୟା ଯୋଗୁଁ ଆଜି ଅନେକ ପରିବାରରେ ସୁଖ ସମ୍ଭୋଗର ସମସ୍ତ ଉପକରଣ ସତ୍ତ୍ଵେ, ନାହିଁ ଶାନ୍ତି, ନାହିଁ ସୁଖ । ମନ ଓ ହୃଦୟର ମିଳନ ବ୍ୟତିରେକ ବିବାହ ଅର୍ଥହୀନ । ଏତଦ୍‌ଜନିତ ସନ୍ତାନ ସନ୍ତତି ବିକୃତ ମସ୍ତିଷ୍କ ହୁଅନ୍ତି । ନୀତିନିୟମ ଏକ ଦିଗ ଏବଂ ଏହାର ସଠିକ ପ୍ରୟୋଗ ଅନ୍ୟ ଏକ ଦିଗ ।

 

ପରସ୍ପର ଭିନ୍ନ ଭିନ୍ନ ଆଦର୍ଶରେ ଲାଳିତପାଳିତ ଏବଂ ବିପରୀତ ପ୍ରକୃତି ଓ ଗୁଣଯୁକ୍ତ ଯୁବକ ଯୁବତୀ ଯଦି ଦୈବାତ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି, ତେବେ ତାହା ଏକ ବିସ୍ଫୋରଣ ସୃଷ୍ଟିକରେ ଏବଂ ଏହାର ପରିଣତି ଆଜିର ସମାଜର ବିକୃତ ମୂଲ୍ୟବୋଧ ଓ ବ୍ୟବହାରିକ ରୀତିନୀତି । ଏହା ଏକପ୍ରକାର ଆଇନସମ୍ମତ ବ୍ୟଭିଚାର ଛଡ଼ା ଆଉ କ’ଣ ହୋଇପାରେ ? ନା ଏଥିରେ ଅଛି ଆବେଗ, ଉତ୍କଣ୍ଠା, ଭାବାବେଗ ନା ଭବିଷ୍ୟତ ପାଇଁ ଦାୟାଦ ସୃଷ୍ଟିର ମଙ୍ଗଳମୟ ଓ ପୁଣ୍ୟ ସଂକଳ୍ପ ।

 

ବିଶ୍ଵବିଦ୍ୟାଳୟର ଏକ କୃତୀଛାତ୍ର । ତା’ର ନିଜ ଉପରେ ଆସ୍ଥା ନାହିଁ । ତା’ର ଦରକାର ସାମାନ୍ୟ ଭୋଗ୍ୟବସ୍ତୁ । ଜଣେ ଅପରିଚିତ ବ୍ୟକ୍ତିର ଉପାର୍ଜନ ଲଭ୍ୟ ଭୋଗ୍ୟବସ୍ତୁର ବିନିମୟରେ ସେ ନିଜର ସୁଖ ଶାନ୍ତି ଓ ଭବିଷ୍ୟତକୁ ବଳି ଦେଉଛି । ଏ ଶିକ୍ଷାର ମୂଲ୍ୟ କ’ଣ, ଯାହା ଅନ୍ୟର ଅର୍ଥ ପ୍ରତି ଲୋଲୁପ ଦୃଷ୍ଟି ପକାଇବାକୁ ବାଧ୍ୟ କରେ । ପବିତ୍ର ଗାର୍ହସ୍ଥ୍ୟ ଜୀବନର ସମସ୍ତ ଆଦର୍ଶ ଓ ଉଦ୍ଦେଶ୍ୟକୁ ବଳିଦେଇ ଏହା କେବଳ ଆସୁରିକ ଦୈହିକ ମିଳନର ପରିଣତି । ଏହା ଆଜିର ପାରିବାରିକ ଜୀବନର ସମସ୍ତ ଅଶାନ୍ତିର ମୂଳକାରଣ । ସୁତରାଂ ବିଜ୍ଞାନ ଲବ୍ଧ ସମସ୍ତ ଶକ୍ତି ଓ ସ୍ଵଚ୍ଛଳତାର ଅଧିକାରୀ ହୋଇ ମଧ୍ୟ ମାନବ ଆଜି ଶକ୍ତିହୀନ । ଅନନ୍ତ ସମ୍ଭାବନାର ସଜୀବ ମାନବ ଆଜି ଏକ ପ୍ରାଣହୀନ ଧାତବ ଯନ୍ତ୍ରରେ ପରିଣତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଉ ଗୋଟିଏ ଦିଗପ୍ରତି ଦୃଷ୍ଟି ଦିଅନ୍ତୁ । ଉପରୋକ୍ତ ପରିସ୍ଥିତିରେ ଜନ୍ମଗ୍ରହଣ କରିଥିବା ଶିଶୁ କିଭଳି ବାତାବରଣରେ ଲାଳିତପାଳିତ ହେଉଛି, ଲକ୍ଷ୍ୟ କରିବାର କଥା । ନିଜର ପିତାମାତା ଗୁରୁଜନମାନଙ୍କଠାରୁ ସେ ଶିକ୍ଷା କରୁଛି, ମିଥ୍ୟା, ଅନ୍ୟାୟ, ହିଂସା ଓ ଅସନ୍ତୋଷ-

 

ନିଜର ଆୟର ଅନୁପାତରେ ଅଧିକ ବ୍ୟୟ କରୁଥିବା ପିତାଙ୍କର ଆୟର ବିକଳ୍ପ ପନ୍ଥା ଶିଶୁ ପୁତ୍ରକୁ ଅଗୋଚର ହେଲେ ସୁଦ୍ଧା ଯୁବକ ପୁତ୍ରକୁ ଅଛପା ରହେନାହିଁ । ପିତାଙ୍କର ସାକ୍ଷାତକାମୀ କୌଣସି ବ୍ୟକ୍ତିଙ୍କୁ ପିତାଙ୍କର ଅନୁପସ୍ଥିତି ସମ୍ବନ୍ଧରେ ଜଣାଇବାକୁ ପୁତ୍ରକୁ ସ୍ଵୟଂ ପିତା ଅନୁରୋଧ କରନ୍ତି । ଅର୍ଥର ଲାଳସାରେ ଶିକ୍ଷକ କ୍ଲାସ୍‍ରୁମ୍‍ରେ ଶିକ୍ଷା ନ ଦେଇ ଛାତ୍ରର ଗୃହଶିକ୍ଷକ ହେବାକୁ କୁଣ୍ଠାବୋଧ କରନ୍ତି ନାହିଁ । ଏପରିକି ଅର୍ଥ ଲୋଭରେ ପରୀକ୍ଷା ପ୍ରଶ୍ନର ବିକାକିଣା କାରବାର ହୁଏ । ଏପରି ପରିସ୍ଥିତିରେ କୋମଳମତି ଛାତ୍ରର ଦୃଢ଼ତା ବା ବିଚାରଶକ୍ତିର ଉନ୍ନୟନ ହେବ ବା କିପରି ? ଯେଉଁମାନଙ୍କୁ ସମାଜରେ, ସେ ପ୍ରତିଷ୍ଠିତ ବୋଲି ଭାବେ, ଯେଉଁମାନଙ୍କୁ ପଣ୍ଡିତ ଓ ଜ୍ଞାନୀ ବୋଲି ଭକ୍ତି କରେ, ଯେଉଁମାନଙ୍କ ସ୍ନେହରେ ସେ ବାଲ୍ୟକାଳରୁ ଲାଳିତପାଳିତ, ସେମାନଙ୍କ ପ୍ରତି ଧୀରେ ଧୀରେ ତା’ର ହୃଦୟରେ ଜାତ ହୁଏ ଘୃଣା, ବିତୃଷ୍ଣା । ସେମାନଙ୍କର ତଥାକଥିତ ଆଦର୍ଶ ତା’ ନିକଟରେ ହୁଏ ହାସ୍ୟାସ୍ପଦ । ସମ୍ମୁଖରେ ପ୍ରତିବାଦ ନକରି ପାରିଲେ ମଧ୍ୟ ପରୋକ୍ଷରେ ଗୁରୁଜନଙ୍କର ଉପଦେଶ ପ୍ରତି ସେ ହୁଏ ବୀତସ୍ପୃହ । ତା’ର ଏହି ଭାବ କ୍ରମେ କ୍ରମେ ଉଦାସୀନତା ଓ କ୍ରୋଧରେ ପରିଣତ ହୁଏ ଏବଂ ଧୀରେ ଧୀରେ ପ୍ରତିବାଦସ୍ଵରୂପ ସେ ସମସ୍ତଙ୍କ ଜ୍ଞାତସାରରେ ନାନାପ୍ରକାର ଅସାମାଜିକ ଓ ଧ୍ଵଂସାତ୍ମକ କର୍ମରେ ଲିପ୍ତ ରହେ ।

 

ଏହି ପରିପ୍ରେକ୍ଷୀରେ ସମସ୍ତ ଯୁବସମାଜକୁ ଅନୁରୋଧ ଯେ, ଆପଣମାନେ ନଦୀ ସ୍ରୋତରେ ଭାସି ନଯାଇ ସ୍ରୋତର ବିପରୀତ ଦିଗରେ ଗତି କରିବାକୁ ଚେଷ୍ଟିତ ହୁଅନ୍ତୁ । ନିଜକୁ କେବଳ ନିଜ ପିତାମାତାଙ୍କର ସନ୍ତାନ ବା କେବଳ ନିଜ ସମାଜର ଏକଅଂଶ ଚିନ୍ତା ନକରି ଏହାର ପରିସର ମଧ୍ୟରୁ ନିଜକୁ ସ୍ଵତନ୍ତ୍ର ମନେ କରନ୍ତୁ । ଆପଣମାନେ ଆଲୋକର ସନ୍ତାନ । ଆଲୋକର ପରିବ୍ୟାପ୍ତି ଚତୁର୍ଦ୍ଦିଗରେ । ଆପଣମାନଙ୍କର ସୃଷ୍ଟି ଆଲୋକର ବିତରଣ ପାଇଁ, ସୌରଭର ବଣ୍ଟନପାଇଁ । ଯୌବନହିଁ ଏହାର ପ୍ରକୃଷ୍ଟ ସମୟ । ସ୍ଥବିରଇ ନିଷ୍ଫଳତାଜନିତ ତିକ୍ତ ଅନୁଭୂତି ଏପର୍ଯ୍ୟନ୍ତ ଆପଣମାନଙ୍କୁ ସ୍ପର୍ଶ କରିନାହିଁ । ସାଧନାର ମାର୍ଗରୁ ବିଚ୍ୟୁତ ହୋଇ ଆଦର୍ଶଠାରୁ ଦୂରରେ ରହି ପରସ୍ପର ମଧ୍ୟରେ କଳହରତ ଆଜିର ସମାଜ ଓ ଜାତିର ରକ୍ଷକ ବୋଲାଉଥିବା ଏହି ଅଥର୍ବମାନେ ଆପଣମାନଙ୍କୁ ଦିଗ୍‌ଦର୍ଶନ ଦେଇ ନପାରନ୍ତି । ସେମାନେ ନିଜ ନିଜର ଅପକର୍ମରେ ଜର୍ଜରିତ ହୋଇ ଭବିଷ୍ୟତକୁ ମଧ୍ୟ ସେହିରଙ୍ଗ ଦେବାପାଇଁ ଏକ ଅପଚେଷ୍ଟାରେ ବ୍ୟାପୃତ ।

 

ହେ ଅମୃତର ସନ୍ତାନ ଗଣ ! ଉତିଷ୍ଠିତ ଜାଗ୍ରତ ହୁଅ । ସଫଳତା ଓ ବିଜୟ ତୁମର ପଦଲେହନ କରିବାକୁ ଆହ୍ୱାନ କରୁଛି । ସୌଭାଗ୍ୟଲକ୍ଷ୍ମୀ ତୁମପାଇଁ ବରଣମାଳା ହସ୍ତରେ ଆବାହନୀ ଗାନରେ ଅପେକ୍ଷାରତ । ଜାଗ୍ରତ ହୁଅ ଓ ତୁମର ଚେତନାରେ ଅନ୍ୟକୁ ଜଗାଅ । ଏକ ଦୀପରୁ ସହସ୍ର ଦୀପ ଆଲୋକିତ କରି ସମସ୍ତ ବସୁନ୍ଧରାକୁ ବାସୋପଯୋଗୀ କର । ଏ ଚିରସୁନ୍ଦର ଧରିତ୍ରୀକୁ ନର ମାଂସ ଲୋଭୀ ହିଂସ୍ର ନର ରାକ୍ଷସମାନଙ୍କ କବଳରୁ ରକ୍ଷାକର । ଈଶ୍ଵର ତୁମର ସହାୟ ହେବେ ।

Image

 

ମନର ବଳ

 

ଆଜିକୁ ପ୍ରାୟ ପନ୍ଦର ଶହ ବର୍ଷ ତଳେ ଆରବ ଦେଶରେ ଜଣେ ମହାପୁରୁଷ ଥିଲେ । ମାତ୍ର କୋଡ଼ିଏ ବାଇଶବର୍ଷ ମଧ୍ୟରେ ସେ ସାରା ଆରବ ଦେଶର ଢାଞ୍ଚା ବଦଳାଇ ଦେଲେ । ଯାଦୁକର କାଉଁରୀ ହାଡ଼ ଲଗାଇ ଭେଳିକି ଦେଖାଇଲା ଭଳି ମହାପୁରୁଷ ମହମ୍ମଦ ସାରା ଆରବ ଦେଶର ଲୋକଙ୍କର ମନୋଭାବକୁ ଏପରି ବଦଳାଇ ଦେଲେ ଯେ, ଏମାନେ ରତ୍ନାକର ମହାଋଷି ବାଲ୍ମୀକି ହେଲାପରି ପୂରାପୂରି ବଦଳି ଗଲେ । ଆରବ ଦେଶର ଅବସ୍ଥା ସେତେବେଳେ ବହୁତ ଖରାପ ଥିଲା । ସେମାନେ ଯଦିଓ ଗୋଟିଏ ଭାଷା କହୁଥିଲେ, ତଥାପି ଭିନ୍ନ ଭିନ୍ନ ଦଳ ହୋଇ ରହୁଥିଲେ । କାହାରି ସହ କାହାରି ମେଳ ନଥିଲା । ଟିକିଏ ଟିକିଏ କଥାରେ ଯୁଦ୍ଧ, ଶତ୍ରୁତା ଓ କଳି । ସେ କଳି କିଛି ମାମୁଲି କଳି ନୁହ । ବାପଅଜା ଅମଳରୁ କଳି ଲାଗି ରହିଥାଏ । ମଦରେ ଦେଶ ଭାସୁଥାଏ । ସ୍ତ୍ରୀଲୋକଙ୍କ ଦୁଃଖ କଥା କହିଲେ ନ ସରେ । ଝିଅଟି ଜନ୍ମ ହେଲେ ତାକୁ ଜିଅନ୍ତା ପୋତି ଦେଉଥିଲେ । ଝିଅ ଜନ୍ମ ହେଲା ଜାଣିଲେ ମା’ ତାକୁ କୋଳରୁ ସାପ ଫୋପାଡ଼ିଲା ପରି ଦୂରକୁ ଫିଙ୍ଗି ଦେଉଥିଲା । ଏପରି ଯେଉଁ ସମାଜର ଅବସ୍ଥା, ସେହି ସମାଜକୁ ମାତ୍ର ୨୨ ବର୍ଷ ଭିତରେ କିପରି ସୁଧାରି ଦିଆଗଲା, ସେଇ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ ।

 

ପିଲାଟି ଦିନରୁ ମା’ ବାପ ଛେଉଣ୍ଡ ମହମ୍ମଦଙ୍କୁ ତାଙ୍କର ଜେଜେବାପା ଓ ଦାଦି ପାଳିଥିଲେ-। ଦେଶର ପ୍ରଥା ଅନୁସାରେ ମହମ୍ମଦଙ୍କୁ ଗୋଟିଏ ଧାଈମା ଘରେ କ୍ଷୀର ଖାଇବାକୁ ଛାଡ଼ି ଦିଆଯାଇଥିଲା । ଜେଜେ ଅଳ୍ପ ଦିନ ପରେ ମରିଗଲେ । ଯଦିଓ ଦାଦି ତାଙ୍କୁ ଭଲ ପାଆନ୍ତି, ଖୁଡ଼ୀ ମହମ୍ମଦଙ୍କୁ ଦେଖି ସହି ପାରନ୍ତି ନାହିଁ । ତେଣୁ ଦାଦି ତାଙ୍କୁ ସବୁବେଳେ ନିଜ ହେପାଜତରେ ରଖିଥାନ୍ତି । ଯୁଆଡ଼େ ଯାଆନ୍ତି, ସାଙ୍ଗରେ ନିଅନ୍ତି । ଛେଉଣ୍ଡ ପିଲା ହେଲେ କଥା ସରିଲା-। ମହମ୍ମଦ ପାଠ ପଢ଼ିବାର ସୁବିଧା ପାଇଲେ ନାହିଁ । କିନ୍ତୁ ପିଲା ଦିନରୁ ତାଙ୍କର ସଚ୍ଚୋଟ ବ୍ୟବହାର ସମସ୍ତେ ଜାଣନ୍ତି । ଦିନେହେଲେ ମିଛ କହିବାର କେହି ଜାଣିନି । ତେଣୁ ତାଙ୍କର ଡାକ ନା ‘ଅମିନ୍‌’ ଥିଲା-। ଆରବୀ ଭାଷାରେ ଏହି ଶବ୍ଦର ଅର୍ଥ ସତୁଆ । ଧୀରେ ଧୀରେ ସେ ବଡ଼ ହେଲେ ଏବଂ ବିବାହ କଲେ ଜଣେ ବିଧବାଙ୍କୁ । ଏହି ବିଧବାଙ୍କ ନାମ ‘ଖାଦିଜା’ । ବିବାହବେଳକୁ ଖାଦିଜାଙ୍କର ବୟସ ୪୦ ହୋଇଥିଲା । ମହମ୍ମଦଙ୍କୁ କିନ୍ତୁ ୨୫/୩୦ ବର୍ଷ ମାତ୍ର । ସେଥିରେ ବା ଯାଏଁ ଆସେ କେତେ-। ମନ ମିଳିଲେ ହେଲା । ଏ ଦୁହିଁଙ୍କ ମଧ୍ୟରେ ଏତେ ସ୍ନେହ ଶ୍ରଦ୍ଧା ଥିଲା ଯେ ଖାଦିଜା ମରିଗଲା ପରେ ମଧ୍ୟ ମହମ୍ମଦ ତାଙ୍କୁ ସବୁବେଳେ ମନେ ପକାନ୍ତି । ବିବାହ ପରେ ଖାଦିଜା ସ୍ଵାମୀଙ୍କର ବହୁତ ସେବା କରନ୍ତି । ଆମ ଦେଶରେ ଯେପରି ଗୁଣିଗାରୁଡ଼ି ମନ୍ତ୍ରତନ୍ତ୍ର ପ୍ରଭୃତି ଅନେକ ସ୍ଥାନରେ ହେଉଛି, ସେ ଦେଶରେ ମଧ୍ୟ ସେହିପରି ହେଉଥିଲା । ପ୍ରତ୍ୟେକ ଘରେ ଅଲଗାଅଲଗା ଠାକୁର । ଘର ଘର ମଧ୍ୟରେ କଳି ତକରାଳ ଗାଳି ଏସବୁ ଦେଖି ମହମ୍ମଦ ଭାବୁଥିଲେ–ଧର୍ମ କହିଲେ କ’ଣ ଏଇଆ-? ତେଣୁ ସେ ସବୁବେଳେ ଘର ପାଖରେ ଥିବା ହୀରା ପର୍ବତ ଗୁମ୍ଫାକୁ ଚାଲିଯାଆନ୍ତି । ସେଇଠି ବସି ଧ୍ୟାନ କରନ୍ତି । ଉପବାସ ଓ ବ୍ରତ କରି ଦିନ କଟାଇ ଦିଅନ୍ତି । କିଛିଦିନ ପରେ ତାଙ୍କୁ ଦୈବୀବାଣୀ ଶୁଣାଗଲା–‘ହେ ମହମ୍ମଦ ତୁମେ ପଢ଼’ । ସେ କାବା ହୋଇଗଲେ–ମୂର୍ଖଲୋକ ମୁଁ ପଢ଼ିବି କ’ଣ-? ପୁଣି ସେହି ସ୍ଵର ଶୁଭିଲା ଓ ଆଗରେ ଜଣେ ସ୍ୱର୍ଗଦୂତ ଠିଆହୋଇ ତାଙ୍କୁ କହିଲେ– ‘ଭଗବାନ୍‌ଙ୍କ ଆଦେଶ, ପଢ଼’ । ପ୍ରକୃତ କଥା, ନ ପଢ଼ିଲେ କ’ଣ ବା ହେବ ? ସେ ସ୍ୱର୍ଗଦୂତ ପୁଣି କହିଲେ–‘ଈଶ୍ଵର ମଣିଷକୁ ଟୋପାଏ ରକ୍ତରୁ ତିଆରି କରିଛନ୍ତି ଏବଂ କଲମ ସାହାଯ୍ୟରେ ଲେଖିବା ଶିଖାଇଛନ୍ତି-। ଏହାଦ୍ୱାରା ସେ ଯାହାଜାଣି ନଥିଲା, ତାହା ଶିଖିପାରିଲା ।’ ଏତକ ଶୁଣି ତାଙ୍କ ଆଖି ଫିଟିଗଲା ଏବଂ ସେହି ଦିନଠାରୁ ଦୀର୍ଘ ୨୨ ବର୍ଷ କାଳ ତାଙ୍କୁ ସ୍ଵର୍ଗବାଣୀ ହୁଏ ଏବଂ ସେ ସବୁ ଲେଖାହୋଇ ଯେଉଁ ବହି ହୋଇଛି ତାକୁ ‘ପବିତ୍ର କୋରାନ୍‌’ କୁହାଯାଏ । ଏହା ମୁସଲମାନ ଭାଇମାନଙ୍କର ଧର୍ମଶାସ୍ତ୍ର-। ଏହି ସ୍ଵର୍ଗବାଣୀ ଜରିଆରେ ସେ ଯାହା ଶିଖନ୍ତି ତାହା ନିଜ ଲୋକ ଓ କ୍ରମେ କ୍ରମେ ପଡ଼ୋଶୀ ପାଖ ଲୋକଙ୍କୁ କହନ୍ତି । ଅନେକ ଏକଥା ମାନନ୍ତି, ଶୁଣନ୍ତି । ତାଙ୍କ ସ୍ତ୍ରୀ ଖାଦିଜା ଓ ଘରର ଆଉ କେତେକ ପ୍ରଥମେ ଏ ବିଷୟ ଶୁଣି ଏକମତ ହେଲେ । ଏହି କଥାଗୁଡ଼ିକ ଏପରି ଭାବରେ କୁହାହୋଇଛି ଯେ ଶୁଣୁଥିଲା ଲୋକ ମୋହି ହୋଇ ଯାଉଥିଲା । ବିଶେଷକରି ଗରିବ, ଖଟିଖିଆ, ମେହନତୀ ମଣିଷ ମହମ୍ମଦଙ୍କ କଥାକୁ ଓ ଏହି ସ୍ଵର୍ଗବାଣୀକୁ ଅକ୍ଷରେ ଅକ୍ଷରେ ସତବୁଝି କାର୍ଯ୍ୟରେ ଲଗାଉଥିଲେ-। ଦିନେ ସ୍ଵର୍ଗବାଣୀ ହେଲା ‘ମଦ୍ୟପାନ ନିଷେଧ’ । ଯେଉଁମାନେ ବସି ମଦ ପିଉଥିଲେ, ଏକଥା ଶୁଣି ସେଇଠି ମଦ ଗିଲାସକୁ ଫିଙ୍ଗିଦେଲେ । ଘରେ ଯେତେ ମଦ ଥିଲା, ନାଳ ନର୍ଦ୍ଦମାରେ ଢାଳିଦେଲେ-। ଆରବ ଦେଶରୁ ମଦର ଚିହ୍ନବର୍ଣ୍ଣ ଲୋପ ହେଲା ଏକା ଦିନକରେ ।

 

ଲୋକେ ପାଠ ପଢ଼ିଲେ କିପରି ?

 

ଆଦେଶ ହେଲା–‘ଯାହା କଥାବାର୍ତ୍ତା ଚୁକ୍ତି ଦୁଇ ଜଣ ବା ଦୁଇ ଦଳ ମଧ୍ୟରେ ହେବ ତାକୁ ଲେଖି ରଖିବାକୁ ପଡ଼ିବ ।’ ତେଣୁ ଲୋକେ ଲେଖାପଢ଼ା ନ ଶିଖିଲେ ଲେଖିବ ବା କିପରି ? ସବୁବେଳେ ଜଣକ ପାଖକୁ ଦଉଡ଼ିବାକୁ ପଡ଼ିବ । ତେଣୁ ଲୋକେ ଲେଖାପଢ଼ା କାଗଜ କଲମର ମର୍ଯ୍ୟାଦା ବୁଝିଲେ । ଥରେ କେତେକ ବିପକ୍ଷ ଲୋକଙ୍କ ସଙ୍ଗେ ଯୁଦ୍ଧ ହେଲା । ଯୁଦ୍ଧରେ କିଛି ଲୋକ ବନ୍ଦୀ ହୋଇ ଆସିଲେ । ପୁଣି ଯେତେବେଳେ ସନ୍ଧି ହେଲା, ସେହି ସନ୍ଧିରେ ମହମ୍ମଦ ଗୋଟିଏ ସର୍ତ୍ତ ରଖିଲେ ଯେ ଯେଉଁ ଲୋକ ପଢ଼ାପଢ଼ି ଜାଣିଛି ସେ ଯଦି ଘରକୁ ଯାଇ ଆଉ ଦଶ ଜଣଙ୍କୁ ଲେଖାପଢ଼ା ଶିଖାଇ ଦେବାକୁ ପ୍ରତିଜ୍ଞା କରେ ତେବେ ତାକୁ ଛାଡ଼ି ଦିଆଯିବ । ପ୍ରକୃତରେ ତାହାହିଁ ହେଲା । ନିଜର ବିଦ୍ୟା ଯୋଗୁଁ ବନ୍ଧନରୁ ମୁକ୍ତି ମିଳିଲା । ନିଜର ବଚନ ରକ୍ଷାକରି ଅନ୍ୟମାନଙ୍କୁ ଲେଖାପଢ଼ା ଶିଖାଇବାକୁ ସେମାନେ ମଧ୍ୟ ଭୁଲି ନଥିଲେ ।

 

ଏଇ ଭଳି ଅନେକ କଥା ଏହି ମହାପୁରୁଷ କରି ପାରିଥିଲେ । ନିଜେ ସଚ୍ଚୋଟ ଥିବାରୁ ସେ ଯାହା କହୁଥିଲେ, ଲୋକେ ତାଙ୍କ କଥାରେ ଭରସା ରଖୁଥିଲେ । ପ୍ରକୃତରେ ଆମେ ଯାହା ନ କରୁଛୁ, ଅନ୍ୟକୁ ତାହା କରିବାକୁ କହିଲେ ତା’ର କି ଫଳ ହେବ ? ଆମେ ନିଜେ ବସି ତାସ୍‌ ଖେଳିବା । ଛୋଟପିଲାଏ ଖେଳିଲାବେଳକୁ ତାଙ୍କୁ କହିବା, ପାଠ ପଢ଼, କି ଏ କାମକର, ସେ କାମ କର । ସେ କ’ଣ ତା’ କରିବେ ? ଯାହା ନିଜେ କରିବା, ତାହା ଅନ୍ୟକୁ କରିବାକୁ କହିବା । ନିଜର ଆଦର୍ଶ ଓ ବଚନ ଚାତୁରୀଦ୍ୱାରା ମହମ୍ମଦ ଲୋକଙ୍କ ମନ ଏପରି କିଣି ପକେଇଲେ ଯେ ତାଙ୍କର ଶତ୍ରୁ ମଧ୍ୟ ତାଙ୍କର ମିତ୍ର ହୋଇଗଲା । ସେହିପରି ଆମର ହୃଦୟର ପରିବର୍ତ୍ତନ ନହେଲେ ଆମେ କୌଣସି କାମ କରି ପାରିବା ନାହିଁ । କୌଣସି କଥାକୁ ସତ ଜାଣି ତାକୁ କରିବାକୁହିଁ ତପସ୍ୟା କୁହାଯାଏ । ଯଦି ଚାଷୀ ଶୁଣିଲା ଜାଣିଲା ଓ ଦେଖିଲା ଯେ ଏହିଭଳି ଚାଷବାସ କଲେ ଭଲ ଅମଳ ହେଉଛି, ତେବେ ସେ ସେଇଆ ନିଶ୍ଚୟ କରିବ । ବାଧ୍ୟବାଧକତାର ଦରକାର, ନାହିଁ । ସେହିପରି ଜଣେ ଯଦି ବୁଝିପାରୁଛି ଯେ ଦି’ ଅକ୍ଷର ଲେଖି ପଢ଼ି ଶିଖିବା ନିହାତି ଦରକାର, ତେବେ ତାକୁ ଅପାଠୁଆ ରଖିବ କିଏ ? ସେ ନିଜେ ଦୀପ ଜଳେଇ ଆଉ ଦଶ ଜଣଙ୍କ ଘରେବି ଦୀପ ଲଗାଇ ଦେବ ।

Image

 

ତୁଳସୀ ଦୁଇପତ୍ରରୁ ବାସେ

 

ଅନେକ ବର୍ଷ ତଳର କଥା । ଆରବ ଦେଶରେ ପିଲାମାନଙ୍କର ପାଠ ପଢ଼ିବାର ବିଶେଷ ସୁବିଧା ନଥାଏ । ଚାଟଶାଳି ପାଠ ଶେଷକରି ଆଉ ଉପରକୁ ପଢ଼ିବାକୁ ହେଲେ ପିଲାଙ୍କୁ ବଡ଼ବଡ଼ ସହରକୁ ଯିବାକୁ ପଡ଼ୁଥିଲା । ଆଜିକାଲି ପରି ସେତେବେଳେ ଯାନବାହନର ସୁବିଧା ମଧ୍ୟ ନଥିଲା । ଦୂର ଜାଗାକୁ ଯିବାକୁ ହେଲେ ଓଟରେ ବସି ଦଳଦଳ ହୋଇ ଲୋକେ ଯାଉଥିଲେ । ଏହିପରି ଦଳବାନ୍ଧି ଏକ ସ୍ଥାନରୁ ଅନ୍ୟସ୍ଥାନକୁ ଯିବାକୁ ‘କାଫିଲା’ କହନ୍ତି । ସମୟ ସମୟରେ ଏପରି ମଧ୍ୟ ହୁଏ ଯେ, ଏହି କାଫିଲାକୁ ଡାକୁମାନେ ଲୁଟି ନେଉଥିଲେ । ଆଜିକାଲି ତ ଟ୍ରେନ୍‌ ବସ୍‌ ପ୍ରଭୃତିର ଯାତ୍ରୀମାନଙ୍କୁ ମଧ୍ୟ ଲୁଟି ନେଉଛନ୍ତି । ସେତେବେଳେ ଏପରି ହେବାଟା କିଛି ବିଚିତ୍ର କଥା ନୁହେଁ ।

 

ଥରେ ଏହିଭଳି ଏକ ‘କାଫିଲା' ଗୋଟିଏ ସହରକୁ ଯାଉଥିଲା । ଏଥିରେ ଅନେକ ଶ୍ରେଣୀର ଲୋକ ଥିଲେ । ତେବେ ଅଧିକାଂଶ ଥିଲେ ବ୍ୟବସାୟୀ । ବିଭିନ୍ନ ପଣ୍ୟଦ୍ରବ୍ୟ ଅଙ୍ଗୁର, ଖଜୁରି, ମସଲା ପ୍ରଭୃତି ଓଟ ପିଠିରେ ଲଦି ସହରକୁ ବିକିବାପାଇଁ ନେଉଥିଲେ । ଅନେକ ପଢ଼ୁଆ ପିଲା ମଧ୍ୟ ଉଚ୍ଚଶିକ୍ଷା ପାଇଁ ସହରକୁ ଯାଉଥିଲେ । ବାଟରେ ଗୋଟିଏ ନିଛାଟିଆ ସ୍ଥାନରେ ଦଳେ ଡାକୁ ଏହି କାଫିଲାକୁ ଲୁଟ କରିବାପାଇଁ ଛକି ବସିଥାଆନ୍ତି । କାଫିଲା ପହଞ୍ଚିବାମାତ୍ରେ ଡାକୁସର୍ଦ୍ଦାର ଏହାକୁ ଲୁଟ କରିବାକୁ ଆଦେଶ ଦେଲା । ପ୍ରତ୍ୟେକ ଲୋକକୁ ଧରି ତା’ ପାଖରେ ଯାହା ଯାହା ଟଙ୍କାପଇସା ଥିଲା, ସମସ୍ତ ଛଡ଼ାଇ ନେଲେ । ଯିଏ ବାଧା ଦେଲା, ତା’ର ପ୍ରାଣ ଗଲା । ଏହି କାଫିଲାରେ ବାର ତେରବର୍ଷର ପଢ଼ୁଆ ପିଲାଟିଏ ମଧ୍ୟ ଥାଏ । ଲୁଗାପଟାରୁ ଅତି ଗରିବ ଘର ପିଲାଟି ପରି ଜଣା ପଡ଼ୁଥିଲା । ଡାକୁମାନେ ଭାବିଲେ ଯେ ଯାହା ପାଖରେ ଯାହା ଥିଲା ତ ନେଇ ଗଲୁଣି, ଏ ଗରିବ ପିଲାଟି ପାଖରେ ଆଉ କ’ଣ ବା ଥିବ ? ଏହାଭାବି ଡାକୁ ସର୍ଦ୍ଦାର ପାଖରେ ମାଲପତ୍ର ପଇସା କଉଡ଼ି ଜମା କରିଦେଲେ । ସର୍ଦ୍ଦାର ପଚାରିଲା, ‘କ’ଣ କାମ ସରିଗଲା ?’ ଡାକୁମାନେ ଉତ୍ତର ଦେଲେ, ‘ହଁ, ସର୍ଦ୍ଦାର ! ସବୁ ସରିଗଲା । କେବଳ ଏହି ଛୋଟ ଗରିବ ପିଲାଟା । ୟା ପାଖରେ ବା କ’ଣ ଅଛି ?’ ଡାକୁ ସର୍ଦ୍ଦାର ପିଲାଟିକୁ ଡାକି ପଚାରିଲା, ‘ୟେ ପିଲା ! ତୋ ପାଖରେ କ’ଣ ଅଛି ?’ ପିଲାଟି ଜବାବ ଦେଲା, ‘କୋଡ଼ିଏଟି ଦିନାର, (ଆରବ ଦେଶର ମୁଦ୍ରା) ଅଛି-।’ କେଉଁଠି ରଖିଛୁ ବୋଲି ପଚାରିବାରୁ ବାଳକ ଉତ୍ତର ଦେଲା, ‘ମୋ ମା’ ପାଇଜାମା ପିନ୍ଧାଇ ଦେଲାବେଳେ ଯେଉଁଠି ଇଜାର(ଅଣ୍ଟା ଦଉଡ଼ି) ପୂରାଯାଏ, ସେଇଠି ପୂରାଇ ଦେଇଛି ।’ ଏଇ ଦେଖ ବୋଲି କହି କୋଡ଼ିଏଟି ଦିନାର କାଢ଼ି ତାକୁ ସର୍ଦ୍ଦାର ଆଗରେ ରଖିଦେଲା । ଡାକୁ ସର୍ଦ୍ଦାର ଆଶ୍ଚର୍ଯ୍ୟ ହୋଇ ପଚାରିଲା, ‘ବାଳକ ! ତୁ ଜାଣୁ ଆମେ ଏଗୁଡ଼ିକୁ ଲୁଟି ନେବୁ । ତଥାପି ତୁ କହିଦେଲୁ-।’

 

ବାଳକ ଉତ୍ତର ଦେଲା, ‘ମୋ ମା’ ମୋତେ ସବୁବେଳେ ସତ କହିବାକୁ କହିଛି । ଏପରିକି ସତ କହି ବିପଦ ଓ ଅସୁବିଧାରେ ପଡ଼ିଲେ ସୁଦ୍ଧା ମିଛ କହିବାକୁ ମନା କରିଛି ।' ବାଳକର ଏ ଉତ୍ତର ଡାକୁଦଳ ମଧ୍ୟରେ ଚହଳ ପକାଇ ଦେଲା । ଡାକୁ ସର୍ଦ୍ଦାରର ଭାବନା ଓ ଚିନ୍ତାଧାରା ବଦଳି ଗଲା । ସର୍ଦ୍ଦାର ପିଲାଟିକୁ କୋଳେଇ ନେଇ ବହୁତ ଗେଲ କଲା ଓ ମନରେ ପରିବର୍ତ୍ତନ ଆଣି ସମସ୍ତ ଡାକୁ ନିଜ ଡାକୁ ପେଷା ଛାଡ଼ି ସାଧୁ ପାଲଟି ଗଲେ ଏବଂ ସମସ୍ତ ଲୁଟି ଥିବା ମାଲପତ୍ର ପଇସା ଯାତ୍ରୀମାନଙ୍କୁ ଫେରାଇ ଦେଲେ । ଏ ପିଲାଟିର ନାଁ ଥିଲା, ଅବଦ୍ଦୁଲ କାଦର ଜିଲ୍ଲାନୀ । ଯେ କି ପରବର୍ତ୍ତୀ କାଳରେ ପୀରାନେ ପୀର (ମହାସନ୍ଥ) ଗୌସଲ ଆଜମ ନାମରେ ପରିଚିତ ହେଲେ । ତାଙ୍କୁ ଯେତେବେଳେ ସାତବର୍ଷ ବୟସ ସେ ଧର୍ମଗ୍ରନ୍ଥ କୋରାନ୍‌ର ସମସ୍ତ ୩୦ ଅଧ୍ୟାୟ ମୁଖସ୍ଥ କରି ‘ହାଫିଜ’ ଆଖ୍ୟା ପାଇଥିଲେ । ଏହିପରି ଅନେକ କ୍ଷଣଜନ୍ମା ସାଧୁସନ୍ଥ ଓ ମହାପୁରୁଷଙ୍କ ଜୀବନରେ ରହିଛି ଜନ୍ମଦାତ୍ରୀ ମା’ମାନଙ୍କର ପ୍ରେରଣା, ଶିକ୍ଷା ଓ ସେଥିରୁ ମିଳିଥିବା ନିଜର ସାଧନା । ମା’ମାନଙ୍କ ଶିକ୍ଷାରୁହିଁ ପିଲାମାନେ ହୁଅନ୍ତି ମହାପୁରୁଷ ।

 

ଏଇଭଳି ପୁରାଣ ଯୁଗର ଆଉ ଏକ ପିଲା ସତ୍ୟକାମ । ଗୁରୁଙ୍କ ପାଖରେ ପଢ଼ିବାକୁ ଇଚ୍ଛା ହେଲାରୁ, ଗୁରୁ ତାକୁ ତା’ର ଜାତି ଓ ଗୋତ୍ର ପଚାରିଲେ । ପିଲା ଲୋକ ସତ୍ୟକାମ ଦଉଡ଼ି ଗଲା ଏକମାତ୍ର ଭରସା ମା’ ପାଖକୁ ଓ ପ୍ରଶ୍ନ କଲା, ‘ମା’ ! ଗୁରୁ ମୁଁ ବ୍ରାହ୍ମଣ କି ନୁହେଁ ପଚାରୁଛନ୍ତି । ଯଦି ବ୍ରାହ୍ମଣ ହୋଇଥାଏ ତାଙ୍କ ଗୁରୁକୁଳରେ ଶିକ୍ଷାପାଇଁ ସୁବିଧା ଦେବେ ।’ ମା’ ଯାବାଳୀ ଦୁଃଖରେ ମ୍ରିୟମାଣ ହୋଇ ମଧ୍ୟ ଉତ୍ତର ଦେଲେ, ‘ବାପରେ ମୁଁ ଜୀବନଯାକ ୟା’ଘରେ ତା’ଘରେ ଚାକରାଣୀଭାବେ ରହି ଆସିଛି, କିପରି କହିବି ତୁ କେଉଁ କୁଳରେ ଜନ୍ମ !’ ମା’ଙ୍କର ଏକଥା ଶୁଣି ସତ୍ୟକାମ ସାମାନ୍ୟ ଦୁଃଖିତ ନ ହୋଇ ଗୁରୁଙ୍କ ପାଖକୁ ଯାଇ ମା’ କହିଥିବା କଥା ପ୍ରକାଶ କଲେ । ସତ୍ୟକାମର ସତ୍ୟ ଉତ୍ତର ଶୁଣି ଗୁରୁ ତାଙ୍କୁ କୁଣ୍ଢାଇ ପକାଇଲେ ଏବଂ କହିଲେ ‘ନିଜର କ୍ଷତି ହେବ ଜାଣି ତୁ ଯେ ସତ୍ୟକଥା ପ୍ରକାଶ କରିଛୁ, ତୁ ହିଁ ବ୍ରାହ୍ମଣ । ମୁଁ ଆଜିଠାରୁ ତୋର ଶିକ୍ଷାର ଭାର ନେଲି-। ପ୍ରକୃତରେ ଖାଲି ପଇତା ପକାଇ ଦେଲେ ଲୋକେ ବ୍ରାହ୍ମଣ ହୋଇ ଯାଆନ୍ତି ନାହିଁ-।’

 

ଆମ ଓଡ଼ିଶାରେ କୁଳବୃଦ୍ଧ ମଧୁସୂଦନଙ୍କ ନାଁ ସମସ୍ତେ ଜାଣନ୍ତି । ସେ ମଧୁ ବାରିଷ୍ଟର ଭାବରେ ଚାରିଆଡ଼େ ପରିଚିତ । କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ତାଙ୍କର ଜନ୍ମ । ଛୋଟପିଲା ହୋଇଥିବାବେଳେ ଦିନେ ରାତିରେ ଜିଦ୍‌ ଧରି ଖାଇବାକୁ ମନା କଲେ । କିନ୍ତୁ ବେଶି ରାତି ହେବାରୁ ଭୋକ ଲାଗିଲା । ମା’ଙ୍କୁ ଖାଇବାକୁ ମାଗିଲେ । ଛୋଟପିଲା ଭୋକରେ ଆଉଟି ହୋଇ ଖାଇବାକୁ ମାଗିଲେ କେଉଁ ମା’ ବା ମନାକରିବ ? କିନ୍ତୁ ଏ ମା’ ବୀରପ୍ରସବିନୀ, କହିଲେ, ‘ବାପା ତୁ ପ୍ରତିଜ୍ଞା କଲୁ ଖାଇବୁ ନାହିଁ । ତୋତେ ଖାଇବାକୁ ଦେଇ ତୋ ପଣ ଭାଙ୍ଗିବାରେ ସାହାଯ୍ୟ କରି ମୁଁ ପାପ ଅର୍ଜନ କରି ପାରିବି ନାହିଁ ।’ ଗେଲବସର ପୁଅ ରାତିସାରା ରହିଲେ ଉପବାସ । କିନ୍ତୁ ଏହି ଶିକ୍ଷା ତାଙ୍କୁ ଭବିଷ୍ୟତରେ ନୂତନ ଉତ୍କଳର ନିର୍ମାତା ଜାତିର ଗୌରବ ମଧୁସୂଦନ ନାମରେ ପରିଚିତ କରାଇପାରିଥିଲା ।

 

ଆମ ଗାଁ ଗଣ୍ଡାରେ ଏଇଭଳି କେତେ ଅବଦ୍ଦୁଲ କାଦଲ ଜିଲ୍ଲାନୀ, ସତ୍ୟକାମ, ମଧୁସୂଦନ ଲୁଚି ରହିଛନ୍ତି, ତାହା କିଏ କହିବ ? କେତେ ମା’ ନିଜର ପିଲାଙ୍କୁ ଏପରି ଗଢ଼ି ତୋଳିବାକୁ ଚେଷ୍ଟା କରନ୍ତି, ଆସନ୍ତୁ ! ବିଚାର କରିବା ।

Image

 

ପେଟ ପୋଷ ନାହିଁ ଦୋଷ

 

ଆମ ଓଡ଼ିଆରେ ଗୋଟିଏ କଥା ଅଛି–ପେଟ ପୋଷ ନାହିଁ ଦୋଷ । ଏହାର ଅର୍ଥ ଏହା ନୁହେଁ ଯେ ପେଟ ପୋଷିବାପାଇଁ ବା ନିଜର ସଂସାର ଚଳାଇବା ପାଇଁ ଯେକୌଣସି ଉପାୟ ଅବଲମ୍ବନ କରାଯାଇପାରେ । ଅସଲ ମତଲବ ହେଲା ନିଜର ପରିବାରର ଭରଣପୋଷଣ । ଏହା ବୋଲି ଯେକୌଣସି ଉପାୟରେ ତାହା କରାଯାଇପାରେ, ଏହା ଭାବିବା ଉଚିତ ନୁହେଁ । ତୁମର ଉଦ୍ଦେଶ୍ୟ ସତ୍‌ ବା ମହତ ହୋଇପାରେ, କିନ୍ତୁ ତାହା ହାସଲ କରିବାପାଇଁ ତୁମେ କି ପନ୍ଥା ଅବଲମ୍ବନ କରୁଛ, କି କି କର୍ମ କରୁଅଛ, ସେଥିପ୍ରତି ଧ୍ୟାନ ଦେବା ବାଞ୍ଛନୀୟ । ମହର୍ଷି ବାଲ୍ମୀକି ମହର୍ଷି ହେବା ପୂର୍ବରୁ ଦସ୍ୟୁ ରତ୍ନାକର ନାମରେ ବିଖ୍ୟାତ ଥିଲେ । ତାଙ୍କର କାମଥିଲା ନିଜର ପରିବାରର ଭରଣପୋଷଣ ପାଇଁ ଚୋରି ଓ ଲୁଟତରାଜ କରିବା ଏବଂ ଦରକାର ପଡ଼ିଲେ ବାଟୋଇମାନଙ୍କୁ ହତ୍ୟା ମଧ୍ୟ କରିବା । ଥରେ ତାଙ୍କୁ ଜଣେ ଲୋକ ପଚାରିଲେ ‘ହେ ରତ୍ନାକର ! ତୁମେ ଏଭଳି କୁକର୍ମ କରୁଅଛ କାହିଁକି ?’ ରତ୍ନାକର ଉତ୍ତର ଦେଲେ ‘ଏହା ତ ମୋର ଜୀବିକା ।’ ଧର ଯେପରି ଡଙ୍ଗାବାହି ରୋଜଗାର କରିବା ବା ମାଛ ମାରି, ଶିକାର କରି ଦୁଇ ପଇସା ଘରକୁ ଆଣିବା ଅନେକଙ୍କର ପେଷା, ସେହିଭଳି ବାଟରେ ଘାଟରେ ଲୋକଙ୍କୁ ଡରାଇ, ମାରି ପିଟି ତାଙ୍କର ଧନଦଉଲତ ଲୁଟ କରିବା ରତ୍ନାକରର ପେଷା । କିନ୍ତୁ ସେଇ ଦସ୍ୟୁ ରତ୍ନାକର ସାମାନ୍ୟ ଚିନ୍ତାରେ, ଭାବନାରେ ମହର୍ଷି ବାଲ୍ମୀକି ହୋଇ ପାରିଥିଲେ । ଯେଉଁ ଭଦ୍ରଲୋକ ତାଙ୍କୁ ପ୍ରଶ୍ନ ପଚାରିଥିଲେ ସେ ପୁଣି କହିଲେ ‘ଆଚ୍ଛା ରତ୍ନାକର ! ତୁମେ ଯେଉଁମାନଙ୍କ ଭରଣପୋଷଣ ପାଇଁ ଏ ଜଘନ୍ୟ କାର୍ଯ୍ୟ କରୁଅଛ, ସେମାନେ ତୁମ ପାପରେ ଭାଗୀ ହେବେ ତ ?’ ରତ୍ନାକର ଘରକୁ ଯାଇ ସ୍ତ୍ରୀଙ୍କୁ ଏହା ପଚାରନ୍ତେ ସ୍ତ୍ରୀ କହିଲେ ‘ମୁଁ ଏବଂ ଆମର ପିଲାମାନେ ତୁମର ପରିବାର, ଯାହାର ଭରଣପୋଷଣର ଭାର ତୁମ ଉପରେ । ମାତ୍ର ତୁମର ପାପର ଭାର ଆମର ନୁହେଁ । ସେଥିରେ ଆମେ ଭାଗୀଦାର ନୋହୁଁ ।’ ଏ ଉତ୍ତର ରତ୍ନାକର ଆଖି ଖୋଲି ଦେଲା ଓ ତା’ର ପରିବର୍ତ୍ତନ ଘଟିଲା-

 

ସେହିପରି ଆମେ ଭାବିବା କଥା କିଏ କି ଉପାୟରେ ନିଜ ନିଜର ଉଦ୍ଦେଶ୍ୟ ହାସଲ କରୁଛି । ଜଣେ ପରିଶ୍ରମ କରି ଦିନରାତି ଖଟି ଦୁଇ ପଇସା ରୋଜଗାର କଲା । ଆଉ ଜଣେ ମଧ୍ୟ ପରିଶ୍ରମ କରି ରାତି ଅନିଦ୍ରା ହୋଇ ବୁଦ୍ଧି ଖଟେଇ ରାତିଅଧରେ ସେ ଲୋକଘରେ ଡକାୟତି କରି ତା’ର ଧନ ଲୁଟି ନେଲା । ଉଭୟ କ୍ଷେତ୍ରରେ ରହିଛି ପରିଶ୍ରମ । ଉଭୟଙ୍କର ଉଦ୍ଦେଶ୍ୟ ଏକ । କିନ୍ତୁ ଗୋଟିକୁ ସତ୍‌ ଓ ଅନ୍ୟଟିକୁ ଅସତ୍‌ ଉପାୟ ବୋଲି କାହିଁକି କୁହାଯାଏ । ପ୍ରଥମ କ୍ଷେତ୍ରରେ ଯେଉଁ ରୋଜଗାର ହେଲା, ସେଥିରେ ନିଜର ଖଟଣି ଜଡ଼ିତ ଥିଲେ ମଧ୍ୟ ଅନ୍ୟର କ୍ଷତି ଘଟିବାର ଆଶଙ୍କା ନଥିଲା । ଅଥଚ ଦ୍ୱିତୀୟ କ୍ଷେତ୍ରରେ ମେହନତ୍ ହୋଇଥିଲେ ମଧ୍ୟ ଅନ୍ୟର ଧନଜୀବନ କ୍ଷତି ଘଟିଲା-। ନିଜର ଉପକାର ହେଲେ ମଧ୍ୟ ଜ୍ଞାତସାରରେ ବା ଜାଣି ଜାଣି ଅନ୍ୟର କ୍ଷତି ଯଦି ହୁଏ, ତେବେ ସେପରି କର୍ମକୁ ସତ୍‌କର୍ମ କୁହାଯାଇ ନ ପାରେ । ଦେଶର ଓ ଦଶର ଯଦି କ୍ଷତି ଓ ଅକଲ୍ୟାଣ, ତେବେ ତ ଆହୁରି ଗୁରୁତର ଦୋଷ ବୋଲି ଧରାଯିବ । ଅନେକ ସମୟରେ ଏପରି ଦେଖାଯାଏ ଯେ ସରକାରୀ ଧନ ପ୍ରତି କେତେକ ଲୋକ ବଡ଼ ଉଦାସୀନ । ରାସ୍ତାରେ ବିଜୁଳି ତାରରେ ତାର ପକାଇ ବିଜୁଳି ବ୍ୟବହାର କରିବା ତ ପ୍ରାୟ ପ୍ରତ୍ୟେକ ସ୍ଥାନରେ ଦେଖାଯାଏ । ଏହାକୁ ଲଜ୍ଜାଜନକ ମନେ ନ କରି କେତେକ ଏହାକୁ ବୀରତ୍ୱର ଓ ବୁଦ୍ଧିମାନର କାର୍ଯ୍ୟ ବୋଲି ମନେ କରନ୍ତି-। ବିଜୁଳି ତ ବିଜୁଳି, ଠାକୁର ଖାଇ ଖଟୁଳି ଖାଇବା ପରି ଅନେକ ତାରକୁ ମଧ୍ୟ କାଟି ନେଇଯାନ୍ତି-। ଏହି କ୍ଷତି ଭରଣାପାଇଁ ଯେଉଁ ଅର୍ଥର ଆବଶ୍ୟକତା ପଡ଼େ, ସରକାରଙ୍କ ପାଖକୁ ତାହା ଆସେ କୁଆଡ଼ୁ-? ଆପଣ ଓ ମୁଁ ଦେଇଥିବା ଟିକସ ପଇସା, ଜମି ଖଜଣା, ବିକ୍ରି କର, ପାଣିକର ଇତ୍ୟାଦିକୁ ଅସୁଲ କରି ସରକାରୀ ତହବିଲରୁ ଏ ଖର୍ଚ୍ଚ ହୋଇଥାଏ । ସୁତରାଂ ସରକାରୀ ତହବିଲ ହେଲା ଆମ ସମସ୍ତଙ୍କର କୋଠସମ୍ପତ୍ତି । ଆମରି ଧନ ଆମେ ନିଜେ ଚୋରି କରିବା ଓ ନଷ୍ଟ କରିବାଠାରୁ ବଳି ଆଉ ନିର୍ବୋଧତା ଓ ମୂର୍ଖାମି କ’ଣ ହୋଇପାରେ ?

 

ଏହିପରି ଆଉ ଗୋଟିଏ ଉଦାହରଣ କଥା ଧରାଯାଉ । ଆଜିକାଲି ସବୁଠି ହୁରି ପଡ଼ିଛି–ଗଛ ଲଗାଅ, ଜଙ୍ଗଲ ବଢ଼ାଅ । କାରଣ ଏହା ଜରିଆରେ ଆମର ବିଶେଷ ଉପକାର ହୋଇଥାଏ । ଆମେ ପବନରୁ ଯେଉଁ ଅମ୍ଳଜାନ ନିଃଶ୍ୱାସରେ ଗ୍ରହଣ କରୁଁ, ତାହା ଗଛଲତା ନିଜ ନିଜର ନିଃଶ୍ଵାସ ପ୍ରଶ୍ଵାସରେ ଛାଡ଼ି ଦିଅନ୍ତି । ଏହା ଛଡ଼ା ଯେଉଁ ଅଙ୍ଗାରକାମ୍ଳ ଆମେ ପରିତ୍ୟାଗ କରୁଁ ଗଛଲତା ତାହା ଗ୍ରହଣ କରନ୍ତି । ଆମପାଇଁ ଅମ୍ଳଜାନ ଯେପରି ବିଶେଷ ଦରକାର, ଗଛଲତା ପାଇଁ ଅଙ୍ଗାରକାମ୍ଳ ସେହିପରି ଦରକାର । ଯେଉଁଠାରେ ଗଛଲତା ବେଶି ଥାଏ ସେଠାର ଜଳବାୟୁ ସ୍ଵାସ୍ଥ୍ୟକର । ଗଛରୁ କେବଳ ଛାଇ ନୁହେଁ ଫଳ ମଧ୍ୟ ମିଳେ । ସବୁଠାରୁ ବଡ଼କଥା ହେଲା, ଗଛ ଆମ ମା’ ମାଟିର ଉର୍ବରତା ବଢ଼ାଇବା ସଙ୍ଗେ ସଙ୍ଗେ ମାଟିକୁ କ୍ଷୟକ୍ଷତିରୁ ରକ୍ଷା କରେ । ସଂଯତ ଭାବରେ ଜଗିରଖି ଯଦି ଗଛ କଟାଯାଏ ତେବେ ଆମର କାଠର ଚାହିଦା ମେଣ୍ଟିବା ସଙ୍ଗେ ସଙ୍ଗେ ବନ୍ୟପଶୁଙ୍କର ବାସସ୍ଥାନର ସୁବିଧା ହେବ, ଆମର ସ୍ଵାସ୍ଥ୍ୟ ଭଲ ରହିବ । ଆମ ଜମିର କ୍ଷୟ ଘଟିବ ନାହିଁ ଏବଂ ବଡ଼କଥା ହେଲା, ଆମେ ଅନାବୃଷ୍ଟିରୁ ରକ୍ଷା ପାଇବା । କାରଣ ଜଙ୍ଗଲହିଁ ବର୍ଷା ହେବାରେ ବିଶେଷ ସାହାଯ୍ୟ କରିଥାଏ । ଏପରି ସ୍ଥଳେ ଆମ ଲୋକେ, କାଠପାଇଁ ଯଦି ଜଙ୍ଗଲକୁ ସଫାକରି ପକାନ୍ତି, ତେବେ କ୍ଷତି ତ ଆମ ନିଜର । ଯେଉଁମାନେ ଗଛ କାଟନ୍ତି, ସେମାନେ ନିଜର ଏବଂ ଭବିଷ୍ୟତ ବଂଶଧରଙ୍କର କ୍ଷତି କରନ୍ତି । ଯେଉଁ ଛୁଆପିଲାଙ୍କ ପାଇଁ ଆମେ ଦିନରାତି ଖଟିଥାଉଁ ଜଙ୍ଗଲ ନଷ୍ଟ କରିବାଦ୍ଵାରା ଆମେ ଏକପ୍ରକାର ସେହିମାନଙ୍କର ନିଶ୍ଚିତ କ୍ଷତି କରିଥାଉଁ । କାରଣ ରାତାରାତି ପଇସା ରୋଜଗାର କଲାଭଳି, ଜଙ୍ଗଲତ ରାତାରାତି ହୋଇପାରିବ ନାହିଁ । ଏଥିପାଇଁ ଯୁଗଯୁଗ ବିତିଯିବ । ଅତଏବ ଯାହାଦ୍ୱାରା ଗାଁଟାଯାକର ଓ ସମସ୍ତ ରାଜ୍ୟର କ୍ଷତି, ସେଥିପ୍ରତି ସମସ୍ତେ ସଜାଗ ହବା ଦରକାର । ପେଟ ପୋଷ, ନାହିଁ ଦୋଷର ପ୍ରକୃତ ଅର୍ଥ ହେଲା, ଜୀବିକା ଅର୍ଜନପାଇଁ ଯେକୌଣସି ବୃତ୍ତି ଅବଲମ୍ବନ କରାଯାଇପାରେ । ଚାକିରି କର, ବ୍ୟବସାୟ କର, ରିକ୍ସା ଟାଣ ବା ଗାଡ଼ି ଚଳାଅ, ଡ୍ରାଇଭର ହୁଅ ବା କଣ୍ଡକ୍ଟର୍ ହୁଅ, ସ୍କୁଲ୍ ଶିକ୍ଷକ ହୁଅ ବା କଲେଜରେ ପାଠ ପଢ଼ାଅ ସବୁ ଧନ୍ଦା ବା ପେଷା ସମାନ । ପେଷା ଅନୁସାରେ ଛୋଟ ବଡ଼ ବାଛିବାର ସମୟ ଗଡ଼ି ଯାଇଛି । କୌଣସି ପେଷା ଗ୍ରହଣ କରି ଅନ୍ୟର ଯଦି କ୍ଷତି ଘଟୁଥାଏ, ତାହାହିଁ ଦୋଷାବହ । ଜଣେ ବେପାରୀ ବା ଦୋକାନୀ ଯଦି ମାପ ଓଜନରେ ଜାଣିଶୁଣି ଭୁଲକରେ ବା ଦଣ୍ଡିମାରେ, ତେବେ ନିଶ୍ଚୟ ତାହା ଦୋଷାବହ । ଏପରି ଭାବରେ ରୋଜଗାର କରିବାକୁ ‘ନାହିଁ ଦୋଷ’ ବୋଲି କୁହାଯିବ ନାହିଁ । ସେହିପରି ନକଲି ମାଲକୁ ଅସଲି ବୋଲି ଦୋକାନରେ କଟେଇ ଦେବା ଭଲ ବେପାରୀର କାମ ନୁହେଁ । ଏହାଦ୍ୱାରା ଯେ ଅନ୍ୟର କ୍ଷତି ଘଟୁଛି । ସେଇଥିପାଇଁ ମହାତ୍ମା ଗାନ୍ଧୀ କହିଛନ୍ତି ଯେ ଉଦ୍ଦେଶ୍ୟ ମହତ୍‌ ହେବା ସଙ୍ଗେ ସଙ୍ଗେ ଉପାୟ ମଧ୍ୟ ସାଧୁ ଓ ମହତ୍‌ ହେବା ଆବଶ୍ୟକ । ମହାପୁରୁଷ ମହମ୍ମଦ ମଧ୍ୟ କହିଥିଲେ, ଯେଉଁଲୋକ ବାଣିଜ୍ୟ ବେପାରରେ ଠକେ, ସେ ତାଙ୍କ ସଙ୍ଗତର ନୁହ ।

Image

 

ସାଧୁ ସାବଧାନ

ଜନ୍ମ ଜନ୍ମାନ୍ତର

 

ଆଧୁନିକ ଅଣୁବାଦ ସମସ୍ତ ବିଶ୍ୱକୁ ଏକ ଗାଣିତିକ ସୂତ୍ରରେ ଆବଦ୍ଧ କରି ଦେଇଛି । ପଦାର୍ଥ ବିଜ୍ଞାନ ପରୀକ୍ଷାନିରୀକ୍ଷା ମଧ୍ୟଦେଇ ନିଜର ପୂର୍ବ ମୀମାଂସାକୁ ମଧ୍ୟ ବଦଳାଇ ପ୍ରମାଦ ପୂର୍ଣ୍ଣ ବୋଲି ପ୍ରମାଣ କରି ଦେଲାଣି । ଆଜି ଏହା ଏପରି ଏକ ପରିସ୍ଥିତିରେ ଉପସ୍ଥିତ ଯେ ବୈଜ୍ଞାନିକ ‘କାର୍ଯ୍ୟ–କାରଣ’ ନୀତି ଭ୍ରମ ପୂର୍ଣ୍ଣ ବୋଲି ସାବ୍ୟସ୍ତ ହେଲାଣି । ମନୁଷ୍ୟର ଜ୍ଞାନର ପରିସର ବୃଦ୍ଧି ଦିଗରେ, ଦୃଶ୍ୟମାନ ବସ୍ତୁର ପରୀକ୍ଷା ଛଡ଼ା ଅନ୍ୟ କାରଣର ସ୍ଥିତି ସମ୍ବନ୍ଧରେ ବୈଜ୍ଞାନିକଗଣ ଆଗ୍ରହୀ ଏବଂ ନିଶ୍ଚିତ ହେଲେଣି ।

 

ଅଧ୍ୟାପକ ଏଡ଼ିଙ୍ଗଟନ୍‌ କହନ୍ତି ଯେ ପଦାର୍ଥ ବିଜ୍ଞାନଜନିତ ମୀମାଂସା କେବଳ ଗୋଟିଏ ଦିଗ । ତେବେ ଅନ୍ୟ ଦିଗଟି କ’ଣ ? ଏ ସମ୍ବନ୍ଧରେ ଆମେ ଜାଣିବୁ କିପରି ? ଏ ଦ୍ୱିତୀୟ ଦିଗଟି ଯେ ଆମ ପକ୍ଷରେ ଅଦରକାରୀ ଏବଂ ମୂଲ୍ୟହୀନ, ଏହା ମଧ୍ୟ ସ୍ଵୀକାର କରିହେବନି । ଦୃଶ୍ୟମାନ, ବସ୍ତୁମାନଙ୍କ ପରି ଅନୁଭବ, ଉଦ୍ଦେଶ୍ୟ, ନ୍ୟାୟ, ଶ୍ରେୟ ଏ ସମସ୍ତ ମଧ୍ୟ ଆମର ଚୈତନ୍ୟର ଅଂଶବିଶେଷ । ଇନ୍ଦ୍ରିୟ–ଗ୍ରାହ୍ୟ ଜଡ଼ବସ୍ତୁ ବୈଜ୍ଞାନିକ ଅନୁଶୀଳନର ପ୍ରକ୍ରିୟା ଦେଇ, ପୃଥିବୀ ତଥା ପୃଥିବୀ ବାହାରର ଅନ୍ୟାନ୍ୟ ବସ୍ତୁର ସନ୍ଧାନ ଦେଇଥାଏ । ଠିକ୍‌ ସେହିପରି ଆମ ଭିତରର ଅତୀନ୍ଦ୍ରିୟ ଭାବରାଶି ଓ ତା’ର ପ୍ରଭାବ ସାହାଯ୍ୟରେ ଆମେ ଏକ ଅଲୌକିକ ଓ ଅପାର୍ଥିବ ଭାବର ଆଭାସ ପାଇଥାଉଁ ।

 

ବର୍ତ୍ତମାନ ଜଡ଼ବାଦୀ ସଭ୍ୟତା ମନୁଷ୍ୟକୁ ପ୍ରକୃତି ଉପରେ ଅବାରିତ କ୍ଷମତା ଆଣିଦେଇଛି ସତ କିନ୍ତୁ ମନୁଷ୍ୟକୁ ତା’ର ନିଜର ଭବିଷ୍ୟତ ସମ୍ବନ୍ଧରେ ଦ୍ୱିଧାଗ୍ରସ୍ତ କରି ଦେଇଛି । ଫଳରେ ଏ ଜୀବନ ହୋଇଛି ପ୍ରାଣହୀନ, ଜୀବନର ଉଦ୍ଦାମ ଗତି ବାଧାପ୍ରାପ୍ତ, ଖଣ୍ଡିତ ଓ ଲାଞ୍ଛିତ । ଚିନ୍ତା କ୍ଷେତ୍ରରେ ମଧ୍ୟ ମନୁଷ୍ୟ ହୋଇଛି ନିଜ ବିଚାରର ବିରୋଧୀ । ଅର୍ଥନୈତିକ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ମନୁଷ୍ୟ ପ୍ରକାଶ୍ୟରେ ଅନ୍ୟର ବିରୁଦ୍ଧାଚରଣ କରୁଛି । ନିଜର ଦୁର୍ବାର ଅହଂକାରକୁ ଆୟତ୍ତାଧୀନ କରିବାକୁ ସେ ଅକ୍ଷମ । ତା’ର ଅଦମ୍ୟ ଲାଳସା, ସ୍ଵାର୍ଥ କ୍ରମେ ତା’ର ଅନ୍ତର୍ନିହିତ ସମସ୍ତ ନୈସର୍ଗିକ ପ୍ରେରଣା ମୂଳରେ କୁଠାରାଘାତ କରି, ମାନବ ଜୀବନକୁ ଦୁର୍ବହ କରି ପକାଇଛି । କେବଳ ଦୃଶ୍ୟମାନ ଜଗତରେ ଜଡ଼ିତ ରହି ସେ ନିଜ ଅନ୍ତରର ଗଭୀରତାରୁ ଅପସରି ଯାଉଛି ଏବଂ କ୍ରମେ ବିଚ୍ଛିନ୍ନ ହେଉଛି । ହକ୍ସଲେଙ୍କ ବିଚାରରେ ବସ୍ତୁବାଦ ସହିତ ଏହି ନିରବଚ୍ଛିନ୍ନ ଓ ଜ୍ଞାତସାର ସମ୍ବନ୍ଧ ମାନବ ଶକ୍ତିର ପକ୍ଷାଘାତ ଘଟାଇଛି । ଯାହାଫଳରେ ପୁରାଣ ଯୁଗର ଆଧ୍ୟାତ୍ମିକତା ଓ ଛାୟାବାଦ ଆଜି ହୋଇଛି ଅର୍ଥହୀନ ଓ ପ୍ରଳାପ ମାତ୍ର । ଏହାର ପରିଣାମ ଯେ କି ଭୟାବହ ତାହା ପ୍ରତ୍ୟେକ ଦୂରଦୃଷ୍ଟି ସଂପନ୍ନ ଓ ଚିନ୍ତାଶୀଳ ବ୍ୟକ୍ତି ଉପଲବ୍ଧି କରିପାରୁଥିବେ । କାରଣ ମନୁଷ୍ୟର ଅନ୍ତର୍ନିହିତ ଶକ୍ତି ବିକାଶ ପରିବର୍ତ୍ତେ, ଏହାର ଶିକ୍ଷା ଦେଇଛି ଏକ ମିଥ୍ୟା ଅପରିଗ୍ରହ ଆଧ୍ୟାତ୍ମିକ ଦାସତ୍ୱ ଏବଂ ଅଜ୍ଞାନଜନିତ ସନ୍ତୋଷ, ପରିଣାମରେ ଆଜି ନୂତନ ପ୍ରେରଣାପାଇଁ ମନୁଷ୍ୟ ନୂତନ ନୂତନ * ବାଦର ଆଶ୍ରୟ ନେଇଛି । ଏହା ଏକ ମାନସିକ ରୋଗ, ଅବିଚାର ପ୍ରସୂତ ଭାବଧାରା ଓ ମାନବ ସୃଷ୍ଟିର ଅଭ୍ୟୁଦୟ ପଥରେ ଶକ୍ତିଶାଳୀ ଅନ୍ତରାୟ ବୋଲି ପାଶ୍ଚାତ୍ୟ ଦାର୍ଶନିକ Nietzsche ମତ ଦିଅନ୍ତି । ଆଧ୍ୟାତ୍ମି‌କତା ଉନ୍ନତି ପଥରେ ତଥାକଥିତ ଧାର୍ମିକ ପନ୍ଥାଗୁଡ଼ିକର ବିଫଳତା ଆଧୁନିକ ମାନବ ସମାଜକୁ ପ୍ରାଣହୀନ ସମାଜବାଦ ପ୍ରତି ଆକୃଷ୍ଟକରି ତା’ର ଚିନ୍ତା ଓ ଭାବଧାରାକୁ ସଙ୍କୁଚିତ କରିପକାଇଛି । ବର୍ତ୍ତମାନର ନାସ୍ତିକ ସାମ୍ୟବାଦରେ ରହିଛି ଏକ ନୂତନ ଧର୍ମର ଆକର୍ଷଣ ଏବଂ ବିସ୍ତାରିତ ଚିନ୍ତାଧାରା; କିନ୍ତୁ ଏହାର ଜଡ଼ବାଦୀ ଦର୍ଶନ, ଏହାର ବିସ୍ତାରିତ ନୂତନ ଚିନ୍ତାଧାରାକୁ ଶକ୍ତିମନ୍ତ କରିବା ପରିବର୍ତ୍ତେ ସ୍ଵୟଂ ତାହାର ବିରୁଦ୍ଧାଚରଣ କରୁଛି । ଏହି ବାଦବିବାଦର ଘାତ ପ୍ରତିଘାତ ଫଳରେ ମାନବ ସମାଜରେ ଘୃଣା, ସନ୍ଦେହ ଓ ବିଦ୍ୱେଷ ପ୍ରଭୃତି ମନସ୍ତାତ୍ତ୍ଵିକ ବୃତ୍ତିଗୁଡ଼ିକ ଉଦ୍ରେକ ହୋଇ ମାନବ ଆତ୍ମାକୁ ଦରିଦ୍ରରୁ ଦରିଦ୍ରତର ଅବସ୍ଥାକୁ ଆଣି ଆଧ୍ୟାତ୍ମିକ ଉନ୍ନତିରେ ଅନ୍ତରାୟ ସୃଷ୍ଟି କରେଇପାରିଛି । ବର୍ତ୍ତମାନର ହା–ହୁତାଶମୟ ମାନବ ସମାଜପାଇଁ ଏ ଜଡ଼ବାଦ ବା ପୌରାଣିକ ଛାୟାବାଦ ପ୍ରକୃଷ୍ଟ ପନ୍ଥା ନୁହେଁ । ବର୍ତ୍ତମାନର ମାନବ ସଭ୍ୟତା ଏକ ଘଡ଼ିସନ୍ଧି ସମୟଦେଇ ଗତି କରୁଛି । ଏହାପାଇଁ ଏକ ଯୌଗିକ ପରିବର୍ତ୍ତନର ଆବଶ୍ୟକତା ରହିଛି । ଧର୍ମ, ଯାହା କୁସଂସ୍କାର ବା ରୀତିନୀତିରେ ଆବଦ୍ଧ ନୁହେଁ, ଏପରି ଧର୍ମହିଁ ମନୁଷ୍ୟକୁ ନୂତନ ଉଦ୍ଭାବନଜନିତ ଜଡ଼ବାଦୀ ସଭ୍ୟତାର ଦାୟିତ୍ୱ ବହନପାଇଁ ପ୍ରସ୍ତୁତ କରାଇପାରିବ । ଆଜିର ସଭ୍ୟତା ମନୁଷ୍ୟକୁ ବିନା ଆୟାସରେ ଅନ୍ୟର ଚେଷ୍ଟାଲବ୍ଧ ଶକ୍ତି ଉପଭୋଗ କରିବାକୁ ସୁଯୋଗ ଦେଇଛି । ଏହି ଶକ୍ତି, ସୁଯୋଗର ସଦୁପଯୋଗ ନ ହୋଇପାରିଲେ ଧ୍ୱଂସ ଅନିବାର୍ଯ୍ୟ । ଧର୍ମହିଁ ମନୁଷ୍ୟକୁ ତା’ର ହୃତ୍‌ ବିଶ୍ଵାସ ପୁନଃ ପ୍ରତିଷ୍ଠା କରାଇ, ଇହକାଳରେ ଏକ ବ୍ୟକ୍ତିତ୍ଵ ଦେଇ ପରକାଳରେ ଏହି ବ୍ୟକ୍ତିତ୍ୱକୁ ଅବ୍ୟାହତ ରଖିବାରେ ସାହାଯ୍ୟ କରିପାରେ । ସ୍ଵାର୍ଥର ଅହେତୁକ ପ୍ରତିଯୋଗିତା ଫଳରେ ମ୍ରିୟମାଣ ସମାଜର ନବଜାଗରଣ ପାଇଁ ଏକ ନୂତନ ଚିନ୍ତାଧାରା ଆବଶ୍ୟକ । ନିଜର ସୃଷ୍ଟି, ସ୍ଥିତି ଓ ଭବିଷ୍ୟତର ଏକ ସଦ୍ୟ ନୂତନ ବ୍ୟାଖ୍ୟାହିଁ ମାନବ ହୃଦୟରେ ନୂତନ, ପ୍ରେରଣାର ସଞ୍ଚାର କରାଇପାରେ ।

 

ପଞ୍ଚମାଭୁତର ସମନ୍ୱୟରେ ମାନବ ଶରୀରର ସୃଷ୍ଟି । କ୍ଷିତ୍‌, ଅପ୍‌, ତେଜ୍‌, ମରୁତ, ବ୍ୟୋମର ସମାବେଶରେ ଏ ଶରୀର । ପୁଣି ବିଭିନ୍ନ ଶରୀର ମଧ୍ୟରେ ମାନବ ଶରୀରର ଉତ୍କର୍ଷତା-। କଚ୍ଛପ ରୂପ, ମୀନ ଶରୀର ମଧ୍ୟଦେଇ କଳ୍କୀ ଶରୀରର ବର୍ଣ୍ଣନା ଚିନ୍ତାକଲେ ହୃଦୟରେ ପୁଲକ ଜାଗେ । ପ୍ରତ୍ୟେକ ଅଣୁ, ପରମାଣୁର ଭିନ୍ନ ଭିନ୍ନ ସ୍ତର ଦେଇ ମାନବ ସୃଷ୍ଟିର ବିବର୍ତ୍ତନବାଦ କେବଳ ସ୍ଥୂଳ ବିଜ୍ଞାନୀକୁ ତଟସ୍ଥ କରିନି, ଏହା ଗଭୀର ଚିନ୍ତକ ଜ୍ଞାନୀ ତଥା ବିଜ୍ଞାନୀଙ୍କ ଚିନ୍ତାଧାରାକୁ ଆଲୋକିତ କରିଛି । ସାମାନ୍ୟ ଏକ ଦୂର୍ବାଦଳର ଉତ୍ପତ୍ତି, ସ୍ଥିତି ଓ ଲୟ ଚିନ୍ତା କରନ୍ତୁ । କି ରଙ୍ଗ ଓ କି ରୂପରେ ଏହାର ଆବିର୍ଭାବ ଏବଂ ଶେଷରେ ଖାଦ୍ୟ ରୂପରେ ଏକ ଅପେକ୍ଷାକୃତ ଶ୍ରେଷ୍ଠ ଜୀବ ମଧ୍ୟରେ ଏହାର ବିଲୟ ! ବୃକ୍ଷର ଗୋଟିଏ ଫଳ । କଳି ଓ ପୁଷ୍ପରୁ ଏହାର ସୃଷ୍ଟି, ପରେ ଏହାର ସ୍ଵରୂପ ଏବଂ କ୍ରମେକ୍ରମେ ପରିପକ୍ୱତା ନୟନଗ୍ରାହୀ ଲୋହିତ ବା ପୀତ ରଙ୍ଗ, ମଧୁର ଗନ୍ଧଦ୍ଵାରା ଆମନ୍ତ୍ରଣ ଏବଂ ଶେଷରେ ଅନ୍ୟର ତୃପ୍ତିରେ ନିଜର ପରିସମାପ୍ତି । ଏଗୁଡ଼ିକ ନିତ୍ୟନୈମିତ୍ତିକ ଘଟଣା କିନ୍ତୁ ସାମାନ୍ୟ ଅନ୍ତର୍ଦୃଷ୍ଟିରେ ଏହା ବିଚିତ୍ର ପ୍ରଭାବଶାଳୀ ଓ ଅସାମାନ୍ୟ ପ୍ରକ୍ରିୟା ! ଏକ ବିବର୍ତ୍ତନ ପ୍ରକ୍ରିୟାରୁ ମାନବର ବିଭିନ୍ନ ରଙ୍ଗ, ଭାଷା ଓ ସମାଜର ସୃଷ୍ଟି ଅଥଚ ବାହ୍ୟିକ କି ଅସାମଞ୍ଜସ୍ୟ, କି ପ୍ରତିଯୋଗିତା !! ଗତିଶୀଳ ପ୍ରତି ସ୍ଥାଣୁର କି ଆବେଦନ ! ମୂକ ଓ ବାଙ୍ମୟ ମଧ୍ୟରେ କି ମଧୁର ସମ୍ପର୍କ ! ବାସ୍ତବରେ ଏହାର ଚିନ୍ତା ମନରେ ଆଣେ ଚମତ୍କାର ଭାବ, ସତେ ଯେପରି ଏକ କୃତ୍ରିମ ପରିଧି ଲଙ୍ଘି ଚେତନା ଏକ ନୈସର୍ଗିକ ବଳୟ ଛୁଇଁ ଚାଲିଛି-। ଏହି ପରିପ୍ରେକ୍ଷୀରେ ବିଖ୍ୟାତ ସୁଫି ଦାର୍ଶନିକ ରୁମିଙ୍କର ଚିନ୍ତାଧାରା ମନରେ ଜାଗେ :

 

‘‘Low in the earth

I live in the realms of ore and stone

and then I smiled in many

linted flowers

Then roving with the wild and

wondering hours;

Over Earth, Air & Oceans’ zone.

In a new birth

I dived and flew

And crept and ran

And all the secrets of my

essence drew

Within a form that brought them

all to view and low a man;

And then my goal, beyond the

clouds and beyond the sky

In realms where none may

change or die :

In angel form and then away

Beyond the bounds of night and day

And life and death unseen or seen

When all that is hath ever been

as one and whole’’

 

ଗଲା କେତେକାଳ ବିତି ବସୁଧାର ତଳେ

ମାଟି ଗୋଡ଼ି ସୁନା ରୁପା ଖଣିଜର ମେଳେ

ବିକଶିଲି ନବରଙ୍ଗେ ଫୁଲର ସମ୍ଭାରେ

ଯୁଗଯୁଗ ଗଲାପୁଣି ବନେ ନିକାଞ୍ଚନେ

ସାଗରେ ଭୂଧରେ ଏକ ନୂତନ ରୂପରେ ।

ଭିଡ଼ି ଭିଡ଼ି ବୁଡ଼ି ମୀନ କଚ୍ଛପ ଶରୀରେ ।

ପ୍ରକଟିଲା ଗୌରବ ଏକ ସୌରଭ

ଅପ୍ରାକୃତ ଦୁର୍ଲଭ ଏ ମାନବ ଶରୀରେ ।

ଅଫୁରନ୍ତ ଆଶା ମୋର ପ୍ରକାଶି କେମନ୍ତେ

ନାହିଁ ଯହିଁ ରୋଗ ଶୋକ ଜରା ମୃତ୍ୟୁ ଭୟ

ନାହିଁ ଯହିଁ ଦିବାରାତ୍ରୀ ଜୟ ପରାଜୟ

ଆତ୍ମା ମୋ ଲୀନ ବିଲୀନ ଅନାଦି ଅନନ୍ତେ ।

Image

 

ଯୁଗଜ୍ୟୋତି

 

କାରିଗର ନିଜ କୃତ ପ୍ରତିମାର ସୌଷ୍ଠବ ବୃଦ୍ଧିପାଇଁ ଯେପରି ଘନଘନ ନିହାଣ ଚଳାଏ, ସ୍ରଷ୍ଟା ସେହିପରି ସମ୍ଭବତଃ ଆମପାଇଁ କରନ୍ତି । ନିଜ ରଙ୍ଗରେ ରଙ୍ଗି ମାନବ ସମାଜକୁ ସୃଷ୍ଟିରେ ଶ୍ରେଷ୍ଠ କରିବାପାଇଁ, ଦୁଃଖ, ଦୈନ୍ୟ, କ୍ଳାନ୍ତ, ଦ୍ଵନ୍ଦ୍ୱ, ଅବସାଦ ପରାଜୟର ତୀକ୍ଷ୍ଣ ନିହାଣଦ୍ୱାରା ଅତି କଠୋର ଆଘାତ ଦିଅନ୍ତି ସେ । ଅଷ୍ଟମ ଗର୍ଭଧାରୀ ଦେବକୀଙ୍କର ମାନସିକ ଅବସ୍ଥା ଗର୍ଭସ୍ଥ ଭ୍ରୁଣ ଉପରେ କି ପ୍ରଭାବ ବିସ୍ତାର କରିଥିବ ତାହା ମନସ୍ତତ୍ୱବିତ୍‌ ବିଚାର କରିବେ ବା ଉଜାଣି ଯମୁନା ଅତିକ୍ରମରତ ଭୟଭୀତ ପିତା ବାସୁଦେବଙ୍କ କ୍ରୋଡ଼ସ୍ଥ ସଦ୍ୟଜାତ ଶିଶୁ ଉପରେ ସେତେବେଳର ପାରିପାର୍ଶ୍ୱିକ ଅବସ୍ଥା କି ପ୍ରଭାବ ପକାଇଥିଲା, ତା’ର ମଧ୍ୟ କୌଣସି ଉଲ୍ଲେଖ ନାହିଁ । ପରେ ପରେ କିଶୋର ଓ ପୌଗଣ୍ଡ ଅବସ୍ଥାର ଦୁଃଖ, ନିନ୍ଦା, ଶତ୍ରୁଭୟ, ହତ୍ୟାର ଅପଚେଷ୍ଟା, ଅତି ଜଣାଶୁଣା କଥା ପରବର୍ତ୍ତୀ କାଳରେ ଅତି ପବିତ୍ର ଅନ୍ତଃସତ୍ତ୍ଵା ଚିରକୁମାରୀ ମରିୟମଙ୍କ ପ୍ରତି ତାଚ୍ଛଲ୍ୟ ଘୃଣା ତାଡ଼ନା ସାଧାରଣ ଶିଷ୍ଟାଚାରର ସୀମାରେ ମଧ୍ୟ ଆବଦ୍ଧ ନଥିଲା । ମକ୍କା ନଗରୀର ସତୀ ବିଧବା ଅମୀନାଙ୍କ ମାନସିକ ଅବସାଦ, ପରବର୍ତ୍ତୀ କାଳରେ ପିତୃହୀନ ଶିଶୁ ମହମ୍ମଦଙ୍କ ଚରିତ୍ରରେ କି ପ୍ରଭାବ ପକାଇଥିଲା, ତାହା ଅନୁଧ୍ୟାନର ବିଷୟ । ବଡ଼ବାପା ଅବୁ ତାଲିବ ତାଙ୍କୁ ଅତି ସ୍ନେହ କରୁଥିଲେ ମଧ୍ୟ ବଡ଼ମା’ ତାଙ୍କ ପ୍ରତି ସ୍ନେହୀ ନଥିଲେ । ନିଜ ପୁତ୍ରକନ୍ୟାଙ୍କୁ କୌଣସି ପଦାର୍ଥ ଦେବା ସମୟରେ, ସେ ଶିଶୁ ମହମ୍ମଦଙ୍କୁ ଭୁଲି ଯାଉଥିବାର ଲକ୍ଷ୍ୟ କରି ଅବୁତାଲିବ୍‌ ମହମ୍ମଦଙ୍କୁ ଆଲିଙ୍ଗନ କରି ‘ମୋର ଏ ପିଲାଟିକୁ ପାଶୋରି ଦିଅନି’ ବୋଲି କଟାକ୍ଷ କରୁଥିଲେ । ଆରବର ପ୍ରଚଳିତ ପ୍ରଥା ଅନୁସାରେ ତାଙ୍କର ସମସାମୟିକ ଶିଶୁମାନେ ଗ୍ରାମାଞ୍ଚଳରେ ଧାତ୍ରୀ ଗୃହରେ ଲାଳିତପାଳିତ ହେଉଥି‌ଲେ, ବେଗବାନ୍ ଅଶ୍ଵ ଓ ଓଟରେ ଧାଈମାନେ ସହରକୁ ଆସି ଧନ ଲୋଭରେ ଅମିର ଘରର ଶିଶୁମାନଙ୍କୁ ସ୍ତନ୍ୟପାନ୍ୟ କରାଇବା ଉଦ୍ଦେଶ୍ୟରେ ନେଇଯାଉଥିଲେ । ପିତୃମାତୃହୀନ ପ୍ରତି ଦୃଷ୍ଟି ଦେଉଛି କିଏ ? ଗରିବ ବୟସ୍କା ହାଲିମା ଯାନବାହନ ଅଭାବରେ ବୃଦ୍ଧ ଓଟରେ ଆସି ପାଇଲା ମାତୃହୀନ ମହମ୍ମଦଙ୍କ ସେବାର ସୌଭାଗ୍ୟ ନିଆଁରେ ପଡ଼ି ସୁନା ଅଧିକ ଉଜ୍ଜ୍ୱଳ ହେଲାପରି, ବହୁ ବିଷାଦମୟ ଅଭିଜ୍ଞତା ମହାପୁରୁଷମାନଙ୍କ ଚରିତ୍ରକୁ ଦୃଢ଼ରୁ ଦୃଢ଼ତର କରିଥାଏ । ଷଷ୍ଠ ଶତାବ୍ଦୀର ଆରବ ଦେଶର ସାମାଜିକ ଅବସ୍ଥା ପ୍ରତି ମହମ୍ମଦଙ୍କ ପ୍ରତିକ୍ରିୟା ସମାଜର ନେତୃସ୍ଥାନୀୟ ବ୍ୟକ୍ତିଙ୍କ ପ୍ରତି ଏକ ଆହ୍ୱାନରେ ପରିଣତ ହେଲା । ଧନୀ ଓ ନିର୍ଦ୍ଧନ ମଧ୍ୟସ୍ଥ ତାରତମ୍ୟ, କ୍ରୀତଦାସ ପ୍ରଥା, ମଦ୍ୟପାନ, ନାରୀ ନିର୍ଯାତନା ଅତି ସାଧାରଣ ଘଟଣାରୂପେ ଗୃହୀତ ହେଉଥିଲା । ବିଭିନ୍ନ ଦଳ ସମ୍ପ୍ରଦାୟ ଭୁକ୍ତ ମରୁଭୂମିର ଭ୍ରାମ୍ୟମାଣ ଯାଯାବର ଗୋଷ୍ଠୀ ଦୁର୍ବଳ ଗୋଷ୍ଠୀକୁ ପରାଜିତ କରି କ୍ରୀତଦାସରୂପେ ନିର୍ଯାତନା ଦେଉଥିଲେ । ବହୁ ଦାର ଗ୍ରହଣ, ଧନଗାରିମାର ଅଯଥା ଆସ୍ଫାଳନ ଏକ ଅତି ପ୍ରଶଂସନୀୟ ସାମାଜିକ ପ୍ରଥାରୂପେ ବିବେଚିତ ହେଉଥିଲା । ମାନବ ସୃଷ୍ଟିର ଲକ୍ଷ୍ୟ ଭୁଲି ମାନବିକତାର ଅବମାନନାରେ, ପ୍ରାଚୁର୍ଯ୍ୟର ଅପପ୍ରୟୋଗରେ, ଆରବ ଦେଶ ଥିଲା କଳୁଷିତ । ଉପାସନା ପାଇଁ ମହାପୁରୁଷ ବ୍ରହ୍ମଜ୍ଞାନୀ ଆବ୍ରାହମଙ୍କ ସ୍ଵହସ୍ତ ନିର୍ମିତ କାବା ମନ୍ଦିରରେ କ୍ରମେ ସ୍ଥାନ ପାଇଲେ ୩୬୦ଟି ଦେବଦେବୀ ଓ ପୂର୍ବପୁରୁଷଙ୍କର ମୂର୍ତ୍ତି, ଯାହା ଉଦ୍ଦେଶ୍ୟରେ ପଶୁବଳି ଛଡ଼ା ଉଲଗ୍ନ ନରନାରୀ କରତାଳି ଦେଇ ପ୍ରଦକ୍ଷିଣ କରିବା ପ୍ରଥା ପ୍ରଚଳିତ ଥିଲା ।

 

ଏହିପରି ଏକ ସମାଜରେ ପରିପୁଷ୍ଟ ମହମ୍ମଦ, ଚିନ୍ତାକଲେ, ଏ ପ୍ରଥାର ବୈଧତା ସମ୍ବନ୍ଧରେ । ଶୈଶବ ଅବସ୍ଥାରୁ ନିଜର ସ୍ଵଭାବପାଇଁ ସମସ୍ତ ଆରବ ସମାଜରେ ମହମ୍ମଦଙ୍କର ପ୍ରତିଷ୍ଠାଥିଲା । ଲୋକେ ତାଙ୍କୁ ‘ଅମୀନ୍‌’ ବା ସତ୍ୟବାଦୀ ବୋଲି ଗଣନା କରୁଥିଲେ । କିନ୍ତୁ ଏପରି ପରମ୍ପରାକୁ ପରିତ୍ୟାଗ କରି ଶୁଦ୍ଧପୂତ ଜୀବନଯାପନ ପାଇଁ ସେ ଯେତେବେଳେ ଭଗବତ୍‌ ନିର୍ଦ୍ଦେଶ ପାଇଲେ ବୋଲି ଘୋଷଣା କଲେ ସମାଜପତିମାନେ ତାଙ୍କୁ ପାଗଳ ଆଖ୍ୟାଦେଲେ । ଆରବର ଧନୀ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କୁ କହିଲେ ‘ତୁମେ ଯଦି ଆରବର ସମ୍ରାଟ ହେବାକୁ ଇଚ୍ଛା କରୁଛ, ଆମେ ତାହା ଗ୍ରହଣ କରୁଛୁ । ଆରବର ଯେକୌଣସି ସୁନ୍ଦରୀ କନ୍ୟା ଲାଭ ଯଦି ତୁମର ଅଭିଳାଷ ଥାଏ, ତେବେ ତାହା ମଧ୍ୟ ଅର୍ପଣ କରୁଛୁ । କିନ୍ତୁ ତୁମେ ଆମର ପରମ୍ପରା ପ୍ରତି ବିଦ୍ୱେଷ ତ୍ୟାଗ କର-।’ ଏଥିରେ ସଫଳ କାମ ନ ହୋଇ ଏ ସମାଜପତିମାନେ ମହମ୍ମଦଙ୍କ ପିତୃବ୍ୟ ଅବୁତାଲାବଙ୍କ ପାଖରେ ଅଭିଯୋଗ କଲେ, ମହମ୍ମଦଙ୍କୁ ଏଥିରୁ କ୍ଷାନ୍ତ କରାଇବା ପାଇଁ, ନଚେତ୍‌ ଗୁରୁତର ପରିଣତି ଭୋଗିବାର ପ୍ରଚ୍ଛନ୍ନ ଧମକ ଦେଲେ । ପିତୃବ୍ୟ ମହମ୍ମଦଙ୍କୁ ଏ ବିଷୟରେ ଅନୁରୋଧ କରନ୍ତେ ଛଳଛଳ ଆଖିରେ ଓ ଭାବଗଦଗଦ କଣ୍ଠରେ ମହମ୍ମଦ ଉତ୍ତର ଦେଲେ, ‘ହେ ପିତୃବ୍ୟ-! ମୁଁ ଆପଣଙ୍କଦ୍ୱାରା ଆଜନ୍ମ ପ୍ରତିପାଳିତ । ଆପଣଙ୍କର ସମସ୍ତ ଆଜ୍ଞା ମୁଁ ପାଳନ କରିବାକୁ ପ୍ରସ୍ତୁତ ଅଛି-। କିନ୍ତୁ ମୋର ଏକ ହାତରେ ସୂର୍ଯ୍ୟ ଓ ଅନ୍ୟ ହାତରେ ଚନ୍ଦ୍ର ଧରାଇ ଦେଲେ ସୁଦ୍ଧା ଈଶ୍ୱର ଆଦେଶ ଲଙ୍ଘନ କରି ପାରିବି ନାହିଁ । ମୋତେ ଏପରି ଅନୁରୋଧ ଓ ଆଦେଶ କରିବାରୁ କ୍ଷାନ୍ତ ହୁଅନ୍ତୁ-। କୋରାନ୍‌ରେ ତାଙ୍କ ପ୍ରତି ଭଗବତ ଆଦେଶ ଥିଲା ‘ଓ ମା’ ଅର୍‌ସଲନକା ଇଲ୍ଲା ରହେମତୁଲ୍‌ ଲିଲ୍‌ଆଲମିନ୍‌’ ଅର୍ଥାତ୍‌ ତୁମକୁ ସମସ୍ତ ବିଶ୍ୱପାଇଁ କଲ୍ୟାଣକାରୀ ଭାବରେ ପ୍ରେରଣ କରିଛୁ । ବିଶ୍ୱର କଲ୍ୟାଣ ଯାହାର ଉଦ୍ଦେଶ୍ୟ, ଦଳୀୟ ସ୍ୱାର୍ଥରେ ସେ ଜଡ଼ିତ ହେବ କିପରି ? ଜଗତକର୍ତ୍ତା ଜଗନ୍ନାଥ କେବଳ ଏକ ଦେଶର ଏକ ଦଳର ବା ଗୋଷ୍ଠୀର ନୁହନ୍ତି । ସମସ୍ତ ବ୍ରହ୍ମାଣ୍ଡରେ ତାଙ୍କର ଆଧିପତ୍ୟ । କ୍ଷୁଦ୍ରାଦପି କ୍ଷୁଦ୍ର କୀଟ; ବିସ୍ତୀର୍ଣ୍ଣ ସମୁଦ୍ରର ଜଳରାଶି ଆକାଶର ଚନ୍ଦ୍ର, ସୂର୍ଯ୍ୟ, ଅଗଣିତ ତାରକା, ରଙ୍ଗରଙ୍ଗର ପତ୍ରପୁଷ୍ପ ଫଳ, ପ୍ରତ୍ୟେକ ଅଣୁ ପରମାଣୁରେ ଦୈବୀ ଶକ୍ତିର ପରିବ୍ୟାପ୍ତି ଦୃଷ୍ଟିରୁ ପ୍ରତ୍ୟେକ ମାନବ କାହିଁକି ପ୍ରତ୍ୟେକ ଜୀବ, ପ୍ରତ୍ୟେକ ବସ୍ତୁ ଏକ ଅପରର ଅତି ଘନିଷ୍ଠ । ଅତି ଆପଣାର ।

 

ପିଲାଟି ଦିନରୁ ଧୀର ଚିନ୍ତାଶୀଳ ଓ ସତ୍ୟବାଦୀ ବୋଲି ସାରା ଆରବ ଦେଶ ତାଙ୍କୁ ‘ଅମୀନ୍‌’ ବୋଲି କହୁଥିଲେ । ତାଙ୍କୁ ପାଗଳର ଆଖ୍ୟାଦେଇ ମକ୍କାର ଦାମ୍ଭିକ ସମାଜପତିମାନେ ପରବର୍ତ୍ତୀ ସମୟରେ ନିଜେ ନିଜେ ଉନ୍ମାଦ ବୋଲି ପ୍ରମାଣିତ ହୋଇଥିଲେ । ସେମାନଙ୍କର ସ୍ୱାର୍ଥରେ ବାଧା ଉପୁଜିବାରୁ ବିଭେଦ ଓ ବିରୋଧର ସୂତ୍ରପାତ ହେଲା ।

 

ନାନା ବାଧାବିଘ୍ନ ଶାରୀରିକ କଷ୍ଟ ଓ ପ୍ରଲୋଭନ ସହ୍ୟ କରିବାକୁ ପଡ଼ିଥିଲା ଏହି ମହାପୁରୁଷ ଓ ତାଙ୍କର ସହଯୋଗୀମାନଙ୍କୁ । ଜଏଦ୍‌, ବିଲାଲ୍‌ ପ୍ରଭୃତି ମୁକ୍ତ ନିଗ୍ରୋ କ୍ରୀତଦାସ ଓ ସଙ୍ଗୀମାନଙ୍କର ହାତଗୋଡ଼ ବାନ୍ଧି ଗରମ ବାଲି ଉପରେ ଟାଣି ଟାଣି ମଝିଦାଣ୍ଡରେ ପକାଇ ଦିଆଯାଉଥିଲା । ଦୋଷ କେବଳ ଗୋଟିଏ ବାକ୍ୟର ଉଚ୍ଚାରଣ ।

 

‘ଲା ଇଲାହା ଇଲଲଲ୍‌ଲା ମହମ୍ମଦୁର ରସୁଲ ଲଲ୍‌ହା’ ଅର୍ଥାତ୍ କେବଳ ଈଶ୍ଵରଙ୍କ ଛଡ଼ା ଅନ୍ୟ ଈଶ୍ଵର ନାହିଁ । ମହମ୍ମଦ ତାଙ୍କର ଆଜ୍ଞାବହ । ଅନେକ ନିର୍ଯାତନା ସହ୍ୟକଲା ଉତ୍ତାରୁ ଭଗବାନଙ୍କ ନିର୍ଦ୍ଦେଶ ପାଇ ମହମ୍ମଦ ଓ ତାଙ୍କର ସହଧର୍ମୀ ଜନ୍ମସ୍ଥାନ ମକ୍କା ପରିତ୍ୟାଗ କରି ମଦିନା ନଗରୀର ଅନୁକୂଳ ବାତାବରଣ ଲାଭକଲେ । ମଦିନାବାସୀ ଏହି ‘ମହାଜରିନ’ ବା ଶରଣାର୍ଥୀମାନଙ୍କୁ ସ୍ଵାଗତ କରି ସାହାଯ୍ୟ ଓ ସହାନୁଭୂତିର ଯେଉଁ ଚରମ ଦୃଷ୍ଟାନ୍ତ ଦେଇ ଯାଇଛନ୍ତି ତାହା ଇତିହାସରେ ବିରଳ । ନିଜର ଘରଦ୍ୱାର ଜମି, ବାଡ଼ି, ବଗିଚା, ଏପରିକି ବହୁଦାର ଅଭ୍ୟସ୍ତ ଆରବ ନିଜର ସ୍ତ୍ରୀଙ୍କୁ ମଧ୍ୟ ଏମାନଙ୍କ ସେବାରେ ଉତ୍ସର୍ଗ କରି ‘ଅନ୍‌ସାର’ ବା ସେବକ ସାହାଯ୍ୟକାରୀ ଆଖ୍ୟାରେ ଭୂଷିତ ହୋଇଛନ୍ତି । ପରସ୍ପର ପ୍ରତି ଏହି ସମବେଦନା ଏପରି ଚରମ ସୀମାରେ ପହଞ୍ଚିଥିଲା ଯେ ମଦିନାବାସୀଙ୍କ ସ୍ଵାର୍ଥହାନୀ ଆଶଙ୍କାରେ ପରବର୍ତ୍ତୀକାଳରେ କୋରାନ୍ ଗ୍ରନ୍ଥରେ ଏଭଳି ପ୍ରଥାକୁ ପରମ୍ପରାରୂପେ ଗ୍ରହଣ କରିବାକୁ ନିଷେଧ ଆଜ୍ଞା କରାଗଲା । ସର୍ବଦା ଧର୍ମର ଜୟ ହୋଇଛି ସତ୍ୟ ପ୍ରତିଷ୍ଠା ପାଇଛି । ହିଂସା ପ୍ରଣୋଦିତ ତରବାରି ଖଣ୍ଡଖଣ୍ଡ ହୋଇ ନିଜର ଭଙ୍ଗୁରତାର ପ୍ରମାଣ ଦେଇଛି । ଏହି ମହାପୁରୁଷଙ୍କର ଜୀବନୀର ମାତ୍ର କେତୋଟି କଥା ଘଟଣାରୁ ଉଲ୍ଲେଖ କରି ମୋର କଥା ଶେଷ କରୁଛି ।

 

ମଦିନା ଆଗମନପରେ ମକ୍କାବାସୀ ଚକ୍ରାନ୍ତକରି ଏକାଧିକବାର ଯୁଦ୍ଧର ଆହ୍ୱାନ ଦେଇଛନ୍ତି ଏବଂ ପ୍ରତ୍ୟେକ ଥର ନିଜର ଅନିଚ୍ଛା ସତ୍ତ୍ୱେ‌ କେବଳ ଈଶ୍ଵର ନିର୍ଦ୍ଦେଶରେ ଆତ୍ମରକ୍ଷା ପାଇଁ ଶତ୍ରୁ ତୁଳନାରେ ଅତି ନଗଣ୍ୟ ଅସ୍ତ୍ରଶସ୍ତ୍ର ଓ ସ୍ଵେଚ୍ଛାସେବୀଙ୍କୁ ନେଇ ସୁସଜ୍ଜିତ ସେନାର ସମ୍ମୁଖୀନ ହେବାକୁ ପଡ଼ିଥିଲା ଏହି ଯୁଗଜନ୍ମା ମହାପୁରୁଷଙ୍କୁ । * ବଦର୍‌ ଯୁଦ୍ଧରେ ମକ୍କାର ଅବୁଜହଲ୍‌ର ନେତୃତ୍ୱରେ ଏକ ପକ୍ଷରେ ଏକ ସହସ୍ର ସୁସଜ୍ଜିତ ସୈନ୍ୟ ଓ ଅପରପକ୍ଷରେ ଦୁଇଟି ଅଶ୍ଵସହ ତିନିଶହ ତେରଜଣ ଈଶ୍ୱର ବିଶ୍ଵାସୀ ସ୍ଵେଚ୍ଛାସେବୀଙ୍କର ଆତ୍ମରକ୍ଷା । ବଦର୍‌ ପରେ * ଓହୁଦ୍‌ ଓ ପରେ * ହୁନାଏନଠାରେ ଉଭୟ ପକ୍ଷ ମଧ୍ୟରେ ତୁମୂଳ ସଂଗ୍ରାମ ହୋଇଛି । କିନ୍ତୁ ମହାଭାରତ ଯୁଦ୍ଧରେ ମାନୀ ଦୁର୍ଯୋଧନର ଦମ୍ଭ ଧ୍ଵଂସ ହେଲାପରି, ସମାଜପତି ଅବୁ ସୁଫିୟାନ୍‌, ଅବୁଜହଲ୍‌ଙ୍କୁ ସମ୍ମାନ ହୀନ ମୃତ୍ୟୁ ଅଥବା ପରାଜୟର ଗ୍ଳାନି ସ୍ଵୀକାର କରିବାକୁ ପଡ଼ିଛି । ଶେଷରେ ମକ୍କା ନଗରୀର ଅନୁତପ୍ତ ଜନତା ବିନା ଯୁଦ୍ଧରେ ବିନା ରକ୍ତପାତରେ ସ୍ଵାଗତ କରିଛି ଅତୀତର ସେଇ ପଳାତକ ଲାଞ୍ଛିତ ଶରଣାର୍ଥୀବୃନ୍ଦଙ୍କୁ । ବଦର ଯୁଦ୍ଧରେ ମକ୍କାର ଯେଉଁ ସୈନ୍ୟମାନଙ୍କୁ ବନ୍ଦୀ କରାଯାଇଥିଲା ସେମାନଙ୍କୁ ସ୍ୱାଧୀନତା ଅର୍ପଣ କରାଗଲା ଗୋଟିଏ ସର୍ତ୍ତରେ ଯେଉଁମାନେ ଶିକ୍ଷିତ, ସେମାନେ ଯେପରି ଫେରିଯାଇ ପ୍ରତ୍ୟେକେ ଦଶଟି ବ୍ୟକ୍ତିଙ୍କୁ ଲେଖାପଢ଼ା ଶିକ୍ଷା ଦିଅନ୍ତି । ବନ୍ଦୀର ହତ୍ୟା ବା କ୍ରୀତଦାସରେ ପରିଣତ କରିବା ଯେଉଁ ସମୟର ପ୍ରଥା, ସେତେବେଳେ ମୁକ୍ତି ଦେବାର କି ଅଭିନବ ସର୍ତ୍ତ !

 

* ଆରବ ମରଭୂମିର ଏକ ଏକ ସ୍ଥାନ ବିଶେଷ

 

ବଦର ଯୁଦ୍ଧରେ ଜୟୀ ମହମ୍ମଦ ଓ ସଙ୍ଗୀ ଅବୁଦର ଦୁଃଖରେ ମ୍ରିୟମାଣ ହେବାର ଦେଖି ଅନ୍ୟ ଏକ ସଙ୍ଗୀ ପରବର୍ତ୍ତୀ କାଳର ଖଲିଫା ଉମର ପ୍ରଶ୍ନ କଲେ, ‘ହେ ଈଶ୍ଵର ଦୂତ, ଆପଣ ବିଜୟୀ ହୋଇ ସୁଦ୍ଧା ଏପରି ବିଷଣ୍ଣ ହେବାର କାରଣ କ’ଣ ବ୍ୟକ୍ତ କରି ଅନ୍ତତଃ ମୋତେ ଆପଣଙ୍କ ଦୁଃଖରେ ସମବେଦନା ଜଣାଇବାର ସୁଯୋଗ ଦିଅନ୍ତୁ ।’ କିଛିକ୍ଷଣ ନୀରବରହି ମହମ୍ମଦ ବନ୍ଦୀ ଓ ଯନ୍ତ୍ରଣା ବ୍ୟାକୁଳ ମକ୍କାର ସୈନ୍ୟଙ୍କ ପ୍ରତି ଦୃଷ୍ଟିଆକର୍ଷଣ କରି କହିଲେ ‘ଈଶ୍ଵର ଆଜ୍ଞା ଅମାନ୍ୟର କି ଭୟାବହ ପରିଣତି ହୋଇପାରେ, ତାହା ଦେଖି ମୁଁ ମର୍ମାହତ ।’

 

ପରବର୍ତ୍ତୀ କାଳରେ ପ୍ରାଚୁର୍ଯ୍ୟ ମଧ୍ୟରେ ସୁଦ୍ଧା ଅତି ସରଳ ଓ ନିରାଡ଼ମ୍ବର ଜୀବନ ଥିଲା ଏହି କ୍ଷଣଜନ୍ମା ପୁରୁଷଙ୍କର । ତାଙ୍କର ପତ୍ନୀ ଆଏଶା କହନ୍ତି ‘ଦିନ ଦିନ ଧରି ଘରେ ରନ୍ଧାବଢ଼ା ମଧ୍ୟ ହୋଇ ପାରେନା ଶୁଖିଲା ଖଜୁରିରେ ଦିନ କଟିଯାଏ ।’ ଏକଥା ଶୁଣି ଓ ତାଙ୍କର ଅତି ସାଧାରଣ ପୋଷାକ ପତ୍ର ଦେଖି କେହି କେହି ବନ୍ଧୁ ଏ ବିଷୟରେ ପଚାରିଲେ ଉତ୍ତର ମିଳେ, ‘ତୁମେ କ’ଣ ଚାହଁନା ଯେ ମୁଁ ତୁମମାନଙ୍କ ସଙ୍ଗେ ଏକ ଶ୍ରେଣୀବଦ୍ଧ ହୋଇ ରହେ ।’ ଧନ ସମ୍ପତ୍ତି ହାତକୁ ଆସିଲେ ଏହି ରାଜର୍ଷି ଅକୁଣ୍ଠିତ ଚିତ୍ତରେ ସମସ୍ତ ବିତରଣ କରି ଅଭାବ ଅନାଟନରେ ଦିନ ଅତିବାହିତ କରି ଦିନେହେଲେ ନିଜ ଆଦର୍ଶରୁ ବିଚ୍ୟୁତ ହୋଇ ନଥିଲେ । ଧନ, ମାନ, ଯଶ ଅଥବା ଦାରିଦ୍ର୍ୟ ତାଙ୍କର ଚରିତ୍ର ଉପରେ କୌଣସି ପ୍ରଭାବ ପକାଇ ପାରି ନଥିଲା । ବରଂ ଅନାଟନ ଓ ଦାରିଦ୍ର୍ୟକୁ ସେ ଭଗବାନଙ୍କ କରୁଣାରୂପେ ଗ୍ରହଣ କରୁଥିଲେ ।

 

ଓହୁଦ୍‌ ଯୁଦ୍ଧରେ ନିହିତ ନିଜର ଏକ ପିତୃବ୍ୟ ହମ୍‌ଜାଙ୍କର ଖଣ୍ଡିତ ମୃତ ଦେହକୁ ଦେଖି ମହମ୍ମଦ ଥରଥର କଣ୍ଠରେ ନିଜର ସହଚରକୁ କହିଲେ ‘ଶବପ୍ରତି ଶତ୍ରୁର ଏ ନିର୍ଦ୍ଦୟ ଆଚରଣ ଦେଖି, ଏହାର ପ୍ରତିଶୋଧ ନେବାର ଲିପ୍ସା ଜାଗ୍ରତ ହେଲେ ମଧ୍ୟ ଏହା ଈଶ୍ଵର ଓ ଈଶ୍ଵର ଆଜ୍ଞାର ପ୍ରତିକୂଳ ।’ ମକ୍କାର ସେନାପତି ଅବୁ ସୁଫିୟାନ୍‌ର ସ୍ତ୍ରୀ ହିନ୍ଦା ଯୁଦ୍ଧ ସମୟରେ ଗୀତ ଗାଇ ଗାଇ ନିଜ ପକ୍ଷର ସୈନ୍ୟଙ୍କୁ ପ୍ରେରଣା ଦେଉଥିଲା ଏବଂ ପୂର୍ବବର୍ଣ୍ଣିତ ହମ୍‌ଜାଙ୍କୁ ଯୁଦ୍ଧରେ ନିହତ ହେବାର ଦେଖି, ଏହି ନରମାଂସ ଲୋଭୀ ପରଶ୍ରୀକାତର ହିନ୍ଦା ମୃତ ହମ୍‌ଜାଙ୍କର ହୃତ୍‍ପିଣ୍ଡ କାଟି କଞ୍ଚା ଚୋବାଇ ଦେଇଥିଲା । ମକ୍କା ବିଜୟ ସମୟରେ ହିନ୍ଦା ନିଜକୁ ଲୁଚାଉଥିବାର ଦେଖି ମହମ୍ମଦ କହିଥିଲେ ‘ହିନ୍ଦା ନିଜକୁ ଲୁଚାଉଛ କାହିଁକି ? ତୁମକୁ ମଧ୍ୟ ଈଶ୍ୱର କ୍ଷମା ଦେଇଛନ୍ତି । ଅନୁତାପ କର-।’ ଥରେ ଚୋରୀ ଅପରାଧରେ ଅଭିଯୁକ୍ତ ଜଣେ ସମ୍ଭ୍ରାନ୍ତ ବଂଶୀୟ ମହିଳାଙ୍କ ମୁକ୍ତିପାଇଁ କେତେକ ସଙ୍ଗୀ ସୁପାରିସ୍ କରନ୍ତେ ମହମ୍ମଦ ମନ୍ତବ୍ୟ ଦେଲେ ‘ଯଦି ଏ ଅପରାଧ ମୋର ଝିଅ ଫାତିମା କରିଥାନ୍ତା ତେବେ ତାକୁ ସୁଦ୍ଧା ଉପଯୁକ୍ତ ଦଣ୍ଡ ଦିଆଯାଆନ୍ତା । ମନେରଖ ବିଚାରରେ ପ୍ରିୟାପ୍ରୀତି, ପକ୍ଷପାତ ତୁମ ପୂର୍ବରୁ ବହୁ ସମାଜକୁ ଧ୍ଵଂସ କରିଛି । ନ୍ୟାୟରେ ହସ୍ତକ୍ଷେପ କରିବା ବିଧେୟ ନୁହେଁ-। ଖଏବର ବିଜୟ ପରେ ଜଣେ ସ୍ତ୍ରୀ ମାଂସରେ ବିଷ ଗୋଳି ମହମ୍ମଦଙ୍କୁ ଭୋଜନ କରିବାକୁ ଦେଇଥିଲା । ପାଟିରେ ଦେଉ ଦେଉ ସେ ତାହା ଫିଙ୍ଗି ଦେଲେ । ସ୍ତ୍ରୀଲୋକଟିକୁ ଏ ସମ୍ବନ୍ଧରେ ପଚାରିବାରୁ ସେ ଉତ୍ତର ଦେଲା ‘ତୁମେ ମୋର ସମ୍ପ୍ରଦାୟକୁ ପରାଜିତ ଓ ଲାଞ୍ଛିତ କରିଛ-। ତୁମେ ଯଦି ପ୍ରକୃତ ଈଶ୍ଵର ଦୂତ ତେବେ ଏ ବିଷ ତୁମର କ୍ଷତି କରିନପାରେ । କିନ୍ତୁ ତୁମେ ଯଦି ପ୍ରତାରକ ତେବେ ତୁମର ମରଣ ମୁଁ କାମନା କରିଥିଲି । ଏହା ଶୁଣି ମହମ୍ମଦ ତାଙ୍କୁ ଈଶ୍ଵରଙ୍କ ନାମରେ କ୍ଷମା କରିଥିଲେ ।

 

ମୃତ୍ୟୁର କିଛିଦିନ ପୂର୍ବରୁ ମକ୍କାର କାବା ମନ୍ଦିରଠାରେ ନିଜର ଶେଷ ତୀର୍ଥଯାତ୍ରା ସମୟରେ ସେଠାରେ ଏକତ୍ରିତ ମୁସଲମାନଗଣଙ୍କୁ ଶେଷ ଥରପାଇଁ ଏକ ଭାଷଣ ଦେଇ କହିଥିଲେ ‘ଏ ସ୍ଥାନ, ଏ ମାସ, ଆଜିର ଏ ଦିନ ଯେପରି ପବିତ୍ର, ସେହିଭଳି ଆଜିଠାରୁ ଭଗବାନ ପ୍ରତ୍ୟେକ ଲୋକର ଧନମାନ ଜୀବନକୁ ତୁମପାଇଁ ପବିତ୍ର କରିଛନ୍ତି । କାହାରି ଧନ ଅପହରଣ କରିବା ଓ ଜୀବନ ନଷ୍ଟ କରିବା ଏ ସ୍ଥାନର ପବିତ୍ରତା ଓ ଆଜିଦିନର ମାହାତ୍ମ୍ୟ ନଷ୍ଟ କରିବା ସଙ୍ଗେ ସମାନ ଗଣ୍ୟ ହେବ । ମୁଁ ତୁମକୁ ଯାହା ଉପଦେଶ ଦେଲି ତାହା କେବଳ ଆଜିପାଇଁ ବା କେବଳ ତୁମମାନଙ୍କ ପାଇଁ ନୁହେଁ ! ଏହା ସବୁକାଳରେ ସବୁଯୁଗରେ ସତ୍ୟ ବୋଲି ବିବେଚିତ ହୋଇଛି ଏବଂ ହେବ । ଏ ପୃଥିବୀରୁ ବିଦାୟ ନେଇ ପରଲୋକରେ ସୃଷ୍ଟିକର୍ତ୍ତାଙ୍କ ସମ୍ମୁଖୀନ ହେବାକୁ ଯିବା ପର୍ଯ୍ୟନ୍ତ, ଏହି ଉପଦେଶ ସ୍ମରଣ ରଖି କାର୍ଯ୍ୟ କରିବ । ଏହି ଆଦର୍ଶ ପୃଥିବୀର ଏକ ପ୍ରାନ୍ତରୁ ଅପରପ୍ରାନ୍ତ ପର୍ଯ୍ୟନ୍ତ ଘୋଷିତ ହେଉ । ହୁଏତ ଆଜି ମୋ ମୁଖରୁ ଯେଉଁମାନେ ଏହା ଶୁଣି ପାରି ନାହାନ୍ତି, ମୋର ଉପଦେଶକୁ ପାଳନ କରିବାରେ ଅଧିକ ବ୍ରତୀ ହେବେ ।’ ଏହି ମହାପୁରୁଷ ଆଜି ଆମ ମଧ୍ୟରେ ନାହାନ୍ତି ସତ କିନ୍ତୁ ତାଙ୍କର ବାଣୀ ଆମକୁ ଚିରକାଳ ପ୍ରେରଣା ଦେଉ ଏହାହିଁ ପ୍ରାର୍ଥନା-

Image

 

ମଣିଷର ମନ

 

ଭଲ, ମନ୍ଦ, ପାପ, ପୁଣ୍ୟ, ଲାଭ, କ୍ଷତି, ଦେବତା, ଅସୁର ଏ ସବୁଗୁଡ଼ିକ ପରସ୍ପର ବିରୁଦ୍ଧାତ୍ମକ ଶବ୍ଦ ଏବଂ ଏହାକୁ ବିଶେଷଣରୂପେ ଯୋଗକଲେ, ବସ୍ତୁ ବା ବ୍ୟକ୍ତି–ବିଶେଷର ଏକ ଚରିତ୍ରଗତ ଚିତ୍ର ମନରେ ଜାଗ୍ରତ ହୋଇଥାଏ । ଯଥା– ଭଲଲୋକଟିଏ । ଏଇଟା ପୁଣ୍ୟ କାର୍ଯ୍ୟ । କିନ୍ତୁ ଏହାକୁ ବିଶ୍ଳେଷଣ କଲେ ଏଇ ଚିନ୍ତାଧାରା, ଏକ ମନସ୍ତାତ୍ତ୍ୱିକ ଭିତ୍ତି ଉପରେ ପ୍ରତିଷ୍ଠିତ । କାରଣ ସୂକ୍ଷ୍ମଦୃଷ୍ଟିରେ ଭଲ, ମନ୍ଦ ବୋଲି କିଛି ନାହିଁ । ଲାଭ କ୍ଷତି ବୋଲି ମଧ୍ୟ କିଛି ନାହିଁ । ଦେବତା ଅସୁର ମଧ୍ୟ ସ୍ଵତନ୍ତ୍ର କିଛି ନାହିଁ । ସେଇ ଲାଭ ମଧ୍ୟ କ୍ଷତି, ସେଇ ଦେବତା ମଧ୍ୟ ଅସୁର । ସେଇ ପାପ ମଧ୍ୟ ପୁଣ୍ୟ । ତାରତମ୍ୟ କେବଳ ବିଚାରରେ । ମନୁଷ୍ୟ–ଦେବତା, ମନୁଷ୍ୟ ମଧ୍ୟ ଅସୁର । ସେଇ ଭଲ ସେଇ ମଧ୍ୟ ମନ୍ଦ ! ଧରନ୍ତୁ ଆପଣ ପାନ ଖାଉଛନ୍ତି । ପାନ ପିକସହ, ଆପଣଙ୍କ ପାଟିରେ ରହିଛି । କିନ୍ତୁ ଯଦି ଏହି ପିକ ଆପଣଙ୍କ ଲୁଗାରେ ଲାଗିଲା, ତେବେ ଅପରିଷ୍କାର ବୋଲି କୁହାଯିବ । କୌଣସି ପଦାର୍ଥ ବା ଗୁଣ ଯଥାସ୍ଥାନରେ ନଥିଲେ, ଏହା ତା’ର ସ୍ୱଧର୍ମରୁ ବିଚ୍ୟୁତ ହେଲା ବୋଲି ଧରାଯାଇଥାଏ । ମନୁଷ୍ୟର ଚେତନାଜଗତରେ ମଧ୍ୟ ଏକ କଥା । ନରହତ୍ୟା ମହାପାପ । କିନ୍ତୁ ଶ୍ରୀକୃଷ୍ଣ ସ୍ଵୟଂ କହୁଛନ୍ତି–ତୁ ଯନ୍ତ୍ର ମାତ୍ର, ଭୟ ଛାଡ଼, ଉଠ ଯୁଦ୍ଧ କର । ମହାପାପ ପରିଣତ ମହାପୁଣ୍ୟରେ । ତେବେ ପ୍ରଶ୍ନ ଉଠିପାରେ, ଏଇ ପରସ୍ପର ବିରୋଧାତ୍ମକ ଚିନ୍ତାର ସୀମାରେଖା କେଉଁଠି ? କେତେଦୂର ପର୍ଯ୍ୟନ୍ତ ପୁଣ୍ୟ ଏବଂ କେଉଁ ବିନ୍ଦୁପରେ ପୁଣ୍ୟ ହୁଏ ପାପ । ଏହାର ନିୟନ୍ତ୍ରଣ କ’ଣ ସମ୍ଭବ ? ଯଦି ସମ୍ଭବ ହୁଏ ଏହାର ବିଚାରକ କିଏ ? ତାହାହେଲେ, ପୃଥିବୀରେ ଆମେ ଯାହାଙ୍କୁ ଦେବତା ବୋଲି କହିଥାଇଁ, ସେମାନେ କ’ଣ କେବେ ପାପକାର୍ଯ୍ୟ କରି ନାହାଁନ୍ତି ? ବା ଯେଉଁମାନେ ଆସୁରିକ ଗୁଣରେ କଳଙ୍କିତ ବୋଲି ଧରାଯାଏ, ସେମାନେ କ’ଣ, କେବେହେଲେ ପୁଣ୍ୟ କରି ନାହାନ୍ତି ? ଏହି ବିଚାର ଭେଦର, ପ୍ରକୃତ ନିୟାମକ କିଏ ? କଥାରେ କହନ୍ତି, ‘ମନ ନିର୍ମଳ ଥିଲେ, ଗଡ଼ିଆ ଗଙ୍ଗା’ । ‘ଏ ମନ ବୃନ୍ଦାବନ’, ଛୋଟପିଲାଙ୍କୁ ଲକ୍ଷ୍ୟ କରନ୍ତୁ । ଛୋଟ ବାଡ଼ିଟିଏ ଧରି, ତା’ ଉପରେ ବସିଲା ଭଳି ଅଭିନୟ କରି, ଘୋଡ଼ା ଉପରେ ବସିଛି ବୋଲି, ଅନୁଭବ କରନ୍ତି । ସାନ କଣ୍ଢେଇଟି ଚାରି ପାଞ୍ଚବର୍ଷର, ଝିଅଟିର ବହୂ । ଏଇ ମନର ବିଚାରହିଁ ସବୁ ! ଏ ବିଚାର ଏବଂ ଅନୁଭବ ଆସେ କୁଆଡ଼ୁ । ହୁଏତ ଏହା ପ୍ରକୃତିଗତ ହୋଇପାରେ । ଯେପରି କୁକୁର ଅଚିହ୍ନା ଦେଖିଲେ ଭୁକେ, ଏବଂ କାମୁଡ଼େ । ଯଦି ତା’ର ଉତ୍ତମ ଚିନ୍ତା ବା ବିଚାର ଥାନ୍ତା ସେ ହୁଏତ ନିଜର କାର୍ଯ୍ୟପାଇଁ, ଅନୁତପ୍ତ ହୁଅନ୍ତା । ସର୍ପ ମଧ୍ୟ ଦଂଶନ ପରେ ଅନୁତାପ କରି ଶରଣ ନେଇଛି–

 

ଭୋ ଦେବ ସର୍ପ କଲୁ ମତେ

ସ୍ଵଭାବ ଛାଡ଼ିବି କେମନ୍ତେ ।

(ଭାଗବତ)

 

ସାପ ଏଠାରେ ନିଜ କର୍ମର ସୀମାରେଖା ବୁଝି ପାରିଛି । କେଉଁଠି ସେ ଶାଳୀନତାର ନିୟମ ଲଙ୍ଘନ କରିଛି । ହୁଏତ କେବଳ ଫଁ କରିଥିଲେ ଚଳିଥାନ୍ତା ।

 

ମାନବ କର୍ମର ଏହି ନିୟନ୍ତ୍ରଣ ରେଖା କେଉଁଠି ? ତେବେ କର୍ମର ବିଭାଗ ନହେଲେ ଏହା ସମ୍ଭବ ନୁହେଁ । କି କର୍ମ ଏବଂ କାହାପାଇଁ ଏ କର୍ମ । କାହା ଉପରେ ଏହାର ପ୍ରଭାବ ପଡ଼ୁଛି, ଏହା ନ ଜାଣିଲା ପର୍ଯ୍ୟନ୍ତ ସୀମା ନିର୍ଦ୍ଧାରଣ ଅସମ୍ଭବ । କର୍ମକୁ ତିନି ଭାଗରେ ବିଭକ୍ତ କରନ୍ତୁ । କିଛି କାର୍ଯ୍ୟ ଆମେ କରୁ ଆମ ନିଜପାଇଁ । କିଛି ନିଜ ଛଡ଼ା ଅନ୍ୟ ବ୍ୟକ୍ତି ବା ବସ୍ତୁପାଇଁ, ଏବଂ ଆଉ କିଛି କେବଳ ଭଗବାନଙ୍କ ଉଦ୍ଦେଶ୍ୟରେ । ଯଥା–ପୂଜା, ପ୍ରାର୍ଥନା ଇତ୍ୟାଦି । ଏହି ତିନି ପ୍ରକାର କର୍ତ୍ତବ୍ୟର ଉଦ୍ଦେଶ୍ୟ ପାର୍ଥକ୍ୟ ନ ବୁଝିଲା ପର୍ଯ୍ୟନ୍ତ ଭଲମନ୍ଦର ସୀମା ନିର୍ଦ୍ଧାରଣ କଷ୍ଟକର । ଆମେ ଭଗବାନଙ୍କ ପାଇଁ ଯାହାକରୁଁ ସେ ସମ୍ବନ୍ଧରେ ଆମର ଜାଣିରଖିବା ଉଚିତ ଯେ, ଭଗବାନ ଆମର ପୂଜା ବା ପ୍ରାର୍ଥନାର ଅତି ଊର୍ଦ୍ଧ୍ୱରେ । କିଏ କି ପ୍ରକାର–ତାଙ୍କର ପ୍ରାର୍ଥନା କରେ, ତାହା ଅନ୍ତର୍ଯ୍ୟାମୀ ଭାବରେ ତାଙ୍କୁ ଜଣା ! ଯିଏ ପୂଜା ପ୍ରାର୍ଥନା ନକରେ, ତା’ ପ୍ରତି ସେ କି ବ୍ୟବସ୍ଥା କରନ୍ତି ତା’ ମଧ୍ୟ ସେ ଜାଣନ୍ତି-। ସେ କ୍ଷମା ଓ ଦୟାର ଆକାର ହିସାବରେ ଯାହାକୁ ଇଚ୍ଛା କ୍ଷମା ବା ଦଣ୍ଡ ଦେଇ ପାରନ୍ତି-। ସେଥିରେ କାହାରି କିଛି ହାତ ନାହିଁ ।

 

ମନୁଷ୍ୟ ଯେଉଁ କାର୍ଯ୍ୟ ନିଜପାଇଁ କରେ, ତାହାର ଫଳ, କେବଳ ନିଜେ ପାଏ । ଆମେ ଖାଇଲେ, ଆମକୁ ଶାନ୍ତି ମିଳେ, ପୁଷ୍ଟିକର ଖାଦ୍ୟ ହୋଇଥିଲେ, ତାହା ଆମ ଦେହରେ ବଳ ଦେଇଥାଏ । ନିଜପାଇଁ କରୁଥିବା କର୍ମର, ଭଲ, ମନ୍ଦ କେବଳ ନିଜକୁହିଁ ଭୋଗିବାକୁ ପଡ଼ିବ । ତୃତୀୟଟି ହେଲା ଆମର ଯେଉଁ କର୍ମ ଅନ୍ୟପାଇଁ ଉଦ୍ଦିଷ୍ଟ । କର୍ମ ଯଦି ଅନ୍ୟର ମଙ୍ଗଳପ୍ରଦ ନ ହୋଇ, ଅନିଷ୍ଟକର ହୁଏ । ତେବେ କନ୍ଦଳର ସୃଷ୍ଟି ହୋଇଥାଏ । ଅନ୍ୟପ୍ରତି ଆମେ ଯେଉଁ ଭୁଲ କରିଥାଉଁ, ସେଥିପାଇଁ ଆମେ କ୍ଷମା ମାଗୁଁ । କାହିଁକି ? ଯଦି ଏହା ଆମର ମନପ୍ଲୁତ ଯେ ଆମର ଭୁଲ ହୋଇଛି । ତେବେ ପ୍ରକାଶ୍ୟ କ୍ଷମା ମାଗିବାର ଉଦ୍ଦେଶ୍ୟ କ’ଣ ? ଅନ୍ୟର ଶରୀରରେ ବା ମନରେ କଷ୍ଟର ଲାଘବପାଇଁ ଏବଂ ଅନ୍ୟର ମନରେ ଆମପ୍ରତି କୌଣସି ଘୃଣା ବା ଭୁଲ ଧାରଣା ଦୂର କରିବାପାଇଁ । ଯେ ପର୍ଯ୍ୟନ୍ତ ଆମେ ଆମର କୃତକର୍ମ ପାଇଁ, ଯାହା ଅନ୍ୟର ଶାରୀରିକ ବା ମାନସିକ କ୍ଷତି କରିଥାଏ, କ୍ଷତିଗ୍ରସ୍ତ ଲୋକର କ୍ଷମା ଲାଭ ନ କରିଛୁଁ, ସେ ପର୍ଯ୍ୟନ୍ତ ଆମର ତ୍ରାହି ନାହିଁ । କାରଣ ଏଭଳି କର୍ମର ପରିଣାମ ଆମକୁ ନିଶ୍ଚୟ ଭୋଗିବାକୁ ପଡ଼ିବ । ଏଭଳି କ୍ଷେତ୍ରରେ ବିଭିନ୍ନ କର୍ତ୍ତବ୍ୟରେ ଆପେକ୍ଷିକ ଗୁରୁତ୍ୱ ବେଶ୍‌ ଉପଲବ୍ଧି କରାଯାଇପାରେ । ଏହି କର୍ତ୍ତବ୍ୟ ବିଭିନ୍ନ ଧାରରୁ ମନରେ ଯେ ଉଦ୍ରେକ ହୋଇଥାଏ, ଏହା ଆମେ ହୃଦୟଙ୍ଗମ କରିପାରିଲେ, କର୍ମ ନିର୍ଦ୍ଧାରଣରେ ଆମର କୌଣସି ଅନ୍ତରାୟ ସୃଷ୍ଟି ହେବ ନାହିଁ । ଆମର ଚିନ୍ତାଧାରାରେ ଦ୍ୱିଧାର ସୃଷ୍ଟିରୁ କର୍ମ ନିର୍ଦ୍ଧାରଣରେ ଅନ୍ତରାୟ ସୃଷ୍ଟି । ସନ୍ଦେହ, ଅନିଶ୍ଚିତତା କ୍ରମେ କ୍ରମେ ଭୟ, ଉଦାସୀନତାରେ ପରିଣତ ହୋଇ ମାନବ ହୃଦୟକୁ ନିସ୍ପନ୍ଦ କରିଦେବାରେ ସାହାଯ୍ୟ କରେ । ଏହାଦ୍ୱାରା ମନୁଷ୍ୟ ଦିଗହରା ନାବିକପରି କେବଳ ଇତସ୍ତତଃ ହୁଏ ।
 

ଏହି ସନ୍ଦିଗ୍‌ଧଚିତ୍ତହିଁ ଭଗବତ ବିଶ୍ଵାସରୁ ମନକୁ ବିଚ୍ୟୁତ କରି ଧୀରେ ଧୀରେ ଅପକର୍ମ ବା କୁକର୍ମ ଆଡ଼କୁ ଟାଣିନେଇ ଶେଷରେ ଉନ୍ମାଦ କରାଇଥାଏ । ଫଳରେ ଦୃଢ଼ବିଶ୍ୱାସଜନିତ କର୍ମର ଆନନ୍ଦରୁ ଆମେ ବଞ୍ଚିତ ହୋଇଥାଉଁ । ଏହି ମନସ୍ତାତ୍ତ୍ୱିକ ଅବସ୍ଥାର ଉଦ୍ରେକ ହୁଏ ମନ୍ଦ ଚିନ୍ତାରୁ ଯାହା ନିଜ ମନରୁ ଜନ୍ମେ ବା ବାହାର ପରିବେଶ ପରିସ୍ଥିତିରୁ ଜନ୍ମେ ବା ଅନ୍ୟର ଶିକ୍ଷା ଓ ସଂସର୍ଗରୁ ଉଦ୍ରେକ ହୁଏ । ବର୍ତ୍ତମାନ ମନୋବିଜ୍ଞାନର ଗବେଷଣାଫଳରେ ଏହା ଆହୁରି ସୁସ୍ପଷ୍ଟ ଯେ, ସାମାଜିକ ଜୀବନର ଅଧିକାଂଶ କ୍ଷତି ଏହି ମନସ୍ତାତ୍ତ୍ୱିକ ଅବସ୍ଥାରୁ ସୃଷ୍ଟି, ଏବଂ ଅପନୋଦନ ପାଇଁ ମଧ୍ୟ ଏକ ମନସ୍ତାତ୍ତ୍ୱିକ ପ୍ରୟୋଜନ ରହିଛି । କିନ୍ତୁ ହଜାର ବର୍ଷ ତଳେ ଯେତେବେଳେ ମନୋବିଜ୍ଞାନର ବିକାଶ ନଥିଲା ଏହାର କାରଣ ଠିକ୍‌ ଠିକ୍‌ ରୂପରେ ଜାଣିବାପାଇଁ ପବିତ୍ର କୋରାନ୍‌ରେ ପ୍ରାର୍ଥନାର ନିର୍ଦ୍ଦେଶ ଦେଖନ୍ତୁ । ଅବିଶ୍ଵାସ ଜନ୍ମାଉଥିବା ପ୍ରତ୍ୟେକ ପାପଚିନ୍ତାରୁ ଦୂରେଇ ରହିବାପାଇଁ ମୁଁ ସେଇ ଆଲ୍ଲାହାଙ୍କର ଆଶ୍ରୟ ମାଗୁଛି । ଗୀତାର ଭାଷାରେ.....

 

ମାଂ ହି ପାର୍ଥ ! ବ୍ୟପାଶ୍ରିତ୍ୟ

ଯେଃପି ସ୍ୟୁଃ ପାପଯୋନୟଃ ।

ସ୍ତ୍ରିୟୋ ବେଶ୍ୟାସ୍ତଥା ଶୂଦ୍ରାସ୍ତେଃପି

ଯାନ୍ତି ପରାଂ ଗତିଂ । ୯/୩୨

Image

 

ଅମୃତସ୍ୟ ପୁତ୍ରାଃ

 

କେଉଁ ଅନାଦି ଅନନ୍ତ କାଳରୁ ସୃଷ୍ଟି ସ୍ଥିତି ଲୟ ଲାଗିରହିଛି । ସୀମାହୀନ କାଳର ଅବିରାମ ଗତି ସ୍ରୋତରେ କେତେ ଦେଶ କେତେ ଜାତିର ଉତ୍ଥାନ ପତ୍ତନ ହୋଇଛି ତାହାର କଳନା କରି ହୁଏନା । ଲକ୍ଷ ଜନ୍ମ ଜନ୍ମାନ୍ତର ପରେ କେବେ ମାନବର ସୃଷ୍ଟି ହେଲା, ତାହାର ହିସାବ ମଧ୍ୟ କେହି ରଖିନି । ଅରଣ୍ୟର ଝରାପତ୍ର ପରି ଅସଂଖ୍ୟ ମାନବ ଜନ୍ମ ନେଇଛନ୍ତି ଏବଂ ପୁଣି ମୃତ୍ୟୁବରଣ କରିଛନ୍ତି, ଏ ସତ୍ୟ କେହି ଅସ୍ଵୀକାର କରିବେନି । ଯୁବକର ତେଜ, ବୀର୍ଯ୍ୟ, ବଳ, ପ୍ରୌଢ଼ର ଚତୁରଜ୍ଞାନ, ଯୁବତୀର ରକ୍ତାଧର ନୟନର ରମ୍ୟଜ୍ୟୋତି, ସ୍ୱର୍ଣ୍ଣଘନ ସମ ବକ୍ଷ ଓ କେତେ ଚାରୁ ପଦ୍ମାନନ, ଇନ୍ଦ୍ରଧନୁ ଶୋଭାପରି ଲୀନ ହୋଇଛି, ତା’ର ଅଟକଳ କିଏ କରି ପାରିବ ? ରାଜ୍ୟ ପରେ ରାଜ୍ୟ, ଦେଶ ପରେ ଦେଶ, ଶାସନ ପରେ ଶାସନର ଆବିର୍ଭାବ ହୋଇଛି ସତ କିନ୍ତୁ କେବଳ ତିରୋଧାନ ପାଇଁ ।

 

‘ମର୍ତ୍ତ୍ୟ ମଣ୍ଡଳେ ଜନ୍ମହୋଇ,

ଦେବତା ହୋଇଲେ ମରଇ’

 

ଭାଗବତର ଏହି ଶାଶ୍ୱତ ବାଣୀ ଦୃଶ୍ୟମାନ ଜଗତର କ୍ଷଣଭଙ୍ଗୁରତାର ଏକ ଚେତାବନୀ । ଆହାର, ନିଦ୍ରା, ଭୟ, ମୈଥୁନ ମଧ୍ୟ ଦେଇ ଏ ସୃଷ୍ଟିର ଗତି ଯଦି କେବଳ ଲୟପାଇଁ, ତେବେ ସୃଷ୍ଟିର ଉଦ୍ଦେଶ୍ୟ ରୂପ ସମସ୍ୟାର ସମାଧାନ ଅତି ସରଳ । ଚାର୍‌ବାକ୍‌ଙ୍କ ଭାଷାରେ ‘ଋଣଂକୃତ୍ତାଂ ଘୃତଂ ପିବେତ୍‌, ଯାବତ୍‌ ଜୀବେତ୍‌ ସୁଖଂ ଜୀବେତ୍‌ । ଭସ୍ମୀଭୂତସ୍ୟ ଦେହସ୍ୟ ପୁନରା ଗମନଃକୁତଃ’–ଯଦି ଧ୍ୱଂସ ଅନିବାର୍ଯ୍ୟ, ତେବେ କିଛିଦିନ ଆରାମରେ କଟିଗଲେ ହେଲା । ଛାଗର ମା’, ଯଦି ଏ ସତ୍ୟ ବୁଝିପାରେ ଯେ ଛାଗ ଶିଶୁର ଯତ୍ନ କେବଳ ତା’ର ପୁଷ୍ଟ ଶରୀରର ମାଂସ ଉଦ୍ଦେଶ୍ୟରେ, ତେବେ ନିଜ ଶିଶୁର କଲ୍ୟାଣ କାମନା ତା’ ପକ୍ଷରେ ନିରର୍ଥକ ନୁହେଁ କି ? ଯଦି ସୃଷ୍ଟି କେବଳ ଧ୍ଵଂସ ଉଦ୍ଦେଶ୍ୟରେ, ଜନ୍ମ କେବଳ ମୃତ୍ୟୁପାଇଁ, ପ୍ରବେଶ କେବଳ ପ୍ରସ୍ଥାନର ସୂଚନା, ଆଗମନୀ କେବଳ ବିଦାୟର ସଙ୍କେତ, ତେବେ ଏହା ଏକ ପ୍ରହସନ ନୁହେଁ କି ? ସୃଷ୍ଟି ଓ ଲୟର ଏ ଦ୍ୱନ୍ଦ୍ୱ ମଧ୍ୟରେ ଅମୃତର ସନ୍ଧାନ, ଅମର ହେବାର ବାସନା ଏକ ବିଡ଼ମ୍ବନା ନୁହେଁକି ? ଏହି ଦ୍ୱନ୍ଦ୍ୱର ପ୍ରବାହ ଯୁଗଯୁଗ ଧରି ଅବିରାମ ଗତିରେ ଚାଲିଛି ଏବଂ ଏହି ଦ୍ୱନ୍ଦ୍ୱରୁହିଁ, ସମୁଦ୍ରମନ୍ଥନ ହୋଇ ଅମୃତର ସୃଷ୍ଟି ହୋଇଛି ଏବଂ ଅମରତ୍ୱର ସନ୍ଧାନ ମିଳିଛି । ତେବେ ଏଇଠି ପ୍ରଶ୍ନ ଉଠିପାରେ, କିଏ ଅମର ? କିଏ ସନ୍ଧାନ ପାଇଛି ଅମୃତର ? ନିଃଶବ୍ଦରେ ଜୀବନସ୍ରୋତ ଯଦି ମୃତ୍ୟୁ ସିନ୍ଧୁର କରାଳ ଲହରୀରେ ଲୀନ ହେଉଛି, ତେବେ ଜୀବର ଅମରତ୍ୱ କାହିଁ ? ଅମର କିଏ, ଅମୃତ କ’ଣ ? ଏହି ସତ୍ୟ ଉପଲବ୍ଧି କରିବା ସଙ୍ଗେ ସଙ୍ଗେ ମନରେ ଏ ପ୍ରଶ୍ନ ମଧ୍ୟ ଦେଖାଦିଏ ଯେ ବୋଧହୁଏ ବିଷୟଟି ଏତେ ସହଜ ନୁହେଁ । ସାରା ଜଗତ ମାୟା ରୂପରେ ପ୍ରତିପାଦିତ ହେଲେ ସୁଦ୍ଧା ନିଶ୍ଚୟ କିଛି ନା କିଛି ସତ୍ୟ ଉପରେ ଏହାର ସ୍ଥିତି ପ୍ରତିଷ୍ଠିତ । ମାନବର କର୍ମମୟ ଜୀବନ କାଳସିନ୍ଧୁରେ ଏକ ସାମାନ୍ୟ ପାଣିଫୋଟକା ପରି ଦୃଶ୍ୟମାନ ସତ କିନ୍ତୁ ସବୁ ମାନବର ଜୀବନ ଏହି ସତ୍ୟର ଅନ୍ତର୍ଭୁକ୍ତ ନୁହେଁ । ଜୀବନର ସୃଷ୍ଟି ଅକାରଣ ନୁହେଁ ।

 

ଏ ସୂର୍ଯ୍ୟ, ଏ ଚନ୍ଦ୍ର, ଏ ଗ୍ରହ, ଏ ତାରକା, ଏ ବିଶାଳ ଜଳରାଶି, ଏ ମନଭୁଲା ରଙ୍ଗ ରୂପ କାନ୍ତ ଛବି ଭିତରେ ସତେବା ଯେପରି ଏକ ରହସ୍ୟ ରହିଯାଇଛି । ଯାହାର ବିଶ୍ଳେଷଣ, ପରୀକ୍ଷା ନିରୀକ୍ଷା ଏବେ ମଧ୍ୟ ଆରମ୍ଭ ହୋଇନି ବା ଆରମ୍ଭ ହୋଇଥିଲେ ଶେଷ ଫଳାଫଳ ଏବେବି ମିଳିନି । କ୍ଷଣଭଙ୍ଗୁର ଏ ସୃଷ୍ଟିରେ ନିଶ୍ଚୟ କେହି କେହି ଅମର ରହନ୍ତି । ସମୟର ବାଲୁକା ଉପରେ ନିଜର ପଦଚିହ୍ନ ସଙ୍କେତରୂପେ ଅନ୍ୟମାନଙ୍କ ପାଇଁ ଛାଡ଼ି ଯାଆନ୍ତି । କଥାଟା ଟିକିଏ ଜଟିଳ ହୋଇଗଲା । ଯେଉଁମାନେ ଏ ସୃଷ୍ଟିର ଧ୍ଵଂସ ଅନିବାର୍ଯ୍ୟ ବୋଲି କହିଛନ୍ତି ସେହିମାନେହିଁ ନିଜେ ଏହାର ପ୍ରମାଣ ଯେ ଏ ସୃଷ୍ଟି ଅମୃତମୟ । ବିଶୃଙ୍ଖଳା ମଧ୍ୟରେ, ବିଭିନ୍ନତା ମଧ୍ୟରେ ଶୃଙ୍ଖଳା ଏକତ୍ୱର ଏକ ସଙ୍କେତ ଏହିମାନଙ୍କଠାରୁ ମିଳେ । ନିଜର ବିଶ୍ଵାସ, ଚିନ୍ତାଧାରା ଓ କର୍ମର ଆଦର୍ଶ ବଳରେ ଯେଉଁମାନେ ସମାଜରେ ଗଭୀର ପ୍ରଭାବ ପକାଇ ଥାଆନ୍ତି, ନିଶ୍ଚୟ ଅମୃତର ସନ୍ଧାନ କେବଳ ସେହିମାନେହିଁ ପାଇଛନ୍ତି । ନିଜର ବିଶ୍ୱାସରେ ଦୃଢ଼ ରହି ନିଜର ଚିନ୍ତାରେ ଅମଳିନ ରହି ସତ୍ୟ ଓ ନ୍ୟାୟ ପଥରେ ଅଟଳ ରହି ଯେଉଁମାନେ ଏହି କ୍ଷଣଭଙ୍ଗୁର ଜଗତରେ ଧୈଯ୍ୟର ସହିତ କର୍ମରତ ହୁଅନ୍ତି ସେହିମାନେହିଁ ଅମର, ସେହିମାନେହିଁ ଅମୃତସ୍ୟ ପୁତ୍ରାଃ । ତାହାହେଲେ ପ୍ରଥମରୁ ଯେଉଁ ନୈରାଶ୍ୟର ସୂଚନା ଆମେ ପାଇଥିଲୁ ସେଥିରେ କିଛି ପରିବର୍ତ୍ତନର ସ୍ଥାନ ରହିଛି । ଅର୍ଥାତ୍‌ ଏ ଜଗତ ଏତେ ନୈରାଶ୍ୟମୟ ନୁହେଁ । କେବଳ ଆମେ ନିଜେ ଏଥିପାଇଁ ଦାୟୀ । ଏ ସୃଷ୍ଟିର ଅର୍ଥ ଅଛି । ଏ ଧ୍ଵଂସର ଅର୍ଥ ଅଛି, ଏ ବିଭିନ୍ନତାର ବ୍ୟାଖ୍ୟା ରହିଛି । ଦେହ ଭସ୍ମ ହୋଇପାରେ ମାତ୍ର, ପୁନରାଗମ ମଧ୍ୟ ହୋଇପାରେ । ଦୃଶ୍ୟମାନ ପଦାର୍ଥ ସବୁକିଛି ନୁହେଁ । ବାହ୍ୟ ଆଡ଼ମ୍ବର ବସ୍ତୁ ବିଶେଷର ଗୁଣର ନିୟାମକ ନୁହେଁ । ସ୍ଵାଦ କଟୁହୋଇପାରେ ମାତ୍ର ଗୁଣାତ୍ମକ ବାହ୍ୟ ରୁକ୍ଷତା ଅନ୍ତରର କୋମଳତାର ପରିଚାୟକ । ଏଭଳି ଚିନ୍ତାଧାରା କେବଳ ବିଶ୍ଵାସରୁ ଜନ୍ମେ । ବିଶ୍ଵାସ କ’ଣ, କାହା ଉପରେ ଆଧାରିତ ? ପ୍ରତ୍ୟେକ ସମ୍ପ୍ରଦାୟ କେବଳ ନିଜନିଜକୁ ଭଗବତ୍‌ ବିଶ୍ଵାସୀ ବୋଲି ଧରିନେଇ ନାନା ଆକ୍ଷେପ ଆସ୍ଫାଳନରେ ଗୌରବ ବୋଧ କରନ୍ତି । ଏ ସୃଷ୍ଟିର ସ୍ରଷ୍ଟା ରହିଛି, ଏହାର କାରଣ ରହିଛି ଏବଂ ସୃଷ୍ଟିର ନିୟମର ସାମାନ୍ୟ ଉଲଙ୍ଘନ ମଧ୍ୟ ସୃଷ୍ଟିରେ ବିଶୃଙ୍ଖଳା ଓ ବୈଷମ୍ୟ ଆଣିପାରେ, ଏ ବିଶ୍ଵାସ କେତେଜଣଙ୍କର ? ଚଲାପଥରେ ଯଦି ପାଦ ସାମାନ୍ୟ ଭାବରେ ଖସିଯାଏ ତେବେ ସୁଦ୍ଧା ସମସ୍ତ ଶରୀର ଉପରେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ ଅସ୍ଵୀକାର କରି ହେବକି ? ନଳ ରାଜାଙ୍କର ସାମାନ୍ୟ ଦୋଷରୁହିଁ କଳିର ଶରୀର ମଧ୍ୟରେ ପ୍ରବେଶ ଏକ ଉଦାହରଣ ମାତ୍ର । ଭଗବଦ୍‌ ବିଶ୍ୱାସରେ ଦୃଢ଼ତାର ଅର୍ଥ ସୃଷ୍ଟିର ନିୟମରେ ସାମାନ୍ୟ ବିଚ୍ୟୁତିଜନିତ, ଅପରିହାର୍ଯ୍ୟ ପରିଣାମ ଭୋଗର ଭୟ ଯାହା ମନୁଷ୍ୟକୁ ପାଦେ ପାଦେ ସତର୍କ ରହିବାର ଚେତନା ଦିଏ । ମାତ୍ର ଟୋପାଏ ବିଷ ପୂର୍ଣ୍ଣଘଟକୁ ମଧ୍ୟ କଳୁଷିତ କରେ । ଏ ବିଶ୍ଵାସ ଯଥେଷ୍ଟ ନୁହେଁ । କେବଳ ଏ ଚିନ୍ତା ଯଥେଷ୍ଟ ନୁହେଁ । ଏ ବିଶ୍ଵାସର ସାଧନାରେ ମଧ୍ୟ ଦୃଢ଼ତା ଆବଶ୍ୟକ । ସାଧନା ବିନା, କର୍ମ ବ୍ୟତିରେକ କେବଳ ବିଶ୍ୱାସ ମୂଲ୍ୟହୀନ । କର୍ମବିନା ଜୀବନ ମୂଲ୍ୟହୀନ । ଏହି କର୍ମ ଯେପରି ମନୁଷ୍ୟକୁ ପଥଚ୍ୟୁତ ନକରାଏ, ସନ୍ଦିଗ୍‌ଧଚିତ୍ତ ନକରାଏ ସେ ଦିଗରେ ନିଜର ସମସ୍ତ ଚେଷ୍ଟା ଓ ଶକ୍ତିର ବିନିଯୋଗର ଆବଶ୍ୟକତା ରହିଛି । ବ୍ୟକ୍ତିଗତ ଭାବରେ ନିଜ ନିଜର ଜୀବନକାଳ ମଧ୍ୟରେ, କେତେ ମିଥ୍ୟା, କେତେ ପ୍ରଲୋଭନ, କେତେ ହତାଶା, ନୈରାଶ୍ୟ ଓ ଉଦାସୀନତା ମଧ୍ୟଦେଇ ମାନବ ଜୀବନ ଗତିକରେ ତାହା ଅନେକେ କେବଳ ଅନୁଭବ କରିପାରୁଥିବେ । କିନ୍ତୁ ଏ ସମସ୍ତ ପ୍ରତିକୂଳ ଶକ୍ତିକୁ ପ୍ରତିରୋଧ କରି ଯେଉଁ କେତେଜଣ ସତ୍ୟ ନ୍ୟାୟକୁ ଅପରିହାର୍ଯ୍ୟ ମନେକରି ଆଦର୍ଶରେ ଦୃଢ଼ ରହନ୍ତି, ସେହିମାନେହିଁ ଅମୃତର ସନ୍ଧାନ ପାଆନ୍ତି ଓ ଦିଅନ୍ତି ମଧ୍ୟ । ସେଇମାନେ ଅମର, ଅବିସ୍ମରଣୀୟ ଇତିହାସର ଯତ୍‌ସାମାନ୍ୟ ଜ୍ଞାନରୁ ଏହି ଶିକ୍ଷା ଆମେ ପାଇଥାଇଁ ନିୟତିର ନିରପେକ୍ଷ ବିଚାର ଏହି ଶିକ୍ଷା ଦିଏ ।

 

ଧନ ସଞ୍ଚୟ ଦୂର କରି

ନିୟତ କର୍ମକୁ ଆବୋରି ।

ଧୀରେ ରହନ୍ତି ଶମ ଚିତ୍ତେ

ଧନ୍ୟ ଜୀବନ ଏ ଜଗତେ ।

 

ସୃଷ୍ଟିର ଶ୍ରେଷ୍ଠ ଜୀବ ମନୁଷ୍ୟ । ଏହି ବିଶେଷଣ ମନୁଷ୍ୟର ଆକାରପ୍ରକାର ପ୍ରତି ଯେପରି ପ୍ରଯୁଜ୍ୟ, ତାହାର ଗୁଣାତ୍ମକ ବିଚାରରେ ତତୁଲ୍ୟ ଉଲ୍ଲେଖନୀୟ । କକ୍ଷଚ୍ୟୁତ ଉଦ୍‌ଗ୍ରୀବ, ଉଚ୍ଛନ୍ନ ଏକ ତୁଚ୍ଛ ତରଳ ବିନ୍ଦୁର, କ୍ରମେ ରକ୍ତମାଂସ ଅସ୍ଥି ମଜ୍ଜା ସନ୍ନିବେଶିତ ହୋଇ ଅତି ଅସହାୟ ଅବସ୍ଥାରେ ଧରାବକ୍ଷରେ ପ୍ରବେଶ ଏବଂ ଧୀରେ ଧୀରେ ଶୈଶବର ଦୁର୍ବଳତାରୁ, ଯୌବନର ସବଳ, ଦାମ୍ଭିକ ଓ ତେଜପୂର୍ଣ୍ଣ ଅବସ୍ଥା ପ୍ରାପ୍ତି ଏବଂ ଭୋଗବିଳାସର ଜ୍ଞାନପରେ, ପୁନରାୟ ଦୁର୍ବଳତା, ବାର୍ଦ୍ଧକ୍ୟର କ୍ଷୀଣତା ଏବଂ ପରିଣାମରେ ହତବୁଦ୍ଧି ଓ ଅସହାୟ ଅବସ୍ଥାର ପୁନରାବୃତ୍ତି, କ’ଣ ଆମ ପକ୍ଷରେ ପ୍ରଣିଧାନର ଯୋଗ୍ୟ ନୁହେଁ ?

 

ମନୁଷ୍ୟ ଶରୀରର ଉତ୍ପତ୍ତିହିଁ ଏହାର ଅଳିକତାର ନିଦର୍ଶନ । ତଥାପି ଏହାର ସୃଷ୍ଟି ଯେ ଏକ ଅକାଟ୍ୟ ନିୟମ, ଅକଥନୀୟ ଅବ୍ୟକ୍ତ ଓ ଗୌରବମୟ ଆନନ୍ଦରୁ, ଏଥିରେ ସନ୍ଦେହ ନାହିଁ । ଶରୀରର ବିନାଶ ନିଶ୍ଚିତ ହେଲେହେଁ ଏହି ଶରୀରକୁ ଆଧାର କରି ପ୍ରକଟିତ ବିଭୂତିମୟ ପ୍ରାଣ ବା ଚୈତନ୍ୟ ଅପାର୍ଥିବ ଆନନ୍ଦ, ଗୌରବ ଓ ପ୍ରେମର ଏକ କ୍ରମବର୍ଦ୍ଧିଷ୍ଣୁ ଉତ୍ତରାଧିକାରୀ । ଦେହ ଯେପରି ଅନିତ୍ୟ, ଆତ୍ମା ସେହିପରି ଧ୍ରୁବ ଓ କ୍ରମବିକାଶଶୀଳ । ଏହାର ପ୍ରକାଶ ଏହାର ସତ୍ତାର ପରିଚାୟକ । ଏହାର ବିକାଶ ଏହାର ଗୁଣ ଓ ସ୍ଥାୟିତ୍ୱର ପରିମାପକ । ଆନନ୍ଦରେ ଏହାର ବିକାଶ-। ଆନନ୍ଦରେ ଏହାର ସ୍ଥିତି ଓ ପରିଶେଷରେ ଆନନ୍ଦରେ ଏହାର ପରିବ୍ୟାପ୍ତି । ଏହା ସଦାନନ୍ଦ-। ଧୈର୍ଯ୍ୟ, ଶାନ୍ତି, ପ୍ରେମ ଓ ଅହିଂସା ଏହାର ସୁଷମ ଖାଦ୍ୟ । ଏହା ବ୍ୟତିରେକ ଆତ୍ମାର ବିକାଶ ଏକ ବିଡ଼ମ୍ବନା । ଏହି ଜ୍ଞାନରୁହିଁ ପ୍ରେମ ଓ ପ୍ରେମରୁ ସେବାଭାବର ଉଦ୍ରେକ ହୁଏ । ଏହି ପ୍ରେମହିଁ ସମସ୍ତ ମୀମାଂସା ଓ ସମାଧାନର ସରଳ ସୋପାନ । ଇନ୍ଦ୍ରିୟ ପ୍ରବୃତ୍ତି ଏହି ସରଳ ସୋପାନର ପ୍ରତିବନ୍ଧକ ହୁଏ ସତ କିନ୍ତୁ ଆତ୍ମାର ଆଧାର ଏ ମର ଶରୀର ଆତ୍ମାର ବିକାଶପାଇଁ ଉଦ୍ଦିଷ୍ଟ । ଏ ଚେତନାର ଉପଲବ୍ଧିରେହିଁ ମାନବ ଜନ୍ମର ସଫଳତା । ବାତ୍ସଲ୍ୟ ସ୍ନେହ ଏବଂ ଅବାରିତ ନିଷ୍କାମ ଆକର୍ଷଣ, ସ୍ଵଜାତି ସ୍ୱଦେଶ ପ୍ରୀତି ରୂପକ ମୋହ ଏକ ବାସ୍ତବ ପରମ୍ପରା ସତ କିନ୍ତୁ ଏହାର ପରିସରର ଅଭିବୃଦ୍ଧି ବିନା ଏହାର ଉଦ୍ଦେଶ୍ୟ ଖଣ୍ଡିତ ଓ ସଂକୁଚିତ ହୁଏ । ଆନନ୍ଦରୁ ସୃଷ୍ଟ ପ୍ରେମରେ ପ୍ରତିପାଳିତ ପରିପୁଷ୍ଟ ଓ ପରିମାର୍ଜିତ ଏ ଜୀବନ ଅସୂୟାପୂର୍ଣ୍ଣ ହୁଏ କିପରି ଓ କାହିଁକି ? ବାକ୍‌ଶକ୍ତି, ସମବେଦନା ଓ ଜୀବନର ଉଦ୍ଦାମ ଗତି, ଉଚ୍ଛ୍ୱାସ, ଭାବବିହ୍ୱଳତା ଓ ଭାବାବେଗର ଏ ଅପରିଣାମଦର୍ଶୀ ଅପବ୍ୟବହାର କାହିଁକି ? ଜୀବେଦୟା ଯଦି ଆଦର୍ଶ ବୋଲି ସ୍ୱୀକାର୍ଯ୍ୟ, ମାନବ ପ୍ରତି ମାନବର ଉଦାସୀନତା, ଅବହେଳା ଓ କ୍ଷେତ୍ର ବିଶେଷରେ କ୍ରୂରତା, ମୂଲ୍ୟହୀନ ଓ ଆତ୍ମଘାତୀ କାର୍ଯ୍ୟ ନୁହେଁ କି-? ଚେତନ ଶକ୍ତିର ବିକାଶରେ, ପରସ୍ପରର ସହଯୋଗ ପରିବର୍ତ୍ତେ, ଆଧ୍ୟାତ୍ମିକ ଅଗ୍ରଗତି ପାଇଁ ସମସ୍ତ ଶକ୍ତିର ନିୟୋଜନ ପରିବର୍ତ୍ତେ, ଅମୃତର ସନ୍ତାନ, ଆନନ୍ଦର ଉତ୍ତରାଧିକାରୀ, ସତ୍ୟଶିବ ସୁନ୍ଦରର ସୌଷ୍ଠବମୟ ପରିପ୍ରକାଶ, ଆଦି ନିଜ ପ୍ରକୃତିର ପରିପନ୍ଥୀ ବିଭିନ୍ନ କାର୍ଯ୍ୟରେ ଜଡ଼ିତରହି, ନିଜକୁ ନିଜର ଆଲୋକରୁ ବଞ୍ଚିତ କରୁଛି । ଆଜିର ଏ ଦ୍ଵନ୍ଦ୍ୱ, କଳହ, ଅଶାନ୍ତି, ଅସମତା ପ୍ରଭୃତିପାଇଁ ମାନବର ଅଚିନ୍ତା ଓ ଉଦାସୀନତାହିଁ ମୁଖ୍ୟତଃ ଦାୟୀ । ଦୃଷ୍ଟି ବାକ୍ୟ ଚିନ୍ତା ପବିତ୍ର କରି ଶୁଦ୍ଧ ଚିତ୍ତ ହୋଇ ପ୍ରେମ ଭକ୍ତିର ଆଦର୍ଶରେ ଉଦ୍‌ବୁଧ ହୋଇ ପାରିଲେ ସଚ୍ଚିଦାନନ୍ଦ ଉପଲବ୍ଧି ହୋଇପାରେ-

 

ଏହି ଧରାବକ୍ଷରେ ମାନବର ଜନ୍ମ । ଏହିଠାରେ ତାହାର ପିତା ପ୍ରପିତା ଜନ୍ମଗ୍ରହଣ କରିଥିଲେ ଏବଂ ପରବର୍ତ୍ତୀ ସନ୍ତାନ ସନ୍ତତି ମଧ୍ୟ ଜନ୍ମଗ୍ରହଣ କରିବେ । ଏହି ଧରାବକ୍ଷ ଯାହା ଯାବତ୍‌ଚନ୍ଦ୍ରାର୍କେ ସର୍ବଂସହା ହୋଇ ମାନବର ସମସ୍ତ ଆବଶ୍ୟକତା ପୂରଣ କରିଆସୁଛି, ସେଠାରେ ସଚ୍ଚିଦାନନ୍ଦର ଗୌରବ ପ୍ରସାର, ପରିପୁଷ୍ଟି, ମାନବର ଧର୍ମ । ସ୍ରଷ୍ଟା ଓ ସୃଷ୍ଟିପ୍ରତି ଏହା ହେବ କୃତଜ୍ଞତାର ଏକ ନିଦର୍ଶନ । ସ୍ରଷ୍ଟାପ୍ରତି ଭକ୍ତି ଓ ସୃଷ୍ଟି ପ୍ରତି ପ୍ରେମ, ଏହି ଅଭେଦ ଭାବର ଅଭାବରେ ଆତ୍ମସୁଖ ହରାଇ, ଆନନ୍ଦ ଓ ଆଲୋକର ସନ୍ତାନ ମାନବ, ସଦାନନ୍ଦ ବିଭୂତିରୁ ନିବୃତ୍ତ ହୁଏ । ନିଜ ପ୍ରାପ୍ୟରୁ ବଞ୍ଚିତ ହୋଇ, କାରଣ ଅନୁଧ୍ୟାନ ନକରି, ଅହଂକାର, ହିଂସା, ଦ୍ୱେଷ ଓ ତର୍କର ଆଶ୍ରୟଦ୍ୱାରା ମୋହଗ୍ରସ୍ତ ମନୁଷ୍ୟ କେବଳ ଦଣ୍ଡ ଧରି କରେ ବ୍ୟର୍ଥେ ଭ୍ରମଇ ଏ ସଂସାରେ ।

Image

 

ଇଦ୍‌ ଉଲ୍‌ ଫିତର୍‌

 

ଇଦ୍‌ଉଲ୍‌ ଫିତର୍‌ର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିବା ପୂର୍ବରୁ, ଏଥି ସଙ୍ଗେ ଜଡ଼ିତ କେତେକ ମୌଳିକ ବିଷୟ ପ୍ରତି ମୁଁ ଆପଣଙ୍କର ଧ୍ୟାନ ଆକର୍ଷଣ କରିବାକୁ ଇଚ୍ଛାକରେ । ଏହି ମୌଳିକ ବିଷୟ ହେଲା ୫ଗୋଟି । ପ୍ରଥମ ହେଲା ତୌହିଦ୍‌, ଅର୍ଥାତ୍‌ ଏକ ଈଶ୍ଵର ଓ ଗୁରୁ ପରମ୍ପରାରେ ଅଟଳ ବିଶ୍ଵାସ । ଆଲ୍‌ହାଙ୍କ ଛଡ଼ା ଅନ୍ୟକେହି ଆଲ୍‌ହା ନାହିଁ ଏବଂ ହଜରତ୍‌ ମହମ୍ମଦ (ସ) ଆଲ୍‌ହାଙ୍କର ବାର୍ତ୍ତାବହ ରସୁଲ ବା ପୈଗାମ୍ବର୍‌ । ପଏଗାମ୍ବରର ଅର୍ଥ ସୁଖବର ଓ ଯିଏ ଏହା ବହନ କରେ ସେ ପଏଗାମ୍ୱର । ଏ ବିଶ୍ଵାସ ଅଟଳ ହେବାପରେ ପରବର୍ତ୍ତୀ ବିଷୟ ହେଲା ନମାଜ ବା ପ୍ରାର୍ଥନା । ଈଶ୍ଵରଙ୍କର ଗୁଣଗାନ, ଗୁଣକୀର୍ତ୍ତନ ଏବଂ ତାଙ୍କର ଦତ୍ତ ବିଭିନ୍ନ ସୌଭାଗ୍ୟ ଓ ବସ୍ତୁର ସ୍ମରଣ ଚିନ୍ତନ ଏବଂ ଶେଷରେ ତାଙ୍କର ସହସ୍ର ସୁନ୍ଦର ନାମର ଉଚ୍ଚାରଣ ଓ ହୃଦ୍‌ବୋଧ । ୟାପରେ ଜକାତ୍‌ ବା ଦାନ । ଦାନପରେ ‘ରୋଜା’ ଉପବାସ ଓ ପଞ୍ଚମର ‘ହଜ୍‌’ ବା ଆରବର ମକ୍କା ନଗରୀ ସ୍ଥିତ କାବା ମନ୍ଦିରକୁ ତୀର୍ଥଯାତ୍ରା । ଏ ପାଞ୍ଚଗୋଟି ବିଷୟ ପରସ୍ପର ସହିତ ଅତି ଘନିଷ୍ଠଭାବେ ଜଡ଼ିତ । ଗୋଟିକୁ ବାଦ୍‌ ଦେଲେ ଅନ୍ୟଟି ଅର୍ଥହୀନ ହେଲେ ସୁଦ୍ଧା ରୋଜା ଓ ଜକାତ୍‍ ଅର୍ଥାତ୍‌ ଉପବାସ ଓ ଦାନ ପରସ୍ପରର ପରିପୂରକ ଏବଂ ଇଦ୍‌ଉଲ୍‌ ଫିତର୍‌ର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିବାକୁ ହେଲେ ଉପବାସ ଓ ଦାନର ଭୂମିକା ସମ୍ବନ୍ଧରେ ଜାଣିବା ଅଧିକ ପ୍ରୟୋଜନ ।

 

ରମଜାନ ମାସର ସନ୍ଧ୍ୟା ଚନ୍ଦ୍ର ଦର୍ଶନ ପରଦିନଠାରୁ ଉପବାସର ଆରମ୍ଭ ହୋଇ ୨୯ ଦିନ ବା ୩୦ ଦିନ ପର୍ଯ୍ୟନ୍ତ ରହେ । ତା’ପର ମାସ ‘ସୱାଲ’ ଅର୍ଥାତ୍‌ ଇଦ୍‌ର ଚନ୍ଦ୍ର ଦର୍ଶନ ପର୍ଯ୍ୟନ୍ତ ଉପବାସ କରାଯାଇଥାଏ । ଚନ୍ଦ୍ର ଦର୍ଶନ ପରେ ଇଦ୍‌ ଉତ୍ସବ ପାଳିତ ହୁଏ । ଇଦ୍‌ର ଅର୍ଥ ଖୁସି ବା ଆନନ୍ଦ ଫିତର୍‌ ଅର୍ଥ ଦାନ । କିନ୍ତୁ ଫିତର୍‌ ଓ ଜକାତ୍‍ ମଧ୍ୟରେ ସାମାନ୍ୟ ତଫାତ୍‌ ଅଛି । ଯେଉଁମାନେ ଉପବାସ କରିଥାନ୍ତି, ଉପବାସ ପରେ, ଇଦ୍‌ ପ୍ରାର୍ଥନା ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଖାଦ୍ୟଶସ୍ୟ ବା ତା’ର ମୂଲ୍ୟ ଗରିବ ଲୋକଙ୍କୁ ଦାନ କରନ୍ତି । ଯାହାର ଏହି ଫିତର୍‌ ଦେବାର ଶକ୍ତି ନାହିଁ ସେ ଆଉକିଛି ଦିନ ଉପବାସ କରି ଏହି ଫିତର୍‌ ଦାନରୁ ମୁକ୍ତିପାଏ । ଏହା ନହେଲା ପର୍ଯ୍ୟନ୍ତ; ଅର୍ଥାତ୍ ଫିତରା ନଦେଲା ପର୍ଯ୍ୟନ୍ତ ବା ତା’ ବଦଳରେ ଉପବାସ ନକଲା ପର୍ଯ୍ୟନ୍ତ, ରୋଜା ସମ୍ପୂର୍ଣ୍ଣ ହୁଏନା । ଜକାତ୍‌ ରୂପକ ଦାନ ଏହି ଫିତରାଠାରୁ ଭିନ୍ନ । ସ୍ଵଚ୍ଛଳ ଲୋକେ ଅର୍ଥାତ୍ ଯାହାର ଏକ ନିର୍ଦ୍ଦିଷ୍ଟ ପରିମାଣର ସୁନା ରୁପା, ସ୍ଥାବର ଅସ୍ଥାବର ସମ୍ପତ୍ତି ଅଛି, ସେଥିରୁ ୨.୫ ପ୍ରତିଶତ ଗରିବ, ଅନାଥ, ବିଧବା ଏବଂ ଦୁଃଖୀ ରଙ୍କିଙ୍କ ମଧ୍ୟରେ ବିତରଣ ହେଲା ଜକାତ୍‌ । କୋରାନ୍‌ ଗ୍ରନ୍ଥରେ ବହୁସ୍ଥାନରେ ଯେଉଁଠାରେ ନମାଜର ଆଦେଶ ରହିଛି ତା’ ସାଙ୍ଗକୁ ଏହି ଜକାତ୍‌ର ଉଲ୍ଲେଖ ମଧ୍ୟ ରହଛି । ଅର୍ଥାତ୍‌ ନମାଜ ପଢ଼ ଓ ଜକାତ୍‌ ଦିଅ । ନିୟମିତ ନମାଜ ଓ ଜକାତ୍‌ର ଅଭ୍ୟାସ ରଖ ଇତ୍ୟାଦି ଇତ୍ୟାଦି । ମୁସଲମାନ ହେବାର ଏହା ଏକ ଲକ୍ଷଣ ଯେ ସେମାନେ ନମାଜ ବା ପ୍ରାର୍ଥନା କରନ୍ତି ଏବଂ ଜକାତ୍‌ ବା ଦାନ କରନ୍ତି । ଏହା ନକରିବା ନାସ୍ତିକର ଲକ୍ଷଣ । କୋରାନ୍‌ର ସୁରା ‘ରୁମ’ ଏବଂ ‘ଫୁସିଲତ୍‌’ର ଯଥାକ୍ରମେ ପଂକ୍ତି ୩୧ ଓ ୭୬–୭୭ରେ ଏହା ବର୍ଣ୍ଣିତ ଅଛି । ଏବଂ ଜକାତ୍‌ ନଦେଉଥିବା ବ୍ୟକ୍ତି ପରକାଳରେ ତା’ର ସୁନା ରୁପାରୁ ଯେଉଁ ଅଗ୍ନି ବାହାରିବ ସେହି ଅଗ୍ନିରେ ଦଗ୍ଧ ହେବାର କଥା ହଜରତ୍‌ ମହମ୍ମଦଙ୍କ ବାଣୀରୁ ଜଣାଯାଏ ।

 

ରମ୍‌ଜାନ୍‌ ମାସରେ ପବିତ୍ର କୋରାନ୍‌ର ଆବିର୍ଭାବ ହୋଇଥିଲ। । ଏହା ସମସ୍ତ ମାନବ ଜାତିପାଇଁ ଏବଂ ନ୍ୟାୟ ଅନ୍ୟାୟ ସତ୍ୟ ଓ ମିଥ୍ୟା ମଧ୍ୟରେ ଏକ ମାନଦଣ୍ଡ ବା ମାପକାଠି ଭାବରେ ସବୁଦିନ ପାଇଁ ବିରାଜିତ । ପବିତ୍ର କୁର୍‌ଆନର ସୁରାବକ୍‌ରା–ଗାଭୀ ବା ଗାଈର ୧୭୭ ପଂକ୍ତିରେ ଉଲ୍ଲେ‌ଖ ଅଛି, ଯେ କେବଳ ପୂର୍ବକୁ ବା ପଶ୍ଚିମକୁ ମୁହଁ ବୁଲାଇ ଦେଲେ ପ୍ରାର୍ଥନା ହୁଏନା । ମୁସଲମାନମାନେ ପଶ୍ଚିମ ଦିଗକୁ ମୁଖକରି ପ୍ରାର୍ଥନା କରନ୍ତି । ପ୍ରାର୍ଥନାରେ ଜଡ଼ିତ ରହିଛି । ଅଟଳ ଭଗବତ୍‌ ବିଶ୍ଵାସ, ପରକାଳରେ ବିଶ୍ୱାସ, ଦେବତାଗଣ ଧର୍ମପୁସ୍ତକ ଓ ବାର୍ତ୍ତାବହଙ୍କ ଉପରେ ବିଶ୍ଵାସ ସଙ୍ଗେ ସଙ୍ଗେ ଆଲ୍‌ହାଙ୍କୁ ସନ୍ତୁଷ୍ଟ କରିବାପାଇଁ ଦୁଃଖୀ ଦରିଦ୍ର, ଅନାଥ, ବିଧବା ଯାହାର ଦରକାର ଅଛି ଏବଂ ଯିଏ ମାଗୁଛି ଏବଂ ନିଜର ବନ୍ଧୁବାନ୍ଧବମାନଙ୍କ ମଧ୍ୟରେ ନିଜର ଧନ ସମ୍ପତ୍ତିର ବିତରଣହିଁ ପ୍ରକୃତ ଧର୍ମ । କ୍ରୀତଦାସକୁ ବନ୍ଧନରୁ ମୁକ୍ତ କରିବା ଏବଂ ଜକାତ୍‍ ବା ନିଜ ସମ୍ପତ୍ତିର କିଛିଭାଗ ଦାନକରିବା ଅନିବାର୍ଯ୍ୟ । ଅନ୍ୟ ଲୋକଙ୍କ ସହ ହୋଇଥିବା ଚୁକ୍ତିର ଅକ୍ଷର ଅକ୍ଷର ପାଳନ, ଦୁଃଖଦୁର୍ଦ୍ଦଶାରେ ଧୈର୍ଯ୍ୟ ବହନହିଁ ପ୍ରକୃତ ଆସ୍ତିକର ଲକ୍ଷଣ । ଏହା କିଛି ନୂଆକଥା ନୁହେଁ । ଇସଲାମ ଧର୍ମର ପୂର୍ବବର୍ତ୍ତୀ ଧର୍ମମାନଙ୍କରେ ମଧ୍ୟ ଏଇଭଳି ଉପବାସ ଓ ଦାନର ନିର୍ଦ୍ଦେଶ ରହିଛି ।

 

ପର୍ବପର୍ବାଣିମାନଙ୍କରେ ଭୋଜିଭାତ ହେବା, ନୂଆଲୁଗା ପିନ୍ଧିବା ଏବଂ ନାନାପ୍ରକାରର ଯାନିଯାତ୍ରା, ମଉଜ ମଜଲିସ୍ ହେବାତ ସ୍ଵାଭାବିକ । କିନ୍ତୁ ଏହା କେବଳ ଥିଲାବାଲା ଧନୀ ଲୋକଙ୍କୁ ସୁହାଏ । ଯେଉଁମାନେ ମେହନତୀଲୋକ, ଯେଉଁମାନଙ୍କର ପ୍ରତିଦିନ ଚଳିବାକୁ, ଘରସଂସାର ଚଳାଇବାକୁ ଶକ୍ତି ସାମର୍ଥ୍ୟ ନାହିଁ ସେମାନଙ୍କ ପାଇଁ ପର୍ବପର୍ବାଣି ଏକ ଦୁଃଖଦାୟକ ଅନୁଭୂତି । ଧନୀ ଲୋକଙ୍କର ଜାକଜମକ ସହିତ ତାଳଦେବା ତ ଦୂରର କଥା । ସେଥିପାଇଁ ଇଦ୍‌ ପର୍ବର ଉଦ୍ଦେଶ୍ୟ ହେଲା ନିଜର ଆର୍ଥିକ ସ୍ଵଚ୍ଛଳତାକୁ ଗରିବ, ଅନାଥ, ଦରିଦ୍ର ଦୁଃଖୀରଙ୍କିଙ୍କର ଆନନ୍ଦପାଇଁ, ସନ୍ତୋଷପାଇଁ ବିତରଣ କରିବା । ଯେଉଁଠାରେ ଗୋଟିଏ ବର୍ଗର ଲୋକ ଦୁଃଖ କଷ୍ଟ ଅଭାବ ଅନାଟନରେ ଦିନ କାଟନ୍ତି, ସେଠାରେ ଅନ୍ତତଃ ଉତ୍ସବ ପର୍ବର କୌଣସି ଅର୍ଥ ହୁଏନା, ତେଣୁ ନିଜେ ଖାଇ ଅନ୍ୟକୁ ଖୁଆଇବା, ନିଜେ ପିନ୍ଧି ଅନ୍ୟକୁ ପିନ୍ଧାଇବା, ନିଜର ଆନନ୍ଦରେ, ଖୁସିରେ ଅନ୍ୟକୁ ଭାଗୀଦାର କରାଇବା ହେଲା ଇଦ୍‌ ପର୍ବର ଉଦ୍ଦେଶ୍ୟ ।

 

ରମ୍‌ଜାନ୍ ମାସର ଶେଷଦିନର ସନ୍ଧ୍ୟାରେ ସୱାଲ ମାସ ବା ଇଦ୍‌ର ଚନ୍ଦ୍ର ଦର୍ଶନ ପରେ ପ୍ରତ୍ୟେକ ଘର ଆନନ୍ଦ ମୁଖରିତ ହୋଇଉଠେ । ସକାଳର ଉତ୍ସବରେ, ପ୍ରସ୍ତୁତିରେ ଅନେକେ ରାତିସାରା ବ୍ୟସ୍ତ ରହନ୍ତି । ଛୋଟପିଲାମାନଙ୍କର ଆନନ୍ଦ କହିଲେ ନସରେ । ଅତିଭୋରରୁ ଉଠି ନିତ୍ୟକର୍ମ ସାରି ନୂଆଲୁଗା ପିନ୍ଧି ସାଇପଡ଼ିଶା ଘରେ ଉପହାର, ଖାଦ୍ୟ ଦ୍ରବ୍ୟ ଦିଆନିଆରେ ବ୍ୟସ୍ତ ରହନ୍ତି । କେଉଁଠି ନୂଆଲୁଗାପଟା ଦିଆ ହୁଏତ କେଉଁଠି ଖାଦ୍ୟ ସାମଗ୍ରୀ । ଏପରି ଦିଆନିଆରେ ଅନାଥ ବିଧବା ସମ୍ବନ୍ଧିମାନଙ୍କ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥାଏ । ଇଦ୍‌ର ସମବେତ ପ୍ରାର୍ଥନାପାଇଁ ଯେଉଁ ସ୍ଥାନ ନିର୍ଦ୍ଦିଷ୍ଟ ଥାଏ ତାକୁ ‘ଇଦ୍‌ଘା’ କୁହାଯାଏ । ଯେଉଁଠାରେ ଇଦ୍‌ଘା ନଥାଏ ସେଠାରେ ସ୍ଥାନୀୟ ମସଜିଦରେ ସମବେତ ପ୍ରାର୍ଥନା ଏବଂ ଏହି ପର୍ବର ବିଶେଷତ୍ଵ ସମ୍ବନ୍ଧରେ ମୌଲବୀମାନେ ବକ୍ତୃତା ମଧ୍ୟ ଦେଇଥାନ୍ତି । ପ୍ରାର୍ଥନାପରେ ସମବେତ ଭକ୍ତଗଣ ପରସ୍ପର ସହ କରମର୍ଦ୍ଦନ ଓ ଆଲିଙ୍ଗନ କରିଥାନ୍ତି । ଆମ ଭାରତରେ ଜାତି, ଧର୍ମ ନିର୍ବିଶେଷରେ ଏହିଦିନ ମୁସଲମାନ ଭାଇମାନଙ୍କୁ ଅନ୍ୟମାନେ ଇଦ୍‌ର ଅଭିନନ୍ଦନ ବା ଇଦ୍‌ ମୁବାରକ୍ ଜଣାଇଥାନ୍ତି । ପରିଚିତ ହେଉ ବା ଅପରିଚିତ ହେଉ, ଶତ୍ରୁ ହେଉ ଅବା ମିତ୍ର ହେଉ, ଧନୀ ହେଉକି ଗରିବ ହେଉ ଇଦ୍‌ ଦିନ ମିଳନର ଦିନ । ପରସ୍ପର ଦୁଃଖସୁଖ ବାଣ୍ଟିବାର ଦିନ । ମନୋମାଳିନ୍ୟ ଦୂର କରିବାର ଦିନ । ଆନନ୍ଦରେ ହରିଙ୍କୁ ଭଜିବାର ଦିନ । ବନ୍ଧୁତା ଓ ସୌହାର୍ଦ୍ଦ୍ୟର ଦିନ । ଭକ୍ତ କବି ମଧୁସୂଦନଙ୍କ ଭାଷାରେ ‘ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ, କେଜାଣେ କାହାର ଆଜି ମୃତ୍ୟୁ କାଳ ହୋଇଯିବ ଉପସ୍ଥିତ ଯାହା କରିବ ଆଜିହିଁ ଏଇ ପବିତ୍ର ଇଦ୍‌ ମିଳନରେ କର । କିଏ ଜାଣେ ଆଗାମୀ ବର୍ଷର ଇଦ୍‌ ପୁଣି ଭାଗ୍ୟରେ ଥିବ କି ନାହିଁ ।

Image

 

ସବଳର ଅହିଂସା

 

ମହାପୁରୁଷ ମହମ୍ମଦଙ୍କ ମୃତ୍ୟୁପରେ ଚତୁର୍ଥ ଖଲିଫା ହଜରତ୍‌ ଅଲ୍ଲୀ ଥରେ ଏକ ଯୁଦ୍ଧରେ ବିପକ୍ଷ ଦଳର ଜଣେ ସୈନିକକୁ ତଳେ ଚିତ୍‍ପକାଇ ଦେଇ ତାକୁ ଆଘାତକଲା ସମୟରେ ସେ ତାଙ୍କ ଉପରକୁ ମେଞ୍ଚାଏ ଛାପ ପକାଇଦେଲାରୁ ଅଲ୍ଲୀ ଭୀଷଣ ରାଗିଗଲେ ଏବଂ ସଙ୍ଗେ ସଙ୍ଗେ ତାକୁ ଛାଡ଼ିଦେଇ ଅଲଗା ହୋଇଗଲେ । ଯେଉଁମାନେ ଏହା ଦେଖୁଥିଲେ କହିଉଠିଲେ ‘ଏ କ’ଣ ? କ’ଣ କଲ, ଛାଡ଼ିଦେଲ କାହିଁକି ?’ ଅଲ୍ଲୀ ଉତ୍ତର ଦେଲେ ‘ମୁଁ ରାଗିଯାଇଛି ତା’ର ଏ ବ୍ୟବହାରରେ । ମୋର ରାଗ ଶାନ୍ତ ହେଲେ ମୁଁ ପୁଣି ତା’ ସହିତ ଯୁଦ୍ଧ କରିବି । କ୍ରୋଧାନ୍ୱିତ ଅବସ୍ଥାରେ ମୁଁ ଯଦି ତା’ର କ୍ଷତି କରେ ତେବେ ଆଲ୍‌ହାଙ୍କ ନିକଟରେ ମୁଁ ଦୋଷୀ ହେବି । ତା’ ସହିତ ମୋର କୌଣସି ବ୍ୟକ୍ତିଗତ କଳହ ନାହିଁ । ଏହା ଥିଲା ଇସଲାମର ଆଦର୍ଶ ଓ ସବଳର ଅହିଂସା । ଅବଶ୍ୟ ପରେ ଅଲ୍ଲୀ ତାକୁ ପରାଜିତ କରିଥିଲେ । କିନ୍ତୁ ବିଜୟୀ ହୋଇମଧ୍ୟ ପ୍ରାର୍ଥନାରତ ଥିଲାବେଳେ ଶତ୍ରୁର ଅତର୍କିତ ବିଷ ଛୁରିକାଘାତରେ ତାଙ୍କୁ ସହିଦ ହେବକୁ ପଡ଼ିଥିଲା ।

 

ଅଲ୍ଲୀଙ୍କର ଦୁଇପୁତ୍ର ହସନ୍‌ ଓ ହୁସେନ୍‌ । ଏମାନେ ମହାପୁରୁଷ ମହମ୍ମଦଙ୍କ ନାତି । ତାଙ୍କ ଝିଅ ବିବିଫାତିମାଙ୍କ ପୁତ୍ର । ଅତି ଶୈଶବରୁ ଏମାନେ ପିତାମହ ଓ ପିତାଙ୍କ ଆଦର୍ଶରେ ଲାଳିତପାଳିତ ହୋଇଥିଲେ ।

 

ହଜରତ୍ ଅଲ୍ଲୀଙ୍କ ମୃତ୍ୟୁପରେ ପୁତ୍ର ଇମାମ୍‌ ହସନ୍‌ ଖଲିଫା ହେଲେ । ଅଲ୍ଲୀଙ୍କ ଜୀବିତାବସ୍ଥାରେ ଅମୀର ମାଓ୍ୱେୟା ନାମକ ଏକ ପ୍ରଭାବଶାଳୀ ବ୍ୟକ୍ତିଙ୍କସହ ଚୁକ୍ତି ହୋଇଥିଲ। ଯେ, ହସନ୍‌ଙ୍କ ପରେ ମାଓ୍ୱେୟା ଖଲିଫାହେବେ । ଏଥିରେ ପୁଣି ସର୍ତ୍ତ ଥିଲା ଯେ ମାଓ୍ୱେୟା ନିଜର ଉତ୍ତରାଧିକାରୀ ନିରୂପଣ କରିବେ ନାହିଁ । ମାଓ୍ୱେୟା କୂଟକପଟକରି ଖଲିଫା ଇମାମ୍‌ ହସନ୍‍ଙ୍କୁ ବିଷ ଦେଇ ହତ୍ୟା କରାଇଦେଲେ ଏବଂ ତାଙ୍କ ପରେ ନିଜେ ଖଲିଫା ହେଲେ ଓ ଚୁକ୍ତିର ସର୍ତ୍ତକୁ ଅବଜ୍ଞାକରି ନିଜପରେ ନିଜପୁତ୍ର ଏଜିଦ୍‌କୁ ଖଲିଫା ହେବାପାଇଁ ମନୋନୀତ କରିଥିଲେ । ଏଜିଦ୍‌ ଥିଲେ ଏକ ନଷ୍ଟଚରିତ୍ର ବ୍ୟକ୍ତି । ମୁଷ୍ଟିମେୟ ଧନୀ ଲମ୍ପଟ ଓ ଶକ୍ତିଶାଳୀ ବ୍ୟକ୍ତିଙ୍କ ସମର୍ଥନପାଇ ଏଜିଦ୍‌ ଅତି ଗର୍ବୀ ଓ ପରାକ୍ରମଶାଳୀ ବୋଲି ନିଜକୁ ମନେକରି ହସନ୍‌ଙ୍କ ସାନଭାଇ ହୁସେନ୍‍ଙ୍କୁ ନିଜର ଆନୁଗତ୍ୟ ସ୍ଵୀକାର କରିବାକୁ ଆହ୍ୱାନ କଲେ । ଏଜିଦ୍‌କୁ ଜଣାଥିଲା ଇମାମ୍‌ ହୁସେନ୍ ଏହା ଗ୍ରହଣ କରିବେ ନାହିଁ । ତଥାପି ତାଙ୍କୁ ରାଜଦ୍ରୋହ ଅପରାଧରେ ଦୋଷ କରି ହତ୍ୟାକରିବା ଏଜିଦ୍‌ର ଉଦ୍ଦେଶ୍ୟଥିଲା । ସିରିୟାର ରାଜଧାନୀ ଦାମସ୍କରୁ ଦଳେ ଲୋକଙ୍କୁ ହୁସେନ୍ ରହୁଥିବା ମକ୍କା ସହରକୁ ହାଜିବେଶରେ ପଠାଗଲା, ହୁସେନ୍‍ଙ୍କୁ ହତ୍ୟାକରିବା ପାଇଁ । ଏଠାରେ ଏହା ଉଲ୍ଲେଖନୀୟ ଯେ, ମକ୍କାସ୍ଥିତ କାବା ମନ୍ଦିରରେ ମନୁଷ୍ୟତ ମନୁଷ୍ୟ, ଏପରିକି ଜୀବଜନ୍ତୁମାନଙ୍କୁ ମଧ୍ୟ ହତ୍ୟା କରିବା ନିଷେଧ ଥିଲା । ଏହା ଜାଣିପାରି ହୁସେନ୍‌ ସେ ବର୍ଷ ହଜ୍‌ କର୍ମରେ ଯୋଗ ନଦେଇ ନିଜର ପରିବାର ଓ କେତେକ ବିଶ୍ଵସ୍ତ ଅନୁଚରଙ୍କ ସହ ମକ୍କା ତ୍ୟାଗକରି କୁଫା ସହର ଅଭିମୁଖେ ଯାତ୍ରା କଲେ । କାରଣ କୁଫାରୁ ତାଙ୍କ ପ୍ରେରିତ ତାଙ୍କର ଜଣେ ସମ୍ପର୍କୀୟ ଭାଇ ମୁସ୍‌ଲିମ୍‌ ବିନ୍‌ ଅକିଲ, ତାଙ୍କୁ ଖବର ପଠାଇଥିଲେ ଯେ କୁଫାବାସୀ ତାଙ୍କୁ ସାହାଯ୍ୟ କରିବେ । ପରେ ପରେ ମୁସ୍‌ଲିମ୍‌ ବିନ୍‌ ଅକିଲଙ୍କୁ ହତ୍ୟା କରାଗଲ। ଏବଂ ଇମାମ୍‌ ହୁସେନ୍‍ଙ୍କୁ କୁଫାର ରାଜ୍ୟପାଳ ଇବ୍‌ନେ ଜିୟାଦ୍‌ଙ୍କ ପାଖକୁ ଆଦେଶ ଦିଆଗଲା । ଇମାମ୍ ହୁସେନ୍ କୁଫା ଯିବାକୁ ନେବାକୁ ଅନିଚ୍ଛା ପ୍ରକାଶକରି ଇଉଫ୍ରେଟିସ୍‌ ନଦୀ କୂଳସ୍ଥିତ ବାଇବଲା ଅଭିମୁଖେ ଯାତ୍ରାକଲେ ଏବଂ ନଦୀକୂଳରେ ନିଜର ତମ୍ବୁ ପକାଇଲେ । ମାତ୍ର ସେନାଧ୍ୟକ୍ଷ ‘ହୁର’ ତାଙ୍କୁ ବାରଣକଲେ ନଦୀକୂଳରେ ରହିବାପାଇଁ । ନିଜ ଅନୁଚରମାନଙ୍କ ଅନିଚ୍ଛାସତ୍ତ୍ୱେ, ଅଯଥା ରକ୍ତପାତକୁ ଏଡ଼ାଇବାପାଇଁ ଇମାମ୍ ହୁସେନ୍‌ ନଦୀକୂଳରୁ ନିଜର ତମ୍ବୁ ଉଠାଇ କିଛି ଦୂରରେ ଶୁଷ୍କ ମରୁକ୍ଷେତ୍ରରେ ଅବସ୍ଥାନ କଲେ । ଏହି ଘଟଣାର କିଛିଦିନ ପୂର୍ବରୁ ସେନାଧ୍ୟକ୍ଷ ହୁର ଓ ସୈନ୍ୟମାନେ ମରୁଭୂମି ମଧ୍ୟରେ ପିପାସାରେ ଜର୍ଜରିତ ହୋଇ ହୁସେନ୍‍ଙ୍କ ପାଖରେ ପହଞ୍ଚିଥିଲେ ଏବଂ ଜଳପାଇଁ ଅନୁରୋଧ କରିଥିଲେ । ନିଜର କର୍ତ୍ତବ୍ୟ ମନେକରି ହୁସେନ୍‌ ବିନା ଦ୍ୱିଧାରେ ନିଜର ଗଚ୍ଛିତ ସମସ୍ତ ଜଳପାତ୍ର ଏମାନଙ୍କୁ ଦେଇଥିଲେ । ଅନ୍ୟମାନଙ୍କ ବାରଣ ସତ୍ତ୍ଵେ ହୁସେନ୍‌ଙ୍କ ମନରେ କୌଣସି ପାପ ଚିନ୍ତାର ଉଦ୍ରେକ ହୋଇ ନଥିଲା । ତୃଷାତୁର ବ୍ୟକ୍ତି ଓ ଜୀବଙ୍କୁ ପାଣିଦେବା ଏକ ମାନବୀୟ କର୍ତ୍ତବ୍ୟଭାବି ସେ ଏହା କରିଥିଲେ । ତାଙ୍କୁ ଜଣା ନଥିଲା ଯେ, ତା’ର କିଛିଦିନପରେ ସେହି ସେନାଧ୍ୟକ୍ଷ ହୁରଙ୍କର କପଟତାର ଶିକାର ହେବେ ।

 

ସନ୍‌ ୬୧ ହିଜିରୀ, ମହରମ ଦୁଇ ତାରିଖରେ ଇମାମ୍‌ ହୁସେନ୍‌ କର୍‌ବଳାରେ ପ୍ରବେଶ କଲେ । ଏବଂ ଏଜିଦ୍‌ଙ୍କ ସୈନ୍ୟସହ ଯୁଦ୍ଧ ଏଡ଼ାଇବା ପାଇଁ ବହୁ ଚେଷ୍ଟାକଲେ ଏବଂ ସନ୍ଧିର ପ୍ରସ୍ତାବ କଲେ । କାରଣ ଇସଲାମ ଧର୍ମ ଯୁଦ୍ଧପାଇଁ ନୁହେଁ, ଇସଲାମର ଅର୍ଥହିଁ ଶାନ୍ତି । ଧର୍ମ ଯାହା ଶିକ୍ଷା ଦିଏ ସେଥିପାଇଁ ଧର୍ମ ଦାୟୀ । ଗର୍ବୀ କ୍ଷମତା ଲୋଲୁପ ରାଜା ବାଦ୍‌ଶାହ ଓ ସେନାପତିମାନଙ୍କର ରାଜ୍ୟ ଲିପ୍ସା, ଧର୍ମନାମରେ ହତ୍ୟା ଓ ପରରାଜ୍ୟ ଅପହରଣ ପାଇଁ ଯୁଦ୍ଧ । ଏଥିପାଇଁ ଧର୍ମ ଦାୟୀ ହୋଇପାରେନା । ହୁସେନ୍‌ଙ୍କ ସନ୍ଧି ପ୍ରସ୍ତାବର ସର୍ତ୍ତଗୁଡ଼ିକ ଏପରି ଆକର୍ଷଣୀୟ ଥିଲା ଯେ, ଏଜିଦ୍‌ର ପ୍ରଧାନ ସେନାପତି ଉମରସାହାଙ୍କୁ ସ୍ଵୀକାର କରିବାକୁ ପଡ଼ିଥିଲା ଯେ ହୁସେନ୍‌ ପ୍ରକୃତରେ ଶାନ୍ତି ଚାହାନ୍ତି । କିନ୍ତୁ ଉଦ୍ଧତ ଏଜିଦ୍‌ ଏହାକୁ ଗ୍ରହଣ କରିବା ପରିବର୍ତ୍ତେ, ହୁସେନ୍‍ଙ୍କୁ ‘ଆନୁଗତ୍ୟ ସ୍ୱୀକାର ବା ମୃତ୍ୟୁ’ ଏ ଦୁଇଟିରୁ ଗୋଟିକୁ ବାଛିନେବାକୁ ପ୍ରସ୍ତାବକଲେ । ସୁତରାଂ ଧର୍ମର ନୀତି ଅନୁସାରେ ହୁସେନ୍‌ଙ୍କୁ ଅନିଚ୍ଛା ସତ୍ତ୍ୱେ ଆତ୍ମରକ୍ଷା ପାଇଁ ଯୁଦ୍ଧ କରିବାକୁ ପଡ଼ିଥିଲା ।

 

ମହରମ ଦୁଇ ତାରିଖରୁ ଛଅ ତାରିଖ ମଧ୍ୟରେ ଗଚ୍ଛିତଥିବା ଖାଦ୍ୟ ଓ ପାନୀୟ ଶେଷ ହୋଇଗଲା । ପାଣିର ଅଭାବରେ ହୁସେନ୍‍ଙ୍କ ପକ୍ଷ ପରସ୍ପର ପରସ୍ପରର ଜିଭକୁ ଚାଟିଚାଟି ଏପରିକି ଦେହରୁ ନିର୍ଗତ ଝାଳକୁ ଗାମୁଛାରୁ ଚିପୁଡ଼ି ଯତ୍‌ସାମାନ୍ୟ ତୃଷ୍ଣା ମେଣ୍ଟାଉଥିଲେ । ଏ ଘଟଣା ଲକ୍ଷ୍ୟ କରି ପୂର୍ବୋକ୍ତ ସେନାଧ୍ୟକ୍ଷ ହୁରଙ୍କର ମନରେ ପରିବର୍ତ୍ତନ ଘଟିଲା । ଇସଲାମର ବିଗତ ୫୦ ବର୍ଷର ଇତିହାସ ତାଙ୍କ ଚକ୍ଷୁ ସମ୍ମୁଖରେ ଉଦ୍ଭାସିତ ହେଲା । ସେ ମନକୁମନ କହିଉଠିଲେ ହେ ହୁସେନ୍‌ ତୁମେ ଠିକ୍‌ ତୁମ ପିତା ଓ ପିତାମହଙ୍କ ସଦୃଶ ବିପଦରେବି ଦୃଢ଼ଚିତ୍ତ ଓ ଉଦାର । ତୁମେ ମହରମ ପ୍ରଥମ ଦିବସରେ କର୍‌ବଲାରେ ପ୍ରବେଶକଲ ପ୍ରଥମେ । ଦ୍ଵିତୀୟ ଦିନ ଏଜିଦ୍‌ର ସୈନ୍ୟ ଆସି ତୁମକୁ ନଦୀତଟରୁ ଚାଲିଯିବାକୁ କହିଲେ । ତୁମେ କଳହ ଆରମ୍ଭ ନକରିବା ଉଦ୍ଦେଶ୍ୟରେ ଅନ୍ୟ ଅନୁଚରଙ୍କର ବାରଣ ସତ୍ତ୍ଵେ ସେ ସ୍ଥାନ ଛାଡ଼ି ଜଳହୀନ ଏହି ପ୍ରାନ୍ତରକୁ ତୁମର ଶିବିର ଉଠାଇ ଆଣିଲ । ଶତ୍ରୁପକ୍ଷର ସୈନ୍ୟ ସେ ସମୟରେ ବେଶି ନଥିଲେ ଏବଂ ତୁମେ ଇଚ୍ଛାକରିଥିଲେ ତାଙ୍କୁ ପରାସ୍ତ କରିପାରିଥାଆନ୍ତ । ଏପରିକି ତୁମେ ଦେଶାନ୍ତର ହେବାକୁ ଇଚ୍ଛାପ୍ରକାଶ କରିଥିଲ କିନ୍ତୁ ଏଜିଦ୍‌ ଏଥିରେ ରାଜି ହେଲେନାହିଁ । ତୁମକୁ ନଦୀର ଜଳରୁ ବଞ୍ଚିତ କରାଗଲା । ତମ୍ବୁମଧ୍ୟରେ ଗଚ୍ଛିତଥିବା ଜଳ ମଧ୍ୟ ସଙ୍ଗରେ ନେବାକୁ ଦିଆଗଲାନାହିଁ । ଏହି ଚିନ୍ତା କରୁକରୁ ‘ହୁର’ ନିଜେ ପାଣି ପିଇବାକୁ ପାତ୍ର ଉଠାଇଲେ ଏବଂ ପର ମୁହୂର୍ତ୍ତରେ ତାହା ଫିଙ୍ଗିଦେଇ କହିଲେ ଯେଉଁ ଲୋକ ମୋତେ ଓ ମୋର ସୈନ୍ୟ ଏପରିକି ତୃଷିତ ଅଶ୍ଵମାନଙ୍କୁ ନିଜର ଦୁର୍ଲଭ ଗଚ୍ଛିତ ଜଳ ଅକାତରେ ଦାନ କରିଥିଲେ, ଆଜି ସେହି ବ୍ୟକ୍ତି ଓ ତା’ର ପରିବାର ପିପାସା ସନ୍ତପ୍ତ । ମୁଁ ଏତେ କୃତଘ୍ନ ହୋଇପାରେନା । ଏହି ଜଳ ଆଜି ମୋର ସବୁଠାରୁ ଘୃଣ୍ୟବସ୍ତୁ ।

 

ପରଦିନ ଆଠ ତାରିଖ ମୋହରମ । ହୁର ନିଜର ପୁତ୍ର ଓ ବ୍ୟକ୍ତିଗତ ପରିବାରଙ୍କ ସହ ହୁସେନ୍‌ଙ୍କ ଶିବିରକୁ ଚାଲିଆସିଲେ ଏବଂ ନିଜର ତରବାରି ହୁସେନ୍‍ଙ୍କ ପାଦତଳେ ଥୋଇ ଏଜିଦ୍‌ ସୈନ୍ୟଙ୍କ ବିପକ୍ଷରେ ଯୁଦ୍ଧ କରିବାକୁ ପ୍ରତିଜ୍ଞାକଲେ । ଶତ୍ରୁପକ୍ଷର ୫ ହଜାର ଅଶ୍ଵାରୋହୀ ସୈନ୍ୟ ଆକ୍ରମଣ କରିବାକୁ ପ୍ରସ୍ତୁତ ଦେଖି ହୁସେନ୍‌ଙ୍କ ସମ୍ପର୍କୀୟ ଭାଇ ଅଲ୍ଲୀ ଅବ୍‌ବାସ ଅତି ଆନନ୍ଦରେ ଯୁଦ୍ଧର ସମ୍ମୁଖୀନ ହେବାକୁ ଅନୁମତି ମାଗିଲେ କିନ୍ତୁ ଶାନ୍ତିପ୍ରିୟ ହୁସେନ୍‌ ତାଙ୍କୁ କହିଲେ ‘ନା ଆଜି ରାତିକପାଇଁ ମହଲତମାଗ । ଆଜି ରାତି ଉପାସନାରେ କଟାଇବା ।’ ତାହାହିଁ ହେଲା । ହୁସେନ୍ ନିଜର ସମସ୍ତଙ୍କୁ ଏକତ୍ରିତ କରି ଏକପ୍ରସ୍ତାବ ଦେଲେ ଯେ ତାଙ୍କପାଇଁ ଅନ୍ୟମାନେ କାହିଁକି ଯୁଦ୍ଧର ସମ୍ମୁଖୀନ ହେବେ । ଯାହାର ଇଚ୍ଛା ସେ ଏଇ ରାତ୍ରୀର ଅନ୍ଧକାରରେ ଏ ସ୍ଥାନ ପରିତ୍ୟାଗକରୁ କାହାରିଠାରୁ କୌଣସି ଉତ୍ତର ନପାଇ ହୁସେନ୍‌ ତମ୍ବୁଭିତରେ ଜଳୁଥିବା ବତୀଟିକୁ ଲିଭାଇ ଦେଲେ । ଉଦ୍ଦେଶ୍ୟ ଆଲୋକରେ ତାଙ୍କୁ ଛାଡ଼ି ଚାଲିଯିବାକୁ କାଳେ କିଏ ଲଜ୍ଜା ଓ ସଂକୋଚ ବୋଧ କରିପାରେ । କିଛିକ୍ଷଣପରେ ବତୀ ପୁଣି ଜଳିଲା ଏବଂ ଦେଖାଗଲା ସମସ୍ତେ ନିଜ ନିଜ ସ୍ଥାନରେ ଦୃଢ଼ ରହିଛନ୍ତି । ତାଙ୍କୁ ଛାଡ଼ି ଯିବାକୁ କେହି ପ୍ରସ୍ତୁତ ନୁହନ୍ତି । ଜଣେ ଉତ୍ତର ଦେଲେ ମୁଁ ଆଜି ତୁମକୁ ଏ ଅସହାୟ ଅବସ୍ଥାରେ ପରିତ୍ୟାଗକଲେ ମୃତ୍ୟୁପରେ ବିଚାରର ଦିନ ଆଲ୍‌ହା ଓ ତୁମର ପିତାମହଙ୍କ ପାଖରେ ମୁହଁ ଦେଖାଇବି କିପରି ? ଆଉଜଣେ କହିଲେ ମୁଁ ଚାହେଁନା ଲୋକେ କହନ୍ତୁ ଯେ ମୁଁ କିପରି ହୁସେନ୍‍ଙ୍କ ଜୀବନକୁ ବିପଦ ସଂକୁଳ କରି ପଳାୟନ କରିଛି । ଏବଂ ଶେଷରେ ଆଉଜଣେ କହିଲେ ମୁଁ ଯଦି ଯୁଦ୍ଧରେ ନିହତ ହୁଏ ଏବଂ ସତୁରି ଥର ଜନ୍ମଗ୍ରହଣ କରେ ତେବେବି ମୁଁ ତୁମର ସାନ୍ନିଧ୍ୟ ତ୍ୟାଗ କରିନପାରେ । ଇତିହାସ ମୂକ ସାକ୍ଷୀ ରହିଛି ଯେ ଏପରି ବିଶ୍ୱସ୍ତ ଓ ଅନୁଗତ ପାର୍ଶ୍ୱଚର ବୋଧହୁଏ ଆଉ କାହାରିକୁ ପ୍ରାପ୍ତ ହୋଇ ନାହାନ୍ତି ।

 

ମହରମ ନଅ ତାରିଖ । ହୁସେନ୍‍ଙ୍କ ସାଥୀମାନେ ବାଲିମଧ୍ୟରେ ଆଣ୍ଠୁ ପର୍ଯ୍ୟନ୍ତ ପୋତିହୋଇ, ବର୍ଚ୍ଛାଗୁଡ଼ିକର ବିପରୀତ ପଟ ନିଜ ଛାତି ଦେହରେ ଚାପିଧରିଥିଲେ । କାଳେ ଶତ୍ରୁପକ୍ଷର ସଂଖ୍ୟାଗରିଷ୍ଠ ସୈନ୍ୟକୁ ଦେଖି ପଛଘୁଞ୍ଚା ଦିଅନ୍ତି ସେଥିପାଇଁ ଏହା କରିଥିଲେ । ଏକ ଭୀଷଣ ଯୁଦ୍ଧର ଆରମ୍ଭ ହେଲା । ସଂଖ୍ୟାରେ ଅଳ୍ପ ହେଲେ ମଧ୍ୟ ହୁସେନ୍‍ଙ୍କ ଏହି ମୁଷ୍ଟିମେୟ ଲୋକେ ଶତ୍ରୁ ସୈନ୍ୟଙ୍କୁ ପ୍ରତିହତ କଲେ ଏବଂ କେବଳ ଯେ ସଂଖ୍ୟାଗରିଷ୍ଠ ସୈନ୍ୟ ବଳରେ ହୁସେନ୍‍ଙ୍କୁ ପରାଜିତ କରାଯାଇନପାରେ ଶତ୍ରୁପକ୍ଷର ଧାରଣା ଦୃଢ଼ ହେଲା । ଏହି ପ୍ରଥମ ଆକ୍ରମଣପରେ ଦେଖାଗଲା ଯେ, ଶତ୍ରୁ ପକ୍ଷର ସୈନ୍ୟ ଅଧିକ ସଂଖ୍ୟାରେ ହତ ହୋଇଛନ୍ତି ଓ ଶତ୍ରୁ ପଛଘୁଞ୍ଚା ଦେଇଛି ଏବଂ ହୁସେନ୍‍ଙ୍କ ୧୨୫ଜଣ ଦୃଢ଼ପ୍ରତିଜ୍ଞ ଲେ।କଙ୍କ ମଧ୍ୟରୁ ୫୩ ଜଣ ସହିଦ ହୋଇଛନ୍ତି ।

 

ଏହାପରେ ପ୍ରଚଳିତ ନିୟମ ଓ ପ୍ରଥା ଅନୁସାରେ ଜଣ ଜଣଙ୍କ ମଧ୍ୟରେ ଯୁଦ୍ଧହେବାର କଥା । ଏଥିପାଇଁ ପ୍ରଥମେ ପୂର୍ବକଥିତ ହୁର ଓ ତାଙ୍କର ପୁତ୍ର ଯୋଡ଼ହସ୍ତରେ ହୁସେନ୍‌ଙ୍କ ଆଜ୍ଞାମାଗିଲେ । ହୁସେନ୍‌ କହିଲେ ‘ହେ ହୁର, ତୁମେ ମୋର ଅତିଥି, ମୁଁ ଏପର୍ଯ୍ୟନ୍ତ ତୁମର ଉପଯୁକ୍ତ ସତ୍କାର କରିପାରି ନାହିଁ । ତୁମେ ପ୍ରଥମେ ଏ ବିପଦ ବରଣ କରିବାରୁ କ୍ଷାନ୍ତ ହୁଅ । ଅଶ୍ରୁସିକ୍ତ ଚକ୍ଷୁରେ ହୁର ଉତ୍ତରଦେଲେ ‘ଉଦାର ପିତାର ହେ ଅତି ଉଦାର ପୁତ୍ର, ଆମକୁ ତୁମପାଇଁ ଓ ତୁମର ଆଦର୍ଶପାଇଁ ପ୍ରଥମ ସହିଦ ହେବାର ଗୌରବରୁ ବଞ୍ଚିତ କରନ୍ତୁ ନାହିଁ ।’ ଏହା କହି ଅନୁଗତ ହୁର ନିଜର ପ୍ରିୟ ପୁତ୍ରକୁ ଯୁଦ୍ଧକୁ ଯିବାକୁ ଆଦେଶ ଦେଲେ । କ୍ଷଣକ ମଧ୍ୟରେ ଉନ୍ମୁକ୍ତ ତରବାରି ହସ୍ତରେ ହୁରଙ୍କ ପୁତ୍ର ଶତ୍ରୁ ସହିତ ଯୁଦ୍ଧରେ ବ୍ୟାପ୍ତହୋଇ ଅସାଧାରଣ ଶକ୍ତି ସାହସ ଓ ପରାକାଷ୍ଠା ସହ ଶତଶତ ଶତ୍ରୁ ସୈନ୍ୟ ବିନାଶ କରି ରକ୍ତାକ୍ତ ଶରୀରରେ ଫେରି ଆସିଲେ । ପିତା ହୁର ପୁତ୍ରର ରକ୍ତାକ୍ତ ଶରୀର ଦେଖି କହିଲେ । ‘ହେ ପୁତ୍ର ଆଜିପରି ଦିନରେ କେବଳ ମୃତ୍ୟୁରେହିଁ ଗୌରବ । ଫେରିଯାଅ ଓ ବୀରଗତି ପ୍ରାପ୍ତହୋଇ ପିତାର ଆନନ୍ଦ ବର୍ଦ୍ଧନ କର’ । ତାହାହିଁ ହେଲା । ଶତ୍ରୁ ସେନାପତି ଉମର ସାଆଦ୍‌ ଯେତେବେଳେ ଦେଖିଲେ ଯେ ଏକକ ଯୁଦ୍ଧରେ ହୁସେନ୍‍ଙ୍କ ଯୋଦ୍ଧାମାନଙ୍କୁ ପରାସ୍ତ କରିବା ଅସମ୍ଭବ ସେ ହଠାତ୍‌ ନୀତି ନିୟମ ଓ ପ୍ରଥା ପରିତ୍ୟାଗ କରି ସମସ୍ତ ସୈନ୍ୟଙ୍କୁ ହୁସେନ୍‍ଙ୍କ ମୁଷ୍ଟିମେୟ ତୃଷିତ ଓ କ୍ଷୁଧାର୍ଥ ଯୋଦ୍ଧାଙ୍କ ଉପରେ ଆକ୍ରମଣ କରିବାକୁ ଆଦେଶ ଦେଲେ । ଏହି କ୍ଷୁଦ୍ର ଗୋଷ୍ଠୀ ମଧ୍ୟରେ ଥିଲେ ଅନ୍ୟାନ୍ୟମାନଙ୍କ ସଙ୍ଗେ ହୁସେନ୍‍ଙ୍କ ଅପ୍ରାପ୍ତ ବୟସ୍କ ପୁତୁରା କାଲିବ ଓ ମହମ୍ମଦ । ପ୍ରତ୍ୟେକ ବୀରୋଚିତଭାବେ ଯୁଦ୍ଧକରି ସହିଦ ହେଲେ । ବାଳକ ଅଭିମନ୍ୟୁ ସପ୍ତରଥିଙ୍କ ସହ ଅନ୍ୟାୟ ଯୁଦ୍ଧରେ ଅସହାୟ ଅବସ୍ଥାରେ ନିହତ ହେଲାପରି ଏହି ଘଟଣା ମନରେ ଦୁଃଖ ଓ ଶିହରଣ ଜାତ କରାଏ । ନିଜର ସମସ୍ତ ପୁରୁଷ ସାଥୀଙ୍କ ହତ୍ୟାପରେ ହୁସେନ୍‍ଙ୍କ ପାଳିପଡ଼ିଲା । ସେ ଶିବିର ମଧ୍ୟରୁ ନିଜର ରୁଗ୍‍ଣ ପୁତ୍ର ଆବିଦ୍‌, ଭଉଣୀ ଜୈନବ, ସ୍ତ୍ରୀ ଓ ଦାସୀ ଫିଜାଠାରୁ ବିଦାୟନେଇ, ନିଜର ପିତାମହଙ୍କ ଅଶ୍ଵ ଆରୋହଣ କରି ତାଙ୍କରି ଇମାମା (ପଗଡ଼ି) ମୁଣ୍ଡରେ ବାନ୍ଧି ଯୁଦ୍ଧଭୂମିରେ ଅବତୀର୍ଣ୍ଣ ହେଲେ ଏବଂ ଏଜିଦ୍‌ଙ୍କ ସୈନ୍ୟବାହିନୀ ଉଦ୍ଦେଶ୍ୟରେ କହିଲେ, ‘ହେ ଏଜିଦ୍‌ର ସୈନ୍ୟଗଣ ଦେଖ ମୁଁ ସେହି ବସ୍ତୁ ପରିଧାନ କରିଛି ଏବଂ ସେହି ଅଶ୍ୱ ଆରୋହଣ କରିଛି ଯାହା ମୋର ପିତାମହ ବ୍ୟବହାର କରୁଥିଲେ । ମୋର ମସ୍ତକରେ ସେହି ଇମାମା ଯାହା ଦିନେ ମୋର ପିତାମହଙ୍କୁ ଅଳଙ୍କୃତ କରୁଥିଲା ଯାହାଙ୍କୁ ତୁମେ ଆଲ୍‌ହାଙ୍କର ଶେଷ ନବି (ଅବତାର) ବୋଲି ଗ୍ରହଣ କରିଛ । ମୋର ଧମନୀରେ ସେହି ମହାପୁରୁଷଙ୍କର ରକ୍ତ ପ୍ରବାହିତ । ଯାହାଙ୍କପାଇଁ ଆଜି ତୁମେମାନେ ଜୀବନର ସମସ୍ତ ଶୁଭ ଶ୍ରେୟ ଲାଭ କରିଛ । ଏକତ୍ରିତ ହୋଇ ମୋତେ ହତ୍ୟାକରିବାର ଏ ଚକ୍ରାନ୍ତ କାହିଁକି ? କ’ଣ ବା କରିଛି ମୁଁ ? ଉତ୍ତରଦିଅ କାହାପ୍ରତି ମୁଁ କି ଅନ୍ୟାୟ କରିଛି ?’ ଚତୁର୍ଦ୍ଦିଗ ନୀରବ । ସେନାପତି ଉମର ସାଆଦ୍‌ ସୈନ୍ୟଙ୍କ ପଛରେ ଥାଇ, ସୈନ୍ୟମାନେ ଏ ବକ୍ତୃତାଦ୍ଵାରା ପ୍ରଭାବିତ ହେବାପୂର୍ବରୁ, କହିଉଠିଲେ ‘ହୁସେନ୍‌ ତୁମର ବକ୍ତୃତା ବୃଥା-। ଏଜିଦ୍‌ଙ୍କ ପ୍ରତି ଆନୁଗତ୍ୟ ସ୍ୱୀକାର କର ନଚେତ୍‌ ମୃତ୍ୟୁ ବରଣକର । ହୁସେନ୍‌ ଉତ୍ତର ଦେଲେ ‘ଏହା ହୋଇ ପାରେନା, ଏକ ଘୃଣ୍ୟ ଲାଞ୍ଛିତ ଜୀବନ ଅପେକ୍ଷା ସମ୍ମାନୀୟ ମୃତ୍ୟୁ ମୋ ପକ୍ଷରେ ଶ୍ରେୟସ୍କର ଓ ଗୌରବମୟ । ଏହାକହି ବିଦ୍ୟୁତବେଗରେ ଉନ୍ମୁକ୍ତ ଅସି ହସ୍ତରେ ଶତ୍ରୁ ସୈନ୍ୟଙ୍କ ଉପରେ ଲମ୍ଫ ଦେଲେ । ବର୍ଷୀୟାନ ତୃଷିତ, କ୍ଷୁଧାର୍ଥ ଓ ଜ୍ଞାତିକୁଟୁମ୍ବଙ୍କ ଅକାଳ ମୃତ୍ୟୁରେ ଭାରାକ୍ରାନ୍ତ ଏହି ମହାନ୍ ଆତ୍ମାଙ୍କ ତରବାରି ପ୍ରହାରରେ ଶତ ଶତ ଶତ୍ରୁ ସୈନ୍ୟ ନିହତ ହେଲାପରେ ଅନ୍ୟମାନେ ଭୀତତ୍ରସ୍ତ ହୋଇ ପଛଘୁଞ୍ଚାଦେଲେ । କିନ୍ତୁ ହୁସେନ୍ ତାଙ୍କର ପିତା ହଜରତ୍‌ ଅଲ୍ଲୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପଳାୟମାନ ଶତ୍ରୁର ପଶ୍ଚାତ୍‍ଧାବନ କଲେନାହିଁ । ଶତ୍ରୁ ସୈନ୍ୟ ପୁନରାୟ ଏକତ୍ରିତ ହୋଇ ହୁସେନ୍‌ଙ୍କ ସମ୍ମୁଖୀନ ହେଲେ । ଇତିମଧ୍ୟରେ ହୁସେନ୍‍ଙ୍କ ତମ୍ବୁ ମଧ୍ୟରୁ ସ୍ତ୍ରୀଲୋକମାନଙ୍କର କ୍ରନ୍ଦନର ସ୍ଵର ଶୁଣି ହୁସେନ୍ ତମ୍ବୁମଧ୍ୟକୁ ଗଲେ ଏବଂ ଦୁଇହସ୍ତରେ ଛଅମାସର ତୃଷାର୍ତ୍ତ ଶିଶୁ ପୁତ୍ର ଅଲ୍ଲୀ ଅସ୍‌ଗରକୁ ଧରି ଚିତ୍କାର କରି କହିଲେ ‘ଏହି ଦୁଗ୍ଧପାୟୀ ଶିଶୁ ତୁମର କି ଶତ୍ରୁତା କରିଛି ।’ ସେନାପତି ଉମର ସାଆଦ୍‌ ଏହା ଦେଖି ନିଜର ଅତି ପାରଦର୍ଶୀ ତୀରନ୍ଦାଜ୍‌, ହର୍‌ମୁଲାକୁ ନିର୍ଦ୍ଦେଶ ଦେଲେ ଏବଂ ପରମୁହୂର୍ତ୍ତରେ ଏକ ତୀକ୍ଷ୍ଣ ଶର ଶିଶୁପୁତ୍ରର ଗ୍ରୀବା ବିଦ୍ଧକଲା-। ଏହା ଦେଖି ହୁସେନ୍ ଆକାଶକୁ ଚାହିଁ ଏକ ଦୀର୍ଘଶ୍ୱାସ ତ୍ୟାଗକଲେ ଏବଂ ଶିଶୁର ଶବକୁ ରକ୍ତରଞ୍ଜିତ ହସ୍ତରେ ଧରି ଆବୃତ୍ତି କଲେ ‘ଆମେ ସମସ୍ତେ ଆଲ୍‌ହାଙ୍କ ସୃଷ୍ଟି ଏବଂ ପରିଶେଷରେ ସମସ୍ତେ ତାଙ୍କରି ପାଖକୁ ପ୍ରତ୍ୟାବର୍ତ୍ତନ କରିବୁ ତାଙ୍କର ଇଚ୍ଛା ଓ କାର୍ଯ୍ୟ ପ୍ରତି ଆମେ ଆନୁଗତ୍ୟ ସ୍ଵୀକାର କରୁଛୁ । ମୋର ସମସ୍ତ କାର୍ଯ୍ୟ ତାଙ୍କରି ଆନନ୍ଦ ଓ ଇଚ୍ଛାପାଇଁ । ଏହାକହି ଶିଶୁ ପୁତ୍ରର ଶବକୁ ସେହି ବାଲୁକା ପ୍ରାନ୍ତରରେ କବର ଦେଲେ । ଏହାପରେ ପୁଣି ଥରେ ଉନ୍ମୁକ୍ତ କୃପାଣ ଧରି ଶତ୍ରୁ ସୈନ୍ୟଙ୍କ ଉପରେ ଝାମ୍ପି ପଡ଼ିଲେ ଏବଂ ଆକ୍ରମଣ ପ୍ରତିହତ କଲେ । କିନ୍ତୁ ଏଥର ଶତ୍ରୁ ସୈନ୍ୟ ଏକ ସଙ୍ଗରେ ଏହି ବୀର ସାହସୀ ଧୈର୍ଯ୍ୟବାନ ପୁରୁଷ ସିଂହଙ୍କ ଉପରେ ଆକ୍ରମଣକରି ତାଙ୍କର ସମସ୍ତ ଶରୀରକୁ କ୍ଷତବିକ୍ଷତ କରିପକାଇଲେ । ଅଶ୍ଵରୁ ଭୂପତିତ ହୋଇ ପ୍ରାର୍ଥନା ରତ ଥିଲାବେଳେ ସିମର୍ ନାମକ ଜଣେ ସୈନ୍ୟର ଖଡ଼୍‌ଗ ତାଙ୍କର ଶିରଃକୁ ସ୍କନ୍ଧଚ୍ୟୁତ କଲା ।

 

ସିମର୍‌ କହେ–‘ମୁଁ ତାଙ୍କୁ ହତ୍ୟା କଲାସମୟରେ ସେ ପ୍ରାର୍ଥନା କରୁଥିଲେ, ହେ ଦୟାମୟ ଭଲ ଓ ମନ୍ଦର ପାର୍ଥକ୍ୟ ବୁଝି କର୍ମ କରିବାକୁ ସମସ୍ତ ମାନବଜଗତକୁ ପ୍ରେରଣା ଦିଅ । ସତ୍ୟ ଓ ନ୍ୟାୟର ପଥ ଅବଲମ୍ବନ କରିବାକୁ ଶକ୍ତିଦିଅ । ହେ କରୁଣା ସାଗର ତୁମ ଇଚ୍ଛାହିଁ ପୂର୍ଣ୍ଣ ହେଉ ।’

 

ହୁସେନ୍‍ଙ୍କ ପରାଜୟହିଁ ତାଙ୍କର ବିଜୟ । ଆଜି ମାନବ ଇତିହାସରେ ଏହା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିଛି । ଏବଂ ସତ୍ୟପ୍ରିୟ, ନ୍ୟାୟ ପ୍ରିୟ, ଦୁଃସ୍ଥ ମାନବଙ୍କୁ ଚିରଦିନ ପ୍ରେରଣା ଯୋଗାଉଥିବ-

Image

 

ନାରୀଶକ୍ତି ପ୍ରକରଣରେ ଗଣମାଧ୍ୟମର ଭୂମିକା

 

କଥାରେ ଅଛି ତୁଣ୍ଡବାଇଦ ସହସ୍ରକୋଶ । ତୁଣ୍ଡକହିଲେ କଥା କହିବାର ଶକ୍ତି, ବାଇଦ କହିଲେ ଯାହା ଶୁଣିବାପାଇଁ ଉଦ୍ଦିଷ୍ଟ । ପଞ୍ଚଜ୍ଞାନେନ୍ଦ୍ରୀୟର ସହାୟତାରେ ମନୁଷ୍ୟ ଜ୍ଞାନ ଆହରଣ କରେ । କର୍ଣ୍ଣ, ନାସା, ଜିହ୍ୱା, ଚକ୍ଷୁ ଓ ତ୍ୱଚା ସାହାଯ୍ୟରେ ମନୁଷ୍ୟ ଜ୍ଞାନ ଆହରଣ କରିଥାଏ । ଯେଉଁମାନେ ଶିକ୍ଷିତ ସେମାନେ ବହି ଓ ଖବରକାଗଜ ପଢ଼ିବେ । ଯେଉଁମାନେ ନିରକ୍ଷର ସେମାନେ କର୍ଣ୍ଣ ଓ ଚକ୍ଷୁର ବ୍ୟବହାର କରିବେ । ଦେଖି ବା ଶୁଣି ଶିକ୍ଷାଲାଭ କରିବେ । ନିଜ ନିଜର ଜ୍ଞାନର ବୃଦ୍ଧିକରିବେ । ଏହି ଦୃଷ୍ଟିରୁ ବିଚାର କଲେ ଗଣମାଧ୍ୟମଗୁଡ଼ିକର ଭୂମିକା ଅତି ମହତ୍ୱପୂର୍ଣ୍ଣ ଓ ଗୁରୁତ୍ୱପୂର୍ଣ୍ଣ । ଦିନଥିଲା ରେଡ଼ିଓ, ଟେଲିଭିଜନ ଏପରିକି ଖବରକାଗଜ ମଧ୍ୟ ନଥିଲା କିନ୍ତୁ ଏହି ବିଂଶ ଶତାବ୍ଦୀରେ ଏହାର ବହୁଳ ବିକାଶ ହୋଇଛି । ଯେତେବେଳେ ଏସବୁ ନଥିଲା ସେତେବେଳେ କେନ୍ଦରା ଗୀତ, ପାଲା, ଦାସକାଠିଆ, ଯାତ୍ରା ଏପରିକି ଚକୁଳିଆ ପଣ୍ଡାଙ୍କର କଳାତ୍ମକ ପରିବେଷଣ, ଦର୍ଶକ ଓ ଶ୍ରୋତାଙ୍କର ମନକୁ ପ୍ରଭାବିତ କରୁଥିଲା ।

ଭାରତବର୍ଷରେ ନାରୀଶକ୍ତିର ବିକାଶ ଓ ଅପ୍ରକଟ ଶକ୍ତିର ପ୍ରକରଣରେ ଏହି ଗଣମାଧ୍ୟମଗୁଡ଼ିକର ଭୂମିକାର ଗୁରୁତ୍ଵ ଉପଲବ୍ଧ ହୋଇଥାଏ । ଭାରତ ଭଳି କୃଷିପ୍ରଧାନ ଦେଶରେ ଯେଉଁଠାରେ ସ୍ତ୍ରୀଲୋକମାନେ କର୍ମକ୍ଷେତ୍ରରେ ଓତପ୍ରୋତ ଭାବରେ ଜଡ଼ିତ ଓ ସାକ୍ଷରତାର ହାର ଅତିକମ୍‌ ଓ ସାକ୍ଷରତାର ସଫଳ ବିନିଯୋଗ ହୋଇପାରି ନାହିଁ, ସେଠାରେ ଗଣମାଧ୍ୟମଗୁଡ଼ିକର ଦାୟିତ୍ୱ ନିଶ୍ଚିତ ଭାବରେ ଅଧିକ । ବର୍ତ୍ତମାନ ଏହାର ବିଭିନ୍ନ ଦିଗପ୍ରତି ଦୃଷ୍ଟିଦେବା । ଆମର ନାରୀ ସମାଜକୁ ନିମ୍ନଲିଖିତ ଭାବରେ ବିଭକ୍ତ କରାଯାଇପାରେ । ଶିକ୍ଷିତା ବୁଦ୍ଧିଜୀବୀ ଗୋଷ୍ଠୀ ଓ ଅଶିକ୍ଷିତା ନାରୀ ଶ୍ରେଣୀ । ଏହାଛଡ଼ା ସହରୀ ନାରୀ ଓ ମଫସଲର ସ୍ତ୍ରୀଲୋକ ଉଭୟ ଗୋଷ୍ଠୀରେ ଶିକ୍ଷିତା ଓ ଅଶିକ୍ଷିତା ଉଭୟ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗଣମାଧ୍ୟମଗୁଡ଼ିକରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ହେବ ଏବଂ ବିଶେଷ କ୍ଷେତ୍ରରେ ପ୍ରତ୍ୟେକ ଗଣମାଧ୍ୟରେ ଏକସଙ୍ଗେ ପ୍ରଚାର କରାଯିବା ଉଚିତ ।

ନିକଟରେ ବାଙ୍ଗାଲୋରଠାରେ ମହାବୀର ଜୈନଙ୍କର ୨୬୦୦ ବର୍ଷ ପୂର୍ତ୍ତି ଉତ୍ସବପାଇଁ ଏକ ସମିତିର ଗଠନ କରାଯାଇଛି । ଏହି ବର୍ଷବ୍ୟାପି ଉତ୍ସବର କାର୍ଯ୍ୟକ୍ରମ ପ୍ରସ୍ତୁତି କମିଟିର ପ୍ରଥମ ବୈଠକରେ ଭାଷଣଦେଇ ଶ୍ରୀମତୀ ଇନ୍ଦୁଜୈନ କହିଥିଲେ ଯେ ସ୍ତ୍ରୀଲୋକମାନେ ହଜାର ହଜାର ବର୍ଷ ପୁରୁଷର ଅନୁସରଣ କରି ଆସିଛନ୍ତି । କିନ୍ତୁ ଏହି ନୂତନ ମିଲେନିୟମରେ ପୁରୁଷମାନେ ସ୍ତ୍ରୀଲୋକମାନଙ୍କୁ ଏକ ରଚନାତ୍ମକ ଓ ଉନ୍ନତ ସମାଜର ଗଠନପାଇଁ ଉତ୍ସାହିତ କରିବା ଦରକାର । ଯେଉଁ କ୍ଷମତା ଓ ଶାସନ ପୁରୁଷମାନେ ଆଜିପର୍ଯ୍ୟନ୍ତ ଉପଭୋଗ କରିଆସିଛନ୍ତି ତାହା ନାରୀ ସମାଜ ହାତରେ ସମର୍ପଣ କରିବା ଦରକାର ଓ ଉଚିତ ମଧ୍ୟ ।

ସୁଲତାନ ରେଜିୟା, ଶୁକଦେଈ ଓ ଝାନ୍‌ସୀ ରାଣୀ, ସରୋଜିନୀ ନାଇଡ଼ୁ, ଅରୁଣା ଅସଫ ଅଲ୍ଲୀ, ସୁଚେତା କ୍ରିପାଳିନୀ, ବିଜୟଲକ୍ଷ୍ମୀ ପଣ୍ଡିତ, ଇନ୍ଦିରା ଗାନ୍ଧି, ନନ୍ଦିନୀ ଶତପଥି, ମାୟାଦେବୀ ଓ ବିଦେଶିନୀଙ୍କ ମଧ୍ୟରେ ଚନ୍ଦ୍ରିକା କୁମାର ମଙ୍ଗଳମ୍‌, ମାଡ଼ାମ୍‌ ଥାଚର, ବେନଜିର ଭୁଟ୍ଟୋଙ୍କ କଥା ବିଚାରକୁ ନିଆଗଲେ ଆମେ ଏହି ପରିଣତିରେ ଉପନୀତ ହେବା ଯେ, ସ୍ତ୍ରୀଲୋକମାନଙ୍କର ଅପାର ଶକ୍ତି ଅଛି । ଯେପରି ପୁରୁଷମାନଙ୍କ ମଧ୍ୟରେ ଅନେକ ଅପାରଗ ଅଛନ୍ତି ସେହିପରି ସ୍ତ୍ରୀଲୋକମାନଙ୍କ ମଧ୍ୟରେ ଅନେକ ଅପାରଗ ଥାଇପାରନ୍ତି । କିନ୍ତୁ ଏହା ବୋଲି ସମସ୍ତ ନାରୀଜାତିକୁ ପୁରୁଷାଧୀନ କରି ରଖିବା ଉଚିତ ନୁହେଁ । ବିଭିନ୍ନ କ୍ଷେତ୍ରରେ ନାରୀଶକ୍ତିର ପ୍ରକରଣ କରିବାରେ ଗଣମାଧ୍ୟମ କ’ଣ କରିପାରେ । ନାରୀର ବିଭିନ୍ନ ଶକ୍ତିକୁ ଗୁଣାତ୍ମକ ଭାବରେ ପରିବେଷଣ କରିବାକୁ ହେବ । ପୁରାଣ, ଇତିହାସର ନାରୀମାନଙ୍କ ଜୀବନୀର ଚର୍ଚ୍ଚା, ସେମାନଙ୍କର ଖ୍ୟାତି ଓ ଜୀବନଯାପନର ପ୍ରଣାଳୀର ପ୍ରଚାର ସ୍ତ୍ରୀ ଚରିତ୍ରରେ ଆଞ୍ଚ ଆସୁଥିବା ବିଷୟର ତ୍ୟାଗ ବିଜ୍ଞତାର କାର୍ଯ୍ୟ ହେବ । ଉଦାହରଣସ୍ଵରୂପ ନାରୀଧର୍ଷଣ କଥା ଧରାଯାଉ । ଏପରି ଖବର, ସ୍ତ୍ରୀ ଜାତିପ୍ରତି ସହାନୁଭୂତି ଆଣେ ସତ କିନ୍ତୁ ଅନେକ କ୍ଷେତ୍ରରେ ଅସାମାଜିକ ଲୋକେ ଏପରି ଖବରରେ ଉତ୍ସାହିତ ହୋଇଥାନ୍ତି । ସତୀପ୍ରଥା ବିଚାରକୁ ନିଅନ୍ତୁ । ଏହା ଏକ ନାରକୀୟ ପ୍ରଥା । ଏହା ବିରୁଦ୍ଧରେ ଆଇନକାନୁନ ଗଢ଼ାଯାଇଛି । ତଥାପି ସତୀ ପ୍ରଥା ନରବଳିପରି ଲୋକଙ୍କ ମନରୁ ସମ୍ପୂର୍ଣ୍ଣ ଲୋପ ପାଇନାହିଁ । ସ୍ତ୍ରୀ ନିଜର ଇଚ୍ଛାରେ ସ୍ଵାମୀର ଚିତାରେ ପ୍ରବେଶ କରୁ କି ବଳପ୍ରୟୋଗ କରି ହେଉ ବା ସତୀଦେବୀ ହେବାର ପ୍ରଲୋଭନ ଦେଖାଇ, ଚିତାରେ ଝାସ ଦେବାକୁ ଉତ୍ସାହିତ କରାଯାଏ । ନିକଟ ଅତୀତରେ ଏପରି ଏକ ସମ୍ବାଦ ଖବରକାଗଜ ଓ ଟେଲିଭିଜନରେ ପରିବେଷିତ ହୋଇଥିଲା । ଏବଂ ଏହା ଲେଖକକୁ ଆଶ୍ଚର୍ଯ୍ୟବୋଧ ହୋଇଥିଲା । ପୂର୍ଣ୍ଣ ବିବରଣୀ ପଢ଼ିଲାପରେ ଏପରି ଜଣାଗଲା, ସତେଯେପରି ସ୍ଵେଚ୍ଛାରେ ସ୍ତ୍ରୀଲୋକଟି ଚିତା ବରଣ କରିଛି । ଏହି ସତୀହେବାର ଦୃଶ୍ୟ ଦେଖି ଗ୍ରାମର ଅଧିକାଂଶ ମହିଳା ମଧ୍ୟ ସତୀ ହେବାର ଗୌରବକୁ ଅତି ନିଷ୍ଠାରସହ ଗ୍ରହଣ କରିଥିଲେ ଏବଂ ନିଜେ ସତୀହେବାର ଗୌରବଲାଭ କରିବାକୁ ଇଚ୍ଛୁକ ଥିଲେ । ସତୀ ମନ୍ଦିର ତିଆରି ହେବାର ଆୟୋଜନ, ପୂଜାପାଠ ଇତ୍ୟାଦିର ଏପରି ବର୍ଣ୍ଣନା କରାଯାଇଥିଲା ଯେ ଯେକୌଣସି ସାଧାରଣ ନାରୀ ସତୀହେବାର ଗୌରବପାଇଁ ଲାଳାୟିତ ହେବ । ଏପରି ମଧ୍ୟ ଲେଖାଥିଲା ଯେ ଗାଁର ସ୍ତ୍ରୀଲୋକମାନଙ୍କର ସତୀ ପ୍ରତି ସମ୍ମାନ ମଧ୍ୟ ବହୁତ ବଢ଼ିଯାଇଥିଲା । ଏବଂ ତାକୁ ଅନୁକରଣ କରିବାକୁ ଅନେକେ ଆଗ୍ରହ ପ୍ରକାଶ କରିଥିଲେ ।

ବର୍ତ୍ତମାନ ପ୍ରଚାରର ବିଷୟବସ୍ତୁ ଉପରେ ଦୃଷ୍ଟି ଦେବା :–

୧) ପୌରାଣିକ ସ୍ତ୍ରୀଚରିତ୍ର ପ୍ରତି ସମ୍ମାନ ଓ ଇତିହାସର ନାରୀ ଚରିତ୍ରକୁ ଆଦର୍ଶଭାବରେ ଗ୍ରହଣ କରିବା ସମ୍ବନ୍ଧରେ ବିଷୟବସ୍ତୁ ପ୍ରସ୍ତୁତ ହେବା ଦରକାର । ୨) ନାରୀଜାତି ପ୍ରତି ଦୟା ଦେଖାଇବା ପରିବର୍ତ୍ତେ ସେମାନଙ୍କ ପ୍ରତି ନିଜ ନିଜର କର୍ତ୍ତବ୍ୟ ପାଳନ । ୩) ଧର୍ଷଣ ପ୍ରଭୃତି ଘଟଣାର ବିବରଣୀ ଉଲ୍ଲେଖ ନକରି ଜଡ଼ିତ ପୁରୁଷର ଚରିତ୍ରହୀନତା ଓ ପାଶବିକ କାର୍ଯ୍ୟର ନିନ୍ଦା । ୪) ସିନେମା, ଥିଏଟର, ଯାତ୍ରା ପ୍ରଭୃତି ମାଧ୍ୟମରେ କାମୋଦ୍ଦୀପକ ପୋଷାକ ଓ ଦୃଶ୍ୟର ବର୍ଜନ । ୫) କେବଳ ବିଦେଶ ସିନେମା ନୁହେଁ ବରଂ ଆମଦେଶର ତିଆରି ହେଉଥିବା ଫିଲ୍ମଗୁଡ଼ିକରେ ସମ୍ଭୋଗର ଦୃଶ୍ୟ ଅତି ପ୍ରଚ୍ଛନ୍ନ ଭାବରେ ପ୍ରବେଶ କଲାଣି । ଏପରି ଦୃଶ୍ୟର ସମ୍ପୂର୍ଣ୍ଣ ବର୍ଜନ । ୬) ସାରା ଦେଶର ବିଭିନ୍ନ ପ୍ରାନ୍ତର ନାରୀ ଚରିତ୍ରକୁ ଗଣମାଧ୍ୟମରେ ପ୍ରଚାର । ରାଣୀ ଶୁକଦେଈ , କାଶ୍ମୀରର ହବ୍‌ବା ଖାତୁନପରି ଅନେକ ଚରିତ୍ର ଆମ ଦେଶରେ ରହିଛି ଏହା ନିଶ୍ଚିତ । ୭) ଶିକ୍ଷା, ସାହିତ୍ୟ, ଚିତ୍ରକଳା, ପ୍ରଶାସନ, ବାଣିଜ୍ୟ ବ୍ୟବସାୟ ପ୍ରଭୃତି କ୍ଷେତ୍ରରେ ନାରୀ ଶକ୍ତିର ଅବଦାନ ଓ ପରାକାଷ୍ଠାର ବହୁଳ ପ୍ରଚାର । ଏହାର ଅଧିକ ରୋଚକ ଓ ପ୍ରଭାବଶାଳୀ ପ୍ରଚାର । ୮) ଯୌତୁକ ପରି ଘୃଣ୍ୟ ପ୍ରଥା ସମ୍ବନ୍ଧରେ ଜନଚେତନାର ଜାଗରଣ । ଅଧିକାଂଶ ସମୟରେ ପୋଡ଼ି ଦେବାର ଜଘନ୍ୟ ଦୃଶ୍ୟ ଓ କିପରି ଏହା କରାଗଲା ତା’ର ବିବରଣୀ ପ୍ରଚାରଦ୍ୱାରା ବିପରୀତ ଫଳ ହୋଇଥାଏ । ଏହାର ଅନୁକରଣ ମଧ୍ୟ ହୋଇଥାଏ । ଗଣମାଧ୍ୟମରେ କୌଣସି ବିଷୟବସ୍ତୁର ପ୍ରଚାର ପୂର୍ବରୁ ଏ ପ୍ରଶ୍ନ କରିବା ଉଚିତ ଯେ ଏ ପ୍ରଚାରର ଉଦ୍ଦେଶ୍ୟ କ’ଣ ? ଉଦ୍ଦେଶ୍ୟର ପ୍ରଚ୍ଛନ୍ନ ପରିବେଷଣ ବଡ଼ ପ୍ରଭାବଶାଳୀ ହୋଇଥାଏ । ୯) ପ୍ରଚାର କରାଯାଉଥିବା ବିଜ୍ଞାପନ ପ୍ରତି ତୀକ୍ଷ୍ଣଦୃଷ୍ଟି ରହିବା ଉଚିତ । ୧୯୭୫–୭୬ ମସିହାରେ ଓଡ଼ିଶା ଓ ମଧ୍ୟପ୍ରଦେଶରେ ଯେଉଁ ଶିକ୍ଷାପ୍ରଦ କାର୍ଯ୍ୟକ୍ରମଗୁଡ଼ିକ ଟେଲିଭିଜନ ଜରିଆରେ ପ୍ରଚାର କରାଯାଇଥିଲା ସେଥିମଧ୍ୟରୁ ଗୋଟିଏ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପ୍ରଭାବ ବିଷୟରେ ଉଲ୍ଲେଖ କରାଯାଉ । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା କୁଷ୍ଠରୋଗ ସମ୍ୱନ୍ଧରେ ସଚେତନତା ସୃଷ୍ଟିକରିବା । କାର୍ଯ୍ୟକ୍ରମ ଦେଖି ଜଣେ ଗ୍ରାମବାସୀ ଯେଉଁ ଚିଠି ପଠାଇଥିଲେ ତା’ର ସାରମର୍ମ ହେଲା ଯେ ସେ କାର୍ଯ୍ୟକ୍ରମଟିକୁ ଦେଖି ତାଙ୍କର ସାନଝିଅ ବୟସ ୧୦/୧୨ ବର୍ଷହେବ ମୋତେ କହିଲା ଯେ ତା’ର ସାନଭାଇର ପିଠିରେ ଛଉଦାଗ ରହିଛି । ଏହା ଶୁଣି ମୁଁ ଗ୍ରାମର ସ୍ୱାସ୍ଥ୍ୟ କେନ୍ଦ୍ରର ପରାମର୍ଶକ୍ରମେ ବିଶେଷଜ୍ଞ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା ଆରମ୍ଭ କରିଛି ।

Image

 

ସାଧୁ ସାବଧାନ

 

(ଅଳ୍ପଦିନ ତଳେ, ସେଦିନ ଶୁଭ ସନ୍ଧ୍ୟାରେ ପରମହଂସ ଶ୍ରୀ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କର ଦର୍ଶନର ସୌଭାଗ୍ୟ ମିଳିଥିଲା । ସନ୍ଧ୍ୟା ପ୍ରାର୍ଥନା ପୂର୍ବରୁ ମୁଁ ମୋର ଜଣେ ବନ୍ଧୁଙ୍କ ସହିତ ତାଙ୍କ ସାନ୍ନିଧ୍ୟକୁ ଯାଇଥିଲି । ପ୍ରଥମ ଦେଖାର କେତେକ ସାଧାରଣ ଆଲୋଚନା ପରେ ଆରମ୍ଭ ହେଲା ପ୍ରାର୍ଥନା । ଆଲୋକ ଲିଭାଇ ଦିଆଗଲା । ସେହି ଅନ୍ଧାର ମଧ୍ୟରେ ବ୍ରହ୍ମଚାରୀଙ୍କ ଉଦାତ୍ତ କଣ୍ଠରୁ ନିଃସୃତ ହେଲା ଅମୂଲ୍ୟ ବାଣୀ: ‘ସାଧୁ ସାବଧାନ’; ତା’ପରେ ଚାଲିଲା ଗତାନୁଗତିକ ଧାରାରେ ସାର୍ବଜନୀନ ପ୍ରାର୍ଥନା–କୌଣସି ନିର୍ଦ୍ଦିଷ୍ଟ ଧର୍ମ, ଗୋଷ୍ଠୀ ବା ସମ୍ପ୍ରଦାୟର ନୁହେଁ, ଏସବୁକୁ ଅତିକ୍ରମ କରି ଏକ ଉର୍ଦ୍ଧ୍ୱଚେତନ ମାନବ ସମାଜ ପ୍ରତିଷ୍ଠା ଦିଗରେ ସେ ପ୍ରାର୍ଥନା ଥିଲା ଏକ ଅଙ୍ଗୁଳି ନିର୍ଦ୍ଦେଶ । ସେଦିନ ସନ୍ଧ୍ୟାର ସେହି ଅନ୍ଧକାର ମଧ୍ୟରେ ଯେଉଁ ଆଲୋକର ସ୍ପର୍ଶ ଅନ୍ତର ଭିତରେ ପାଇଲି ସେଇଥିରେହିଁ ରଞ୍ଜିତ ହୋଇଛି ଏ ଲେଖାଟି ।)

 

ଭଗବାନ ତୁମକୁ କୋଟି ଧନ୍ୟବାଦ । ତୁମର ଏ ମଙ୍ଗଳମୟ ସୃଷ୍ଟି ତୁମରହିଁ ଇଚ୍ଛା । ଏ ମନୁଷ୍ୟ ଶରୀର, ଆମର ଜନ୍ମ, ଆମର କର୍ମ ତୁମରହିଁ ନିର୍ଦ୍ଦେଶ । ତୁମର ଇଙ୍ଗିତରେ ଆମର ମୃତ୍ୟୁ ଏକ ଅମୃତ ସୋପାନ । ତୁମେହିଁ ପଥ କଢ଼ାଇ ନେଉଛ । କେବଳ ବାକ୍ୟରେ ଆମର ଧନ୍ୟବାଦ ଯଥେଷ୍ଟ ନୁହେଁ । ତମ ଦତ୍ତ ପଦାର୍ଥଗୁଡ଼ିକର ସଦ୍‌ବ୍ୟବହାର କରି ନପାରିଲେ ଆମର ମୌଖିକ ଧନ୍ୟବାଦ ଶଠତା ନହେଲେ ମଧ୍ୟ ଅଜ୍ଞାନ ଶିଶୁର କଥାପରି ମୂଲ୍ୟହୀନ । ଆମେ ଯେଉଁ ଅସୁମାରି ଅହେତୁକୀ କରୁଣା ଲାଭ କରିଆସୁଛୁ ତା’ର ବଦଳରେ କେବଳ ଲୌକିକ ଧନ୍ୟବାଦ ବା ଗତାନୁଗତିକ ପୂଜା ପ୍ରାର୍ଥନା, ଦାତାପ୍ରତି ପ୍ରକୃତ କୃତଜ୍ଞତାର ନିଦର୍ଶନ ନୁହେଁ । ପ୍ରତ୍ୟେକ ସମାଜରେ ନିୟମିତ ପୂଜା ପ୍ରାର୍ଥନା ଛଡ଼ା କୌଣସି କୌଣସି ପରିସ୍ଥିତିରେ ବିଶେଷ ପୂଜା ପ୍ରାର୍ଥନାର ନିୟମ ଅଛି । ପିଲାଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ, ନୂଆକରି ଚାକିରି ମିଳିଲେ, କାହାଘରେ ପୂଜାପାଠ ହୁଏତ କାହା ଘରେ ଫାତିହା, ମିଲାଦ୍‌ * ପ୍ରଭୃତିର ବ୍ୟବସ୍ଥା କରାଯାଏ । ପୂଜାପାଠ ହେଲା ମୌଖିକ କୃତଜ୍ଞତା ଜ୍ଞାପନ । ଆଉ ପୂଜା ପରେ ଭୋଗ ଓ ଶିରିଣି ? ଏହା ମଧ୍ୟ ନିଜର ଧନଦ୍ଵାରା ପ୍ରଭୁଙ୍କଠାରେ କୃତଜ୍ଞତା ଜ୍ଞାପନ । ଭୋଗ ଶିରିଣି ପ୍ରଭୃତି ବିତରଣ କରାଯାଏ । ଅନେକ ସମୟରେ ଏହା ବିକ୍ରି ମଧ୍ୟ ହୁଏ । ଆମ ପ୍ରତି ଦୟାପରବଶ ହୋଇ ଯାହା ଦିଆଯାଇଛି ତାହା ଈଶ୍ଵରଙ୍କର ସର୍ତ୍ତହୀନ ଦାନ ବୋଲି ମନେକରିବା ଉଚିତ ନୁହେଁ । ଏହାହିଁ ମାନବ ଜୀବନର ଏକ ବିଷମ ପରୀକ୍ଷା । ଆମେ ଈଶ୍ଵରଦତ୍ତ ପଦାର୍ଥକୁ ସର୍ବତୋଭାବେ ନିଜର ମନେକରି ଅନୁଗ୍ରହରୁ ବଞ୍ଚିତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି ଦୃଷ୍ଟି ଦେଇ ନଥାଉ । ନିଜର ସମ୍ପଦ ସମୟକୁ, ଲାଭ ଓ ଉନ୍ନତିକୁ କେବଳ ନିଜର ସୌଭାଗ୍ୟ ଓ କର୍ମଫଳ ଜ୍ଞାନକରି ଅନ୍ୟର ସେସବୁରେ କୌଣସି ଅଧିକାର ନଥିଲା ପରି ଆଚରଣ କରୁ । ବିପଦ ଓ କ୍ଷତିକୁ ଦୁର୍ଭାଗ୍ୟ ବୋଲି କହି କର୍ମକୁ ନିନ୍ଦାକରି ମନ୍ଦ ବିଧାତା କହି ଆକ୍ଷେପ କରିଥାଉ । ଆମେ ଧୈର୍ଯ୍ୟ, ଅଧ୍ୟବସାୟ ତ୍ୟାଗ କରି ଭଗବାନଙ୍କର ସତତ ଅହେତୁକୀ କରୁଣା ଉପରେ ଆସ୍ଥା ଓ ବିଶ୍ଵାସ ହରାଇବସୁ । ଏହାର ପ୍ରଧାନ କାରଣ ଆମେ ଅଜ୍ଞାନ । ଆମର ବିଶ୍ଵାସ ଦୃଢ଼ ନୁହେଁ । ସନ୍ଦେହ, ଅସ୍ଥିରତା, ଅନିଶ୍ଚୟତା, ଭୟ ଓ ଦ୍ୱିଧା ଆମକୁ ବିଚଳିତ କରିପକାଏ ଏବଂ ଫଳରେ ଅତି ସରଳ, ଉନ୍ମୁକ୍ତ ରାଜପଥରେ ମଧ୍ୟ ଆମେ ପଥବଣା ହୋଇ ବିପଥଗାମୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସନ୍ଦିଗ୍‌ଧ ଚିତ୍ତହିଁ ବିନଷ୍ଟ ହୁଏ । ଯାହାର ବିଶ୍ଵାସ ଯେତେ ଦୃଢ଼ ଓ ସନ୍ଦେହହୀନ, ତା’ର ସାମାନ୍ୟ ପୂଜା ପ୍ରାର୍ଥନା ଏପରିକି ନିମିଷକର ଚିନ୍ତନ ମଧ୍ୟ ଅତୀବ ଫଳ–ପ୍ରସୂ । ଏ ବିଶ୍ଵାସଟି କ’ଣ ? କ’ଣ ଆମେ ଦୃଢ଼ କରିବା ? ଭଗବତ୍‌ ବିଶ୍ଵାସ । ଏକ ସର୍ବଶକ୍ତିମାନ, ଅନାଦି, ଅନନ୍ତ, ନିରାକାର, ସଦା କରୁଣାମୟ, ସଚ୍ଚିଦାନନ୍ଦଙ୍କର ପରିବ୍ୟାପ୍ତି ଉପରେ ଆସ୍ଥା ଓ ନିର୍ଭରଶୀଳତା ? ସମସ୍ତ ଘଟଣାର ଏହି ଶକ୍ତିହିଁ ଉତ୍ସ ଓ କାରଣ । ସେ ହିଁ କର୍ମ, ସେ ହିଁ କର୍ତ୍ତା । ସେ ହିଁ ଦାତା, ସେ ହିଁ ଗ୍ରହୀତା । ସେ ହିଁ ଅତିଥି, ସେ ହିଁ ସତ୍କାରକ । ଭଗବତ୍‌ ବାଣୀ ଉପରେ ବିଶ୍ଵାସ, ଯାହା ତାଙ୍କର ଉପଦେଶ ଓ ନିର୍ଦ୍ଦେଶ ଅର୍ଥାତ୍‌ ଧର୍ମଶାସ୍ତ୍ର ଉପରେ ବିଶ୍ଵାସ । ପୁନଶ୍ଚ ଏହି ଶାସ୍ତ୍ରର ବାହକ ଅର୍ଥାତ୍‌ ଯେଉଁ ଅବତାର ମହାପୁରୁଷମାନଙ୍କ ଜରିଆରେ ଏହି ଶାସ୍ତ୍ର ମାନବ ସମାଜପାଇଁ ପ୍ରେରିତ, ସେହି ଅବତାରଗଣଙ୍କ ଉପରେ ବିଶ୍ଵାସ । ଶେଷରେ ଭଗବାନଙ୍କ ଆଜ୍ଞାବହ ଦେବଗଣଙ୍କ ଉପରେ ବିଶ୍ଵାସ । ଏହି ଚାରିଗୋଟି ବିଶ୍ଵାସ ମଧ୍ୟରୁ ଭଗବତ୍‌ ବିଶ୍ଵାସହିଁ ମୁଖ୍ୟ । କିନ୍ତୁ ଅନ୍ୟ ତିନିଗୋଟି ସହିତ ଓତପ୍ରୋତଭାବେ ଜଡ଼ିତ ଏବଂ କୌଣସି ଗୋଟିକ ଉପରେ ଆସ୍ଥା ନ ଆଣିଲେ ପୂର୍ଣ୍ଣ ବିଶ୍ଵାସ ଦୃଢ଼ ହୋଇ ନପାରେ ।

 

* ଫାତିହା–ମୁସଲମାନଙ୍କ ଘରେ ଭଗବାନଙ୍କୁ ଧନ୍ୟବାଦ ଦେବାର ପ୍ରଥା । ମିଲାଲାଦ–ମୁସଲମାନଙ୍କ ଘରେ ଭଜନ ଓ ପ୍ରାର୍ଥନା ।

 

ବର୍ତ୍ତମାନ ସମୟରେ ଆମେ ଅନେକ ମାର୍ଗ ଦେଖିବାକୁ ପାଉଁ । କେହି ପରମ୍ପରାଗତ ବିଷୟକୁ ଧରି ନିଜ ନିଜର ପୂର୍ବପୁରୁଷମାନଙ୍କର ଚିନ୍ତାଧାରା ପ୍ରତି ଆନୁଗତ୍ୟ ସ୍ଵୀକାର କରନ୍ତି, ଆଉ କେହି ପଣ୍ଡିତ ଓ ଜ୍ଞାନୀ ବୋଲାଉଥିବା ଲୋକଙ୍କର କଥାକୁ ସିଦ୍ଧାନ୍ତ ବୋଲି ମନେ କରନ୍ତି । ଆଉ କେତେକ ନିଜର ବୁଦ୍ଧି ବଳରେ ଚତୁରତାର ସହିତ ଧର୍ମର ବ୍ୟାଖ୍ୟା ନିଜ ନିଜର ସୁବିଧା ଅନୁସାରେ କରୁଛନ୍ତି । ସବୁଠାରୁ ଉତ୍କୃଷ୍ଟ ପନ୍ଥାହେଲା ଏ ବିଷୟରେ କୌଣସି ବାଧ୍ୟବାଧକତା ବା ଚାପର ବଶବର୍ତ୍ତୀ ନହୋଇ ନିଜ ବିବେକର ସାହାଯ୍ୟ ଭିକ୍ଷା କରିବା । ପ୍ରତ୍ୟେକ ବିଚାରକୁ ଯାଞ୍ଚକରି ଯାହା ଗ୍ରହଣଯୋଗ୍ୟ ଓ ବିବେକର ଅନୁକୂଳ ତାହାହିଁ ଗ୍ରହଣ କରିବା । ବିଭିନ୍ନ ଶାସ୍ତ୍ର ପ୍ରତି ବୀତ୍ତସ୍ପୃହ ଭାବ ଆମକୁ କୁକର୍ମ ଓ ଅଧର୍ମ ଆଡ଼କୁ ଟାଣିନେଉଛି । ଏହା କେବଳ ପରାଜୟ ମନୋବୃତ୍ତି ନୁହେଁ ବରଂ କର୍ତ୍ତବ୍ୟରୁ ଅପସରିଯିବା ପାଇଁ ଏହା ଆମର ଏକ ପ୍ରଚ୍ଛନ୍ନ କୌଶଳ । ଶାସ୍ତ୍ରର ବାଣୀ ଅତି ସରଳ ଓ ସ୍ପଷ୍ଟ । ଆମର ଇନ୍ଦ୍ରିୟମାନେ ଏହି ସରଳ ବିଷୟକୁ ଜଟିଳ ମନେ କରିଥାଆନ୍ତି । ଇନ୍ଦ୍ରିୟ, ଶାସ୍ତ୍ର ବାଣୀ ପାଳନକୁ କଠିନ ମନେକରେ, ଫଳରେ ଇନ୍ଦ୍ରିୟ ବଶବର୍ତ୍ତୀ ମାନବ ପକ୍ଷରେ ଉପଦେଶ ବାଣୀ ଗ୍ରହଣଯୋଗ୍ୟ ହୁଏନା । ଶାସ୍ତ୍ରର ଅବମାନନା ନକରି, ପରୋକ୍ଷରେ ନାସ୍ତିକ ନହେଲେବି ଇନ୍ଦ୍ରିୟାଶକ୍ତ ମାନବ ବିଧର୍ମୀ ହୁଏ । ପଶୁତୁଲ୍ୟ ବ୍ୟବହାରଦ୍ଵାରା ସ୍ଵଧର୍ମ ପରିତ୍ୟାଗକରି ପତିତ ପଦବାଚ୍ୟ ହୁଏ । ଏହି ପତିତ ଅଜ୍ଞାନମାନଙ୍କ ପାଇଁହିଁ ଅବତାରଗଣଙ୍କ ଆବିର୍ଭାବ ଓ ଶାସ୍ତ୍ରବାଣୀର ପ୍ରୟୋଜନ ଅଧିକ । ପବିତ୍ର କୋରାନ୍‌ ଗ୍ରନ୍ଥରେ ଉଲ୍ଲେଖ ଅଛି ଯେ ଆଲ୍‌ହା ଅଦ୍ୱିତୀୟ ପରମବ୍ରହ୍ମ–ମାନବ ସମାଜର ଉଦ୍ଧାରପାଇଁ ସେ ସେମାନଙ୍କ ମଧ୍ୟକୁ ଅବତାର ପ୍ରେରଣ କଲେ । ଯେ ତାକୁ ଉପଦେଶଦ୍ଵାରା ଅନ୍ଧକାରରୁ ଆଲୋକକୁ ଘେନିଯିବ, ଅପବିତ୍ରକୁ କରିବ ପବିତ୍ର, ମୂର୍ଖକୁ ଦେବ ବିଦ୍ୟା, ବିପଥଗାମୀକୁ ଦେଖାଇବ ସରଳ ସୁମାର୍ଗ । ଆମର ହିତାହିତ ବିଚାର କରିବାର ଶକ୍ତି ଆମକୁ ଆମର ସ୍ରଷ୍ଟାଙ୍କ ଶ୍ରେଷ୍ଠଦାନ । ଏହା ମନୁଷ୍ୟ ଛଡ଼ା ଅନ୍ୟ ପ୍ରାଣୀମାନଙ୍କଠାରେ ଦେଖାଯାଏନାହିଁ । ଯେଉଁମାନେ ଏହି ବିଚାରଶକ୍ତିର ସଦ୍‌ବ୍ୟବହାର ନକରି କେବଳ ପଶୁବତ୍‌ ପ୍ରକୃତିଦ୍ୱାରା ପରିଚାଳିତ ହୁଅନ୍ତି ବା ନିଜ ନିଜକୁ ଗାଈଗୋଠପରି ଅନ୍ୟଦ୍ୱାରା ପରିଚାଳିତ କରାନ୍ତି, ସେହିମାନେ ପରିଶେଷରେ କ୍ଷତିଗ୍ରସ୍ତ ହୁଅନ୍ତି । ଆମେ ଆମର ମନଦର୍ପଣକୁ ଅତି ସ୍ଵଚ୍ଛ ରଖିବା ଉଚିତ । ଯେ ଏହାକୁ ଯେତିକି ସ୍ଵଚ୍ଛ ରଖେ, ସେ ସେତିକି ପରିମାଣରେ ସତ୍‌ପଥଗାମୀ ହୋଇ ପରିଣାମରେ ସୁଖୀ ହୁଏ । ଯେ ଜାଣିଶୁଣି ଏହାର ବ୍ୟବହାର ପ୍ରତି ବୀତସ୍ପୃହ ହୁଏ, ସେ ନିଜକୁ ସେହି ପରିମାଣରେ ନିମ୍ନଗାମୀ କରେ । ଯେ ପାପଭାରରେ ଅତିଷ୍ଠ ଓ ବିପଥଗାମୀ, ସେ ଧର୍ମପଥରେ ଦୃଢ଼ ହେବାପାଇଁ ନିଜର ବିବେକରୂପୀ ଗୁରୁର ଉପଦେଶ, ନିର୍ଦ୍ଦେଶ, ଅତି ବିନମ୍ର ସମ୍ଭାଷଣ ଓ ମୃଦୁ ଭର୍ତ୍ସନା ପ୍ରତି ସଦାସର୍ବଦା ଜାଗ୍ରତ ରହିବା ଉଚିତ ।

 

ପ୍ରତ୍ୟେକ ଯୁଗରେ, ପ୍ରତ୍ୟେକ ସମାଜରେ, ପ୍ରତ୍ୟେକ ଭାଷାଭାଷୀଙ୍କ ମଧ୍ୟରେ ଅବତାରମାନଙ୍କର ଆବିର୍ଭାବ ହୋଇଛି । ଏମାନଙ୍କ ମଧ୍ୟରେ ଭେଦ ବା ତାରତମ୍ୟର ପ୍ରଶ୍ନ ନାହିଁ । ଏମାନେ ସମସ୍ତେ ଏକ ଗୋଷ୍ଠୀଗତ । ପ୍ରତ୍ୟେକ ଶାସ୍ତ୍ର ଏକ ସତ୍ୟହିଁ ପ୍ରଚାର କରିଥାଏ । ଏ ଦୃଷ୍ଟିରୁ ଧର୍ମ ଏକ, ବିଶ୍ଵାସ ମଧ୍ୟ ଏକ ।

ଆଧୁନିକ ଶିକ୍ଷିତ ଯୁବକମାନେ ଶାସ୍ତ୍ର–ବର୍ଣ୍ଣିତ କଥାକୁ ଅନେକ ସ୍ଥଳରେ ହସି ଉଡ଼ାଇ ଦେଇଥାନ୍ତି । ସମ୍ଭବ ଅସମ୍ଭବର ପ୍ରଶ୍ନ ଉତ୍ଥାପନ କରନ୍ତି । କିନ୍ତୁ ଚିନ୍ତା କରିବାର କଥା ଯେ ଏହା କେଉଁ ସମୟରେ ଏବଂ କାହାପାଇଁ ଉଦ୍ଦିଷ୍ଟ ଥିଲା । ଏହାକୁ ଅଳିକ ଗଳ୍ପ ବୋଲି ବ୍ୟକ୍ତ କଲେ ମଧ୍ୟ ଚଳିବନାହିଁ । ଚଷୁ ଭିତରୁ ଚାଉଳ ବାହାରିଲା ପରି ଏହି କଥାଗୁଡ଼ିକର ସାଙ୍କେତିକ ଭାବ ପ୍ରତି ଦୃଷ୍ଟି ଦେବାକୁ ହେବ । ଗଳ୍ପ, କାହାଣୀ, କଥା ଛଳରେ ବିଭିନ୍ନ ଚରିତ୍ରର ଅବତାରଣା କରି, ଅତି ଗୂଢ଼ କଥା ଅତି ସରଳ ଭାବରେ ପ୍ରକାଶ ପାଇଥାଏ । ଆଜି ଧାର୍ମିକ ବୋଲାଉଥିବା ବ୍ୟକ୍ତିମାନେ ଶାସ୍ତ୍ରୋକ୍ତିକୁ ଏହି ଦୃଷ୍ଟିକୋଣରୁ ବିଚାର ନକରି ଏହାର ଆକ୍ଷରିକ ଅର୍ଥରେ ଛନ୍ଦି ହୋଇ ନିଜକୁ ତଥା ଅନ୍ୟମାନଙ୍କୁ ଅନ୍ଧାରରୁ ଆହୁରି ଅନ୍ଧାରକୁ ଘେନି ଯାଉଛନ୍ତି । ପବିତ୍ର କୋରାନ୍‌ ଗ୍ରନ୍ଥରେ ଉଲ୍ଲେଖ ଅଛି–

‘‘ଓ’ ମା ମହମ୍ମଦୁନ ଇଲ୍ଲା ରସୁଲୁନ୍‌

କଦ୍‌ ଖଲତ୍‌ ମିନ୍‌ କବ୍‌ଲେହି ରସୁଲ୍‌;’

(ଅଲ୍‌ ଇମ୍‌ରାନ୍‌–୧୪୪)

ଅର୍ଥାତ୍‌ ‘ମହାପୁରୁଷ ମହମ୍ମଦ କେବଳ ଜଣେ ଭଗବତ୍‌ ଆଜ୍ଞାବହ । ତାଙ୍କ ପୂର୍ବରୁ ଅନେକ ଆଜ୍ଞାବହ ଏହିପରି ଆବିର୍ଭୂତ ହୋଇ ପୁଣି ମୃତ୍ୟୁବରଣ କରିଛନ୍ତି ।’ ଏହା ପୂର୍ବରୁ ଆହୁରି ଉଲ୍ଲେଖ ଅଛି ଯେ ‘ଆଲ୍ଲହା ଏକ ଏବଂ ଅଦ୍ଵିତୀୟ, ସେ ଚିରସ୍ଥାୟୀ ଏବଂ ଚିନ୍ମୟ । ଶାସ୍ତ୍ର ଲିଖିତ ସତ୍ୟ ସେ ପ୍ରକାଶ କରୁଛନ୍ତି, ଯାହା ଏହା ପୂର୍ବରୁ ମଧ୍ୟ ପ୍ରକାଶିତ ହୋଇଥିଲା । *ତୋ’ରା ଓ ବାଇବେଲ ଗ୍ରନ୍ଥର ପ୍ରକାଶିତ ସତ୍ୟକୁ ମଧ୍ୟ ଏହା ଅନୁମୋଦନ କରୁଛି (ଅଲ୍‌ ଇମ୍‌ରାନ ୨–୩) । ଏଥିରୁ ସ୍ପଷ୍ଟ ଯେ ଇସଲାମ ଓ ପବିତ୍ର କୋରାନ୍‌ ଏହାର ପୂର୍ବର ସମସ୍ତ ପବିତ୍ରଗ୍ରନ୍ଥ, ଅବତାର ଓ ରସୁଲଗଣଙ୍କୁ ସ୍ଵୀକାର କରେ । ଆଦିପୁରୁଷ ଆଦାମ୍‍ଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ମହାପୁରୁଷଙ୍କ ବିଚାରକୁ ଅନୁମୋଦନ କରେ ।

ଏହାର ବିଚାର ଅନୁସାରେ ପୃଥିବୀର ସୃଷ୍ଟିକାଳରୁ ପ୍ରତ୍ୟେକ ଦେଶରେ ପ୍ରତ୍ୟେକ ମାନବ ଗୋଷ୍ଠୀ ମଧ୍ୟରେ ଉଚ୍ଚନୀଚ, ବର୍ଣ୍ଣ ଓ ଭାଷା ନିର୍ବିଶେଷରେ ଭଗବତ୍‌ ଆଜ୍ଞାବହ ରସୁଲମାନେ ଅବତୀର୍ଣ୍ଣ ହୋଇ ପ୍ରଭୁଙ୍କ ବାଣୀ ପ୍ରଚାର କରିଛନ୍ତି । ପାରିପାର୍ଶ୍ଵିକ ଅବସ୍ଥା ଭେଦରେ ଭିନ୍ନ ଭିନ୍ନ ଭାଷାରେ ସେହି ଏକ ସତ୍ୟହିଁ ପ୍ରକଟିତ ହୋଇଛି । ପାତ୍ରର ବିଭିନ୍ନତା ସତ୍ତ୍ଵେ ସେହି ଏକ ଜଳହିଁ କେବଳ ତୃଷା ନିବାରଣ ପାଇଁ । ଶ୍ରୀମଦ୍ଭାଗବତରେ ଉଲ୍ଲେଖ ଅଛି–

‘‘ମର୍ତ୍ତ୍ୟ ମଣ୍ଡଳେ ଜନ୍ମ ହୋଇ

ଦେବତା ହୋଇଲେ ମରଇ’’

 

(ଏକାଦଶସ୍କନ୍ଦ, ନବମ ଅଧ୍ୟାୟ–୩୫)

 

ପବିତ୍ର କୋରାନ୍‌ର ଭାଷାରେ

 

‘କୁଲ୍‌ ଲୁ ନଫସିନ୍‌ ଜାଏକୁଲ ମଓତ୍‌,’

 

(ଅଲ ଇମ୍‌ରାନ୍‌–୧୮୫)

 

ଅର୍ଥାତ୍‌ ପ୍ରତ୍ୟେକ ଆତ୍ମା ମୃତ୍ୟୁର ସ୍ଵାଦ ଅନୁଭବ କରିବ ।

ପୁନଶ୍ଚ–

‘ଓ ଇନ୍‌ନା ମା ତୁ ଓଫ୍‌ଫଓନା ଉଜୁରକୁମ୍‌ ୟୋମଲ୍‌

 

କୟାମତ୍‌; ଫମନ୍‌ ଜୁହ୍‌ ଜିହା ଅନିନ୍‌ନାରେ ଓ

 

ଉଦ୍‌ ଖିଲଲ୍‌ ଜନ୍‌ନତା ଫକଦ୍‌ ଫାଜା ଓମଲ୍‌

 

ହୟାତୁଦ୍ ଦୁନିୟା ଇଲ୍‌ଲା ମତାଉଲ ଗୁରୁର୍‌ ।’

 

(ଇମରାନ–୧୮୫)

ଅଥାତ୍‌ ‘ମହାବିଚାରର ଦିନ ବା ‘କୟାମତ’ରେ ତୁମେ ତୁମର କର୍ମଫଳ ଅବଶ୍ୟ ପାଇବ । ଯେ ନରକାଗ୍ନିରୁ ମୁକ୍ତି ପାଇ ସ୍ଵର୍ଗଲାଭ କରିବ, ସେହି ବିଜୟୀ ହେବ । ଏ ପୃଥିବୀର ସୁଖ ଓ ଆନନ୍ଦ କେବଳ ଭ୍ରମାତ୍ମକ ଓ ମାୟାପୂର୍ଣ୍ଣ ।’ ଏହା ସହିତ ଶ୍ରୀମଦ୍ଭାଗବତର ଭାବର ମେଳ ଲକ୍ଷ୍ୟ କରନ୍ତୁ–

ଦେଖି ଏମନ୍ତ ବିପରୀତ

ଜାଣିବ ଏ ମାୟା ଜଗତ ।

ପଶୁ ତନୟ ଦାରା ଦାସ

ଏସର୍ବ ବିଜୁଳି ପ୍ରକାଶ ।

ଗୃହୀ ସ୍ଵଭାବେ ପୁଣ୍ୟକରି

ସ୍ଵର୍ଗେ ବସଇ ଦେହଧରି ।

(୪ର୍ଥ ଅଧ୍ୟାୟ–୧୯–୨୦–୨୧)

 

* ତୋ’ରା.......ଇହୁଦୀମାନଙ୍କର ଧର୍ମଶାସ୍ତ୍ର । ବାଇବେଲ......ଖ୍ରୀଷ୍ଟିଆନମାନଙ୍କର ଧର୍ମଗ୍ରନ୍ଥ ।

 

ଅତଏବ କୌଣସି ଶାସ୍ତ୍ରର ବିରୁଦ୍ଧାଚରଣ ପରିବର୍ତ୍ତେ ସେଥିରେ ଥିବା ନୀତିବାକ୍ୟକୁ ହୃଦୟଙ୍ଗମ କରି ସେଥିପ୍ରତି ଆକୃଷ୍ଟ ହେବା ସାଧୁ ପୁରୁଷଙ୍କର ଲକ୍ଷଣ । ଏହାହିଁ ସେମାନଙ୍କର ସାବଧାନତା । ବିଭିନ୍ନ ତଥ୍ୟକୁ ପରୀକ୍ଷା ନିରୀକ୍ଷା କରି, ହଂସ କ୍ଷୀରରୁ ନୀର ଅଲଗା କଲାପରି ମୌଳିକ ବସ୍ତୁକୁ ସେମାନେ ଗ୍ରହଣ କରନ୍ତି । ବର୍ତ୍ତମାନ ଆମ ଭାରତବର୍ଷରେ ବହୁ ଜାତିଗତ ସମାଜରେ ଏକତା ଓ ସହିଷ୍ଣୁତା ଆଣିବାର ଏହାହିଁ ଚରମପନ୍ଥା । ଧର୍ମର ପ୍ରେମ ଓ ଐକ୍ୟବାଣୀ ସମାଜକୁ ଧ୍ଵଂସ ମୁଖରୁ ରକ୍ଷା କରେ । ମନୁଷ୍ୟ ଭାବରେ ବଞ୍ଚିରହି ସ୍ଵର୍ଗ ଓ ମୁକ୍ତିର ପଥ ସନ୍ଧାନ କରିବାକୁ ହେଲେ ଆମର ବିଶ୍ଵାସ ସଙ୍କୁଚିତ ନ ହୋଇ ସମୁଦ୍ରପରି ଉଦାର ଓ ପର୍ବତ ପରି ଅଟଳ ହେଉ, ଏହାହିଁ ପ୍ରାର୍ଥନା ।

Image

 

ଆପଣା ହସ୍ତେ ଜିହ୍ୱାଛେଦି

 

କହନ୍ତି; ଗୁରୁଜନ ଓ ଶାସ୍ତ୍ରର କଥା ଅନ୍ୟଥା ହୁଏନା । ହୁଅନ୍ତା ବା କିପରି ? ଯାହା ସତ୍ୟ ତାହା ସବୁଦିନ ସବୁକାଳ ପାଇଁ ସତ୍ୟ । ବିଧାତା ମଣିଷ ଗଢ଼ିବା ଆଗରୁ ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି କଲେ-। ଯେମିତି ଗାଈଟିଏ ରଖିବା ଆଗରୁ ତା’ପାଇଁ ଗୁହାଳଟିଏ ଦରକାର ଓ ତା’ର ଦାନାପାଣିର ବ୍ୟବସ୍ଥା କରିବା ନିହାତି ପ୍ରୟୋଜନ, ଠିକ୍‌ ସେହିପରି ମଣିଷର ଚଳିବାପାଇଁ ସମସ୍ତ ପଦାର୍ଥର ବ୍ୟବସ୍ଥା କରିଦେଲେ ବିଧାତା । ପାଣି ପବନ ଗଛଲତା ପଶୁ ପକ୍ଷୀ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକଦ୍ରବ୍ୟ ଯାହାର ସାହାଯ୍ୟ ନେଇ ମାନବ ନିର୍ବିଘ୍ନରେ ଏ ସଂସାରରେ ଚଳିପାରିବ-। ଈଶ୍ୱରଦତ୍ତ ଏ ସମସ୍ତ ପଦାର୍ଥର ପ୍ରକୃତ ସଦୁପଯୋଗ କରିବାପାଇଁ ମଣିଷକୁ ଦେଲେ ଜ୍ଞାନ ଓ ବୁଦ୍ଧି-। କେବଳ ସେତିକି ନୁହେଁ; ବୁଦ୍ଧି ଓ ଜ୍ଞାନକୁ କେଉଁ ସ୍ଥାନରେ କିପରି ଖଟାଇବାକୁ ପଡ଼ିବ ସେଥିପାଇଁ ଦୁଇଜଣ । ଦେବପୁରୁଷଙ୍କୁ ମଧ୍ୟ ପଠାଇଲେ । ଗୋଲକରୁ ଭୂଲୋକକୁ ଆସିବାର ଓ ଫେରିଯିବାର କୌଶଳ ଜଣାଥିଲା ଏହି ଦେବତା ଦୁଇଜଣଙ୍କୁ । ସେମାନେ ନିୟମିତ ଭାବରେ ପୃଥିବୀକୁ ଆସୁଥାନ୍ତି, ଲୋକଙ୍କର ଅଳି ଓଜର ଶୁଣନ୍ତି । କଳିତକରାଳର ନ୍ୟାୟପୂର୍ଣ୍ଣ ମୀମାଂସା କରନ୍ତି ଏବଂ ସମାଜରେ କିପରି ଚଳିବାକୁ ହେବ, ପରସ୍ପର ମଧ୍ୟରେ କିପରି ଆପୋଷରେ ଶାନ୍ତିରେ ରହିବାକୁ ହୁଏ ଶିକ୍ଷା ଦିଅନ୍ତି । ଏହି ଦୁଇ ଦେବ ପୁରୁଷ ଆସନ୍ତି ମନୁଷ୍ୟ ବେଶରେ ନର ଜୀବନର ସମସ୍ତ ଗୁଣ ଧରି । ତେବେ କେବଳ ପାଞ୍ଚଟି କଥାପାଇଁ ତାଙ୍କୁ ବାରଣ କରାଯାଇଥାଏ । ପ୍ରଥମ ନରହତ୍ୟା ମହାପାପ । ଦ୍ଵିତୀୟ ପରଦାର କରିବ ନାହିଁ । ତୃତୀୟ ଈଶ୍ଵର ପୂଜା ଓ ଦେବାର୍ଚ୍ଚନାରେ ଅବହେଳା ଅକ୍ଷମଣୀୟ । ଚତୁର୍ଥରେ ମଦ୍ୟପାନ ନିଷେଧ । ପଞ୍ଚମ ଓ ଶେଷକଥା ପୃଥିବୀ ପୃଷ୍ଠକୁ ଆଗମନ ଓ ଦେବଲୋକକୁ ପ୍ରତ୍ୟାଗମନର ସୂତ୍ର ଅତୀବ ଗୋପନୀୟ । ଥରେ ଏହାର ଖିଲାପ କଲେ ଆଉ ଗୋଲକକୁ ଫେରିପାରିବ ନାହିଁ ।

 

ନିୟତିର ବିଧାନ ବିଚିତ୍ର । ଥରେ ଜଣେ ରୂପବତୀ ନାରୀ ଏହି ଦୁଇ ମନୁଷ୍ୟ ରୂପଧାରୀ ଦେବତାଙ୍କ ନିକଟକୁ ଆସିଲେ ଏକ ଗୁହାରି ନେଇ । ତାଙ୍କ ସ୍ୱାମୀ ବଡ଼ ଉଗ୍ର ଓ ସ୍ତ୍ରୀଙ୍କ ପ୍ରତି ବଡ଼ କଠୋର ବ୍ୟବହାର କରୁଥାନ୍ତି । ଏହାର ପ୍ରତିକାର ଚାହିଁଲେ ଏହି ସୁନ୍ଦରୀ ରମଣୀ । ଦୁଇ ଜଣଯାକ ନରରୂପଧାରୀ ଦେବତା ଏହି ମନମୋହିନୀ ତରୁଣୀଙ୍କର ଭଙ୍ଗୀରେ ଏପରି ମୁଗ୍ଧ ଓ ଆତ୍ମବିସ୍ମୃତ ହୋଇଗଲେ ଯେ, ସଙ୍ଗେ ସଙ୍ଗେ ପ୍ରସ୍ତାବ ଦେଲେ ‘ହେ ସୁନ୍ଦରୀ ତୁମେ ତୁମ ସ୍ୱାମୀଙ୍କୁ ପରିତ୍ୟାଗ କରି ଆମ୍ଭକୁ ବିବାହ କର’ । ଏହା ଅସମ୍ଭବ, ଯୁବତୀ ଉତ୍ତର ଦେଲେ । କାରଣ ଯଦି ମୋର ସ୍ୱାମୀ ଏହା ଜାଣେ ତେବେ ସେ ମୋତେ ତ ହତ୍ୟା କରିବ ନିଶ୍ଚୟ, ତାହାଛଡ଼ା ଆପଣମାନଙ୍କ ଜୀବନ ମଧ୍ୟ ବିପଦପୂର୍ଣ୍ଣ ହେବ । ତେଣୁ ବରଂ ଆପଣମାନେ ମୋ ସ୍ୱାମୀକୁ ହତ୍ୟା କରନ୍ତୁ ଏବଂ ମୋତେ ଚିରଦିନ ପାଇଁ ଗ୍ରହଣ କରନ୍ତୁ । ‘ଅସମ୍ଭବ, ଅସମ୍ଭବ’, ଏକ ସଙ୍ଗେ ଚିତ୍କାର କରି ଉଠିଲେ ଉଭୟ ଦେବତା–‘ନରହତ୍ୟା ମହାପାପ, ବିଧିର ଆଦେଶ’ । ଏହାଶୁଣି ସ୍ତ୍ରୀଲୋକଟି କହିଲା ଦେଖନ୍ତୁ ଆପଣ ବୃଥାରେ ପାପ ଚିନ୍ତା କରୁଛନ୍ତି । ଆପଣମାନେ ବଡ଼ ଦୁର୍ବଳମନା । ତେଣୁ ମୋର ସବିନୟ ଅନୁରୋଧ, ସାମାନ୍ୟ ମଦ୍ୟପାନକରି ଧର୍ମ ଭୟଛାଡ଼ି ପରଦାନ ଗମନ କରନ୍ତୁ । ମୁଁ କଥା ଗୋପନ ରଖିବି, ସଙ୍ଗେ ସଙ୍ଗେ ତୁମ ମନସ୍କାମନା ପୂର୍ଣ୍ଣ ହେବ । ଯୁବତୀର ଏହି ଉପଦେଶ ଶୁଣି ଉଭୟ ନରରୂପୀ ଦେବତା ପରସ୍ପରକୁ ଚାହିଁରହିଲେ । ଜଣେ କହିଲେ ‘ମଦ୍ୟପାନ ନିଷେଧ ନିଶ୍ଚୟ, କିନ୍ତୁ ସାମାନ୍ୟ ମଦ୍ୟପାନ ଦୋଷାବହ ନୁହେଁ । ତା’ ଛଡ଼ା ଏ ଯୁବତୀ ପ୍ରତି ଆମେ ବଳତ୍କାର ତ କରୁନାହୁଁ-। କ୍ଷତି କ’ଣ ? କ୍ଷତି କ’ଣ ଅନ୍ୟ ଦେବତା ମଧ୍ୟ ପ୍ରଶ୍ନ କଲେ । ସୁଧୀପାଠକେ ଲକ୍ଷ୍ୟ କରନ୍ତୁ ନାରୀର ମୋହିନୀ ଶକ୍ତି । ଚୁମ୍ୱକର ଆକର୍ଷଣ ଲୁହାକୁ ନିଜର ଭାରସାମ୍ୟ ହରାଇବାକୁ ବାଧ୍ୟ କରେ-। କିନ୍ତୁ ଲୁହାକୁ ଚୁମ୍ୱକର ନିକଟତର ହେବାକୁ କିଏ ବାଧ୍ୟ କଲା । ଲୁହା ଚୁମ୍ୱକର ନିର୍ଦ୍ଦିଷ୍ଟ ସୀମା ନିକଟକୁ ନ ଆସିଲା ପର୍ଯ୍ୟନ୍ତ ଲୁହା ନିଜର ଭାର ବା ଓଜନ ହରାଇ ନଥିଲା । ସୀମାର ବାହାର ହେବାମାତ୍ରେ ଚୁମ୍ୱକ ନିଜ ଧର୍ମ ପାଳନ କରି ଲୁହାକୁ ନିଜ ପାଖକୁ ଟାଣି ନେଲା ଓ ଲୁହା ଚୁମ୍ୱକରେ ପରିଣତ ହେଲା ।

 

ଏହି ଦୁଇ ଦେବପୁରୁଷ ସେହିପରି ନାରୀର ପ୍ରସ୍ତାବରେ ସାମାନ୍ୟ ମଦ୍ୟପାନକରିବାକୁ ସମ୍ମତ ହେଲେ । ଆପଣମାନେତ ଜାଣନ୍ତି ମଦ୍ୟପାନ କେବଳ ସାମାନ୍ୟରେ ସୀମିତ ରହେନା । ଆଉଟିକିଏ ଆଉଟିକିଏ ହୋଇ ମନୁଷ୍ୟର ମଣିଷପଣିଆ ନହରାଇଲା ପର୍ଯ୍ୟନ୍ତ ମଦ୍ୟପାନର ପ୍ରଲୋଭନ ଛାଡ଼େନା । ତାହାହିଁ ହେଲା । ଗୋଟିଏ ବାରଣ ପ୍ରତି ଧ୍ୟାନ ନଦେବାରୁ ଏହି ଦୁଇ ଦେବ ପୁରୁଷ ବିଧାତାଙ୍କର ଏକ ଏକ କରି ସମସ୍ତ ବାରଣ ଲଙ୍ଘନ କଲେ । ଏପରିକି ଅତିରିକ୍ତ ନିଶାର ପ୍ରଭାବରେ ପୃଥିବୀ ପୃଷ୍ଠକୁ ଆସିବାର ଓ ଫେରିବାର ତଥ୍ୟ ଆଉ ଗୋପନୀୟ ହୋଇ ରହିଲା ନାହିଁ-। ଏମାନଙ୍କର ମାତାଲପଣିଆର ସୁଯୋଗରେ ସ୍ତ୍ରୀଲୋକଟି ଏହି ସୂତ୍ର ସାହାଯ୍ୟରେ ସ୍ଵର୍ଗପୁରରେ ଯାଇ ପହଞ୍ଚିଲେ । ଏହା ଦେଖି ବିଧାତା ଅନ୍ୟଏକ ଦେବତାଙ୍କୁ ଏକ ପରାମର୍ଶ ଦେଇ ପୃଥିବୀକୁ ପଠାଇଲେ, ଏହି ଦୁଇ ଜଣଙ୍କ ପାଖକୁ । ତୃତୀୟ ଦେବତା କହିଲେ ଦେଖ ତୁମପାଖରେ ଦୁଇଟି ବାଟ ରହିଛି । ଯଦି ଚାହଁ ଫେରିଚାଲ ଏବଂ କୃତକର୍ମ ପାଇଁ ନର୍କଭୋଗକର । ନଚେତ୍‌ ଏହି ପୃଥିବୀରେ ମନୁଷ୍ୟଭଳି ବାସକରି ମୃତ୍ୟୁ ବରଣ କରିବ, କାରଣ ମର୍ତ୍ତ୍ୟ ମଣ୍ଡଳେ ଜନ୍ମହୋଇ ଦେବତା ହୋଇଲେ ମରଇ । ଦେବ ପୁରୁଷ ଦ୍ଵୟ ଉତ୍ତର ଦେଲେ, ଈଶ୍ଵରଙ୍କର ଆଦେଶ ଅମାନ୍ୟ କରିଛୁଁ । ସେ କ୍ଷମାଶୀଳ, ଦୟାର ସାଗର, ଆମକୁ ଇଚ୍ଛାକଲେ କ୍ଷମାଦେଇ ପାରେ, କିନ୍ତୁ ନର୍କଭୋଗ ଯେ କି ଭୟାବହ, କଷ୍ଟଦାୟକ ତାହା ଜାଣି ଆମେ ସ୍ଵଇଚ୍ଛାରେ ନର୍କକୁ ଯିବାକୁ କେବେ ମନବଳାଇବୁ ନାହିଁ । ବରଂ ଏହି ପୃଥିବୀରେ ରହି ମୃତ୍ୟୁବରଣ କରିବୁ ଏବଂ କର୍ମଫଳ ଭୋଗ କରିବୁଁ ।

Image

 

ଉପଗ୍ରହ ଜରିଅ।ରେ ଶିକ୍ଷ।ମୂଳକ ଟେଲିଭିଜନ କାର୍ଯ୍ୟକ୍ରମର ପରୀକ୍ଷ।ନିରୀକ୍ଷ।

 

ଥରେ ଜଣେ ଔପନ୍ୟାସିକ ଆରଥରକ୍ଲାର୍କ, ଯେ କି ବିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ଉପରେ ଉପନ୍ୟାସ ଗଳ୍ପ ଲେଖିଛନ୍ତି, ତାଙ୍କର ‘ବେତାର ଦୁନିଆ’ ଶୀର୍ଷକ ଲେଖାରେ ଏକ ନୂତନ ତତ୍ତ୍ଵର କଳ୍ପନା କରିଥିଲେ । ସେଇଟି ହେଲା ଯେ ଗୋଟିଏ କୃତ୍ରିମ ଉପଗ୍ରହ ପୃଥିବୀ ପୃଷ୍ଠରୁ ହଜାର ହଜାର ମାଇଲ ଉର୍ଦ୍ଧ୍ୱରେ ପୃଥିବୀର ଆହ୍ନିକ ବା ଦୈନିକ ଗତି ସହିତ ସମାନ ଗତିରେ ପୃଥିବୀ ଚାରିପଟେ ବୁଲିପାରେ । ଏହାର ବୈଚିତ୍ର୍ୟ ହେଲା ଯେ ପୃଥିବୀର ମଣିଷ ଏହି ଉପଗ୍ରହକୁ ଏକ ସ୍ଥାଣୁ ରୂପରେ ଦେଖି ପାରିବ । ଏ ହେଲା ୧୯୪୫ ମସିହାର ଚିନ୍ତାଧାରାର–ଏକ କଳ୍ପନା, ଯାହା ଆଜି କାର୍ଯ୍ୟକ୍ଷେତ୍ରରେ ରୂପ ନେବାକୁ ଯାଉଛି ।

 

କୃତ୍ରିମ ଉପଗ୍ରହ ଜରିଆରେ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି କାହିଁକି ?

 

ମନରେ ପ୍ରଶ୍ନ ଉଠେ ଯେ ଟେଲିଭିଜନ ପାଇଁ ଟ୍ରାନ୍ସମିଟର ବ୍ୟବହାର କରାଯାଉଥିବାବେଳେ ପୁଣି ଉପଗ୍ରହର ସାହାଯ୍ୟ କାହିଁକି ? ସାଧାରଣତଃ ୫୦/୬୦ କିଲୋମିଟର ଦୂରତ୍ୱ ଯାଏଁ ଟେଲିଭିଜନ କାର୍ଯ୍ୟକ୍ରମ ଦେଖାଯାଇଥାଏ । କାରଣ ପୃଥିବୀ ଗୋଲ ହୋଇଥିବାରୁ ଆଖି ଖୋଲା ଜାଗାରେ ଦିଗ୍‌ବଳୟର ଯେତେଦୂର ପର୍ଯ୍ୟନ୍ତ ଦେଖିପାରେ, ସେତିକି ବାଟ ଟେଲିଭିଜନ ତରଙ୍ଗ ପୃଥିବୀ ପୃଷ୍ଠ ଉପରେ ଯାଇ ତା’ପରେ ସିଧା ସିଧା ବାହାରି ଯାଇଥାଏ । ତେଣୁ ଦିଗ୍‌ବଳୟଠାରୁ ତଳକୁ ବା ଗଡ଼ାଣିଆ ଅଂଶକୁ ଏହି ତରଙ୍ଗ ପ୍ରବାହିତ ହୋଇପାରୁନଥିବାରୁ, ଟେଲିଭିଜନ ସେଟ୍‌ ତାହା ଧରିପାରେନା । ଏହି ସୀମିତ ଅବସ୍ଥାର ସମାଧାନ କରିପାରିଛି ଉପଗ୍ରହ-। କାରଣ ପୃଥିବୀର ବହୁ ଉଚ୍ଚରେ ରହିବାଦ୍ଵାରା ଏହା ଏକ ଛାତ ଭଳିଆ ପୃଥିବୀର ଅଧିକାଂଶ ଭୂ–ଭାଗକୁ ଘୋଡ଼ାଇଲାଭଳି ରହେ । କୌଣସି ପ୍ରକାରରେ ଟେଲିଭିଜନ ତରଙ୍ଗକୁ ଉପଗ୍ରହକୁ ପଠାଯାଇପାରିଲେ, ଉପଗ୍ରହରୁ ଏହା ପ୍ରତିଫଳିତ ହୋଇ ବହୁ ପରିମିତ ସ୍ଥାନରେ ଟେଲିଭିଜନ ତରଙ୍ଗ ବିକିରଣ କରାଯାଇପାରିବ ଓ ସେ ସ୍ଥାନରେ ଥିବା ଟେଲିଭିଜନ ସେଟ୍‍ଦ୍ଵାରା କାର୍ଯ୍ୟକ୍ରମ ଦେଖିହେବ । ଉପଗ୍ରହଦ୍ୱାରା ପ୍ରତିଫଳିତ ତରଙ୍ଗକୁ ଗ୍ରହଣ କରିବାପାଇଁ ସାଧାରଣ ବଜାରରେ ବିକ୍ରି ହେଉଥିବା ଟେଲିଭିଜନ ସେଟ୍‌, ଯଥେଷ୍ଟ ନୁହେଁ । ସେଥିପାଇଁ ଏକ ବିଶେଷ ପ୍ରକାର ଏରିଏଲ୍‌ ଆଣ୍ଟିନା ଦରକାର । ବର୍ତ୍ତମାନ ଯେଉଁ ଟେଲିଭିଜନ ସେଟ୍‌ଗୁଡ଼ିକୁ ଓଡ଼ିଶାର ଢେଙ୍କାନଳ, ସମ୍ବଲପୁର ଓ ଫୁଲବାଣୀ ଜିଲ୍ଲାରେ ବିଭିନ୍ନ ଗାଁରେ ଦିଆଯାଇଛି, ସେଗୁଡ଼ିକ ସ୍ଵତନ୍ତ୍ରଭାବେ ତିଆରି ହୋଇଛି-। ଏଥିରେ ୧୦ଫୁଟ୍ ଗୋଲେଇ ଜାଲିଥିବା ଆଣ୍ଟିନା ବ୍ୟବହୃତ ହେଉଛି । ଯେଉଁ ଉପଗ୍ରହ ଜରିଆରେ ଆଜିଠାରୁ ଆମଦେଶର ୨,୪୦୦ ଗ୍ରାମରେ ଟେଲିଭିଜନ କାର୍ଯ୍ୟକ୍ରମ ପରିବେଷଣ ଆରମ୍ଭ ହେଲା-। ସେଇଟି ତିଆରି ହୋଇଛି ଆମେରିକାର ଜାତୀୟ ମହାକାଶ ଗବେଷଣା କେନ୍ଦ୍ରର ଆନୁକୂଲ୍ୟରେ-। ଆମ ଦେଶ ଓ ଆମେରିକା ମଧ୍ୟରେ ଏକ ଚୁକ୍ତି ହୋଇ ବର୍ଷକପାଇଁ ଆମକୁ ଏହି ଉପଗ୍ରହକୁ ବ୍ୟବହାର କରିବାପାଇଁ ସୁଯୋଗ ମିଳିଛି ।

 

ଟେଲିଭିଜନ ସେଟ୍‌ :–

 

ବିଭିନ୍ନ ଗାଁଗୁଡ଼ିକରେ ଖଞ୍ଜା ଯାଇଥିବା ସେଟ୍‌ଗୁଡ଼ିକ ତିଆରି ହୋଇଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (Indian Space Research Organisation) ତରଫରୁ । ଏହି କେନ୍ଦ୍ର, ସେଟ୍‌ଗୁଡ଼ିକ ଖଞ୍ଜିବା, କେଉଁ ଗାଁରେ ଦିଆଯିବ, ତା’ ଠିକ୍‌ କରିବା ଏବଂ ସେଟ୍‌, ଖରାପ ହେଲେ ତାହାର ମରାମତି କରିବା ଭାର ନେଇଛନ୍ତି । ତା’ଛଡ଼ା କେଉଁ କାର୍ଯ୍ୟକ୍ରମ ଗାଁର ଲୋକେ ଦେଖିବେ, ତା’ର ପ୍ରଭାବ ଗାଁର ଲୋକଙ୍କ ଉପରେ କ’ଣ ହେଉଛି ଏବଂ ଗାଁ ଲୋକେ କିଭଳିଭାବେ ଏହା ଗ୍ରହଣ କରୁଛନ୍ତି, ସେ ସଂକ୍ରାନ୍ତିୟ ଗବେଷଣା ଦାୟିତ୍ୱବି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଉପରେ ନ୍ୟସ୍ତ ହୋଇଛି ।

 

କାର୍ଯ୍ୟକ୍ରମ ପ୍ରସ୍ତୁତି :–

 

ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଦାୟିତ୍ୱ ଆକାଶବାଣୀକୁ ଦିଆଯାଇଛି । ଟେଲିଭିଜନ ବିଭାଗ ଆକାଶବାଣୀର ଅନ୍ୟ ଏକ ସଂସ୍ଥା । ଆକାଶବାଣୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବ ସିନା, କିନ୍ତୁ କି ଧରଣର ଏବଂ କେଉଁ କେଉଁ ବିଷୟରେ କାର୍ଯ୍ୟକ୍ରମ କରାଯିବ, ତାହାର ନିର୍ବାଚନ ଅନ୍ୟ ବିଭାଗମାନଙ୍କ ସହିତ ଆଲୋଚନା କରାଯାଇ ସ୍ଥିର ହୁଏ ।

 

ସ୍କୁଲ୍ ପିଲାମାନଙ୍କପାଇଁ କାର୍ଯ୍ୟକ୍ରମ :–

 

ଜାତୀୟ ଶିକ୍ଷା ଓ ଗବେଷଣା ପରିଷଦ (N.C.E.R.T) ୫ ବର୍ଷରୁ ୧୧ ବର୍ଷ ପିଲାଙ୍କପାଇଁ ବିଭିନ୍ନ କାର୍ଯ୍ୟକ୍ରମର ସିଲାବସ୍ ତିଆରି କରିଛନ୍ତି । ଏହି ପରିଷଦ କେନ୍ଦ୍ର ଓ ରାଜ୍ୟ ଶିକ୍ଷା ବିଭାଗ ଜରିଆରେ ଯେଉଁ ବିଷୟବସ୍ତୁ ନିର୍ଦ୍ଦିଷ୍ଟ କରିଛନ୍ତି, ସେହି ବିଷୟ ଉପରେ କାର୍ଯ୍ୟକ୍ରମ ତିଆରି ହେଉଛି । ଏହା ସ୍କୁଲ୍‍ରେ ପଢ଼ାଗଲା ଭଳି ପାଠ ନୁହେଁ, ବରଂ ପିଲାମାନଙ୍କର ଜ୍ଞାନର ପରିସର ବୃଦ୍ଧିପାଇଁ ଏହା ଉଦ୍ଦିଷ୍ଟ । ଭାଷା, ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ, ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟବୋଧ ପ୍ରଭୃତି ଗୁଣର ବିକାଶ ସଙ୍ଗେ ସଙ୍ଗେ କୋମଳମତି ଶିଶୁମାନଙ୍କୁ ଆଧୁନିକ ପରିବର୍ତ୍ତିତ ସାମାଜିକ ପରିବେଶ ପ୍ରତି ସଜାଗ କରାଇ ଦେବା ଏହାର ଲକ୍ଷ୍ୟ ।

 

କୃଷି କାର୍ଯ୍ୟକ୍ରମ :–

 

ଭାରତୀୟ କୃଷି ଗବେଷଣା ସଂସ୍ଥା ଓ ରାଜ୍ୟ କୃଷି ବିଭାଗର ପରାମର୍ଶକ୍ରମେ ଏକ ବିଷୟସୂଚୀ ଠିକ୍‌ କରାଯାଇଅଛି । କେବଳ ଜମିଚାଷ ନୁହେଁ, ପଶୁପାଳନ, ମାଛଚାଷ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟ ଉପରେ ମଧ୍ୟ କାର୍ଯ୍ୟକ୍ରମ ପ୍ରଚାର କରାଯିବ । ଚାଷୀ ଭାଇଙ୍କୁ ବିଭିନ୍ନ ତଥ୍ୟ ଯୋଗାଇ ଦେବା ସଙ୍ଗେ ସଙ୍ଗେ କେଉଁ ଚାଷ ଲାଭଜନକ ଓ ସମୟ ଉପଯୋଗୀ, ଫସଲ, ସାର ଓ ଜଳର ବିନିଯୋଗ ଆଦି ବିଷୟରେ ମଧ୍ୟ ଚର୍ଚ୍ଚା କରାଯିବ । ସାର, ବିହନ, କୃଷି ଯନ୍ତ୍ରପାତି, ପୋକମରା ଔଷଧ, ପାଣିପାଗ, ବଜାରଦର ସମ୍ୱନ୍ଧୀୟ ତଥ୍ୟ ମଧ୍ୟ ଏହାର ଅନ୍ତର୍ଭୁକ୍ତ ।

 

ସ୍ଵାସ୍ଥ୍ୟ ଓ ପରିବାର ନିୟନ୍ତ୍ରଣ :–

 

ସାଧାରଣ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଜ୍ଞାନ, ଦେହର ଓ ପରିବେଶର ପରିଚ୍ଛନ୍ନତା, ଖାଦ୍ୟସାର, ଶିଶୁର ଯତ୍ନ, ଗ୍ରାମର ସ୍ୱାସ୍ଥ୍ୟ, ବାୟୁମଣ୍ଡଳ ପ୍ରଭୃତି ଏହି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ । ବିଭିନ୍ନ ସଂକ୍ରାମକ ରୋଗର ପ୍ରତିକାର ଓ ନିରାକରଣ, ଛୋଟପିଲାଙ୍କର ସାଧାରଣ ରୋଗ ଓ ପ୍ରତିକାର ପ୍ରଭୃତି ବିଷୟବସ୍ତୁ ଉପରେ ବିଭିନ୍ନ କ୍ଷେତ୍ରରେ ଯେଉଁ ପରୀକ୍ଷାନିରୀକ୍ଷା ଚାଲିଛି, ତା’ର ଫଳାଫଳ ଉପରେ ପର୍ଯ୍ୟବେସିତ କାର୍ଯ୍ୟକ୍ରମ, କେନ୍ଦ୍ର ଓ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ପରାମର୍ଶ କ୍ରମେ ପ୍ରସ୍ତୁତ କରାଯାଇଛି । ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି । ପରିବାର ନିୟନ୍ତ୍ରଣ କରିବାର ସୁଫଳ ଓ ନକରିବାର ପରିମାଣ ଏହି କାର୍ଯ୍ୟକ୍ରମରେ ସ୍ଥାନ ପାଇଛି । ଏହାଛଡ଼ା ସାଧାରଣ ଜ୍ଞାନ ସମ୍ୱନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ପ୍ରଚାର କରାଯିବ । ଅପବ୍ୟୟର ପରିଣାମ, କଳାବଜାରର ପରିଣତି ପ୍ରତି ଜନସାଧାରଣଙ୍କୁ ସତର୍କ କରାଇଦେବା ସଙ୍ଗେ ସଙ୍ଗେ ପ୍ରୌଢ଼ ସାକ୍ଷରତା, ଜାତୀୟ ଏକତା ପ୍ରଭୃତି ବିଷୟ ପ୍ରତି ସେମାନଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି ।

 

ବିଭିନ୍ନ ସରକାରୀ ବିଭାଗ ତଥା ବିଶେଷଜ୍ଞମାନଙ୍କର ସାହାଯ୍ୟ ଓ ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମଗୁଡ଼ିକ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ରାଜ୍ୟ ମୁଖ୍ୟ ସଚିବଙ୍କ ସଭାପତିତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ରହିଛି ଯେଉଁଥିରେ ବିଭିନ୍ନ ପ୍ରତିନିଧିମାନେ ଯୋଗଦେଇ ନିଜ ନିଜ ପରିସରଭୁକ୍ତ ବିଭିନ୍ନ ବିଷୟବସ୍ତୁକୁ ନେଇ ଆଲୋଚନା କରନ୍ତି ଏବଂ ଏହି କମିଟି କେତେକ ବିଶେଷଜ୍ଞଙ୍କୁ ନେଇ ଛୋଟ ଛୋଟ ଦୁଇଟି କମିଟି ଗଢ଼ିଛି । ଗୋଟିଏ ସ୍କୁଲ୍ କାର୍ଯ୍ୟକ୍ରମପାଇଁ ଏବଂ ଅନ୍ୟଟି ଅନ୍ୟାନ୍ୟ କାର୍ଯ୍ୟକ୍ରମପାଇଁ । ଏ କ୍ଷେତ୍ରରେ ଯୋଗସୂତ୍ର ରକ୍ଷା କରିବା ଉଦ୍ଦେଶ୍ୟରେ ବିଭିନ୍ନ ରାଜ୍ୟ ସରକାର ଜଣେ ଜଣେ ଉଚ୍ଚ କ୍ଷମତାସଂପନ୍ନ କର୍ମଚାରୀ ନିଯୁକ୍ତ କରିଛନ୍ତି । ଓଡ଼ିଶାପାଇଁ ଲୋକ ସମ୍ପର୍କ ନିର୍ଦ୍ଦେଶକ ଶ୍ରୀ ଏ.ଏନ୍‌. ତିଓ୍ୱାରୀ ଓ ମଧ୍ୟପ୍ରଦେଶପାଇଁ ଶ୍ରୀ ବି. ରାମକୃଷ୍ଣୟା ଏହି ଦାୟିତ୍ୱରେ ଅଛନ୍ତି । ଏମାନଙ୍କ ଛଡ଼ା ଉଭୟ ପ୍ରଦେଶ ତରଫରୁ କୃଷି, ସ୍ଵାସ୍ଥ୍ୟ ଓ ଶିକ୍ଷା–ପ୍ରତ୍ୟେକ ବିଭାଗର ଜଣେ ଜଣେ ପଦସ୍ଥ ଅଫିସର ନିଯୁକ୍ତ ହୋଇଛନ୍ତି ।

 

ସାଂସ୍କୃତିକ କାର୍ଯ୍ୟକ୍ରମ :–

 

ବିଭିନ୍ନ ଶିକ୍ଷାପ୍ରଦ କାର୍ଯ୍ୟକ୍ରମ ଛଡ଼ା ଲୋକଗୀତ ଓ ଲୋକନୃତ୍ୟ ଏବଂ ଅନ୍ୟାନ୍ୟ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଟେଲିଭିଜନରେ ପରିବେଷଣ କରାଯିବ । ମଧ୍ୟପ୍ରଦେଶର ପର୍ଣ୍ଣଓ୍ୱାନୀ ନାଚ, ବାଂଶଗୀତ, ଦଣ୍ଡାଗୀତ, ଜମହୁରାଗୀତ ଆଦି କାର୍ଯ୍ୟକ୍ରମ କୃତୀଶିଳ୍ପୀମାନଙ୍କଦ୍ଵାରା ପରିବେଷିତ ହୋଇଛି । ଆମ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଜିଲ୍ଲାର ଲୋକଗୀତ ଓ ଲୋକ ନୃତ୍ୟଛଡ଼ା ଓଡ଼ିଶୀଗୀତ ଓ ନୃତ୍ୟ ମଧ୍ୟ ପରିବେଷଣ କରାଯାଉଛି । ଇତିମଧ୍ୟରେ ଉଭୟ ପ୍ରଦେଶର ପ୍ରାୟ ୩୦୦ ଜଣ ଲୋକଗୀତ ଓ ଲୋକନୃତ୍ୟ ଶିଳ୍ପୀ ଏଭଳି କାର୍ଯ୍ୟକ୍ରମରେ ଅଶଂଗ୍ରହଣ କରିସାରିଛନ୍ତି । ଓଡ଼ିଶାର ଲୋକସମ୍ପର୍କ ବିଭାଗର ସହଯୋଗକ୍ରମେ ଗତ ଫେବୃୟାରୀ–ମାର୍ଚ୍ଚ ମାସରେ ଏକ ଲୋକଗୀତ ଓ ଲୋକନୃତ୍ୟ ଉତ୍ସବର ଆୟୋଜନ କରାଯାଇଥିଲା । ଏହାର ରେକଡ଼ିଂ କରିବାପାଇଁ ଏକ ଭ୍ରାମ୍ୟମାଣ ଟେଲିଭିଜନ କଣ୍ଟ୍ରୋଲରୁମ୍ କଲିକତାରୁ ଅଣାଯାଇଥିଲା ।

 

କେଉଁମାନଙ୍କପାଇଁ କାର୍ଯ୍ୟକ୍ରମ :–

 

ଆମ ଦେଶରେ ବର୍ତ୍ତମାନ ସୁଦ୍ଧା କେବଳ ଦିଲ୍ଲୀ, ବମ୍ବେ, ଶ୍ରୀନଗର, ଅମୃତସର–ଏଇ ଚାରିଗୋଟି ସହରରେ ଟେଲିଭିଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ଏହି ସହରଗୁଡ଼ିକର ୬୦ କିଲୋମିଟର ପରିଧି ମଧ୍ୟରେ ସହରାଞ୍ଚଳର ଲୋକେ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ପାଉଛନ୍ତି । କଲିକତା ଓ ମାନ୍ଦ୍ରାଜ ସହରପାଇଁ ମଧ୍ୟ ଟେଲିଭିଜନ କେନ୍ଦ୍ରର ଯୋଜନା ପ୍ରାୟ ସମ୍ପୂର୍ଣ୍ଣ ହେବା ଉପରେ । ଏହି ଦୁଇଟି ସହରରେ ଟ୍ରାନ୍ସମିଟର ଜରିଆରେ କାର୍ଯ୍ୟକ୍ରମ ପ୍ରଚାର କରାଯିବ । କିନ୍ତୁ ଉପଗ୍ରହ ଜରିଆରେ ଯେଉଁ କାର୍ଯ୍ୟକ୍ରମ ଅଗଷ୍ଟ ପହିଲାରୁ ପରିବେଷଣ କରାଯିବ ତାହାର ପରିସର ଆହୁରି ବିସ୍ତୃତ ।

 

ଓଡ଼ିଶାର ଢେଙ୍କାନାଳ, ସମ୍ବଲପୁର ଓ ଫୁଲବାଣୀ, ମଧ୍ୟପ୍ରଦେଶର ଦୁର୍ଗ, ରାୟପୁର ଓ ବିଳାସପୁର ଜିଲ୍ଲାପାଇଁ ଆମର କଟକ ଟେଲିଭିଜନ କେନ୍ଦ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ପାଇଁ ହାଇଦ୍ରାବାଦଠାରେ, ବିହାର ଓ ରାଜସ୍ଥାନ ପାଇଁ ଦିଲ୍ଲୀଠାରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା କେନ୍ଦ୍ର ବା Base Production Centre ସ୍ଥାପନ କରାଯାଇଛି । ଏହି କେନ୍ଦ୍ରଗୁଡ଼ିକ କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର ଭିଡ଼ିଓ ବା ଦୃଶ୍ୟଟେପ୍‌ ଯୋଗେ ଗ୍ରହଣ କରି ଅହମଦାବାଦଠାରେ ପ୍ରତିଷ୍ଠିତ ସ୍ଵତନ୍ତ୍ର ଟ୍ରାନ୍ସମିଟର କେନ୍ଦ୍ରକୁ ପଠାଯାଉଛି । ଅହମଦାବାଦଠାରେ ଥିବା ଟ୍ରାନ୍ସମିଟର କେନ୍ଦ୍ର ଏହାକୁ କୃତ୍ରିମ ଉପଗ୍ରହକୁ ପ୍ରେରଣ କରୁଛି ଏବଂ ଉପଗ୍ରହ ଏହାକୁ ପୁଣି ପ୍ରତିବିମ୍ବିତ କରୁଛି । ଏହା ଫଳରେ ଉକ୍ତ ଛଅଟି ପ୍ରଦେଶର ୨୪୦୦ ଗ୍ରାମରେ ଲୋକେ ଏହି କାର୍ଯ୍ୟକ୍ରମକୁ ଦେଖିପାରୁଛନ୍ତି । ଏହି ଗ୍ରାମମାନଙ୍କରେ ସ୍କୁଲ୍‍ଘର, ପଞ୍ଚାୟତ ଘର ବା ଅନ୍ୟକୌଣସି ସୁବିଧାସ୍ଥାନରେ ଟେଲିଭିଜନ ସେଟ୍‌ ରଖାଯାଇଛି ଏବଂ ଏହାର ବ୍ୟବହାର ପ୍ରଣାଳୀ ସମ୍ପର୍କରେ ସ୍କୁଲ୍ ଶିକ୍ଷକମାନଙ୍କୁ ତାଲିମ ଦିଆଯାଇଛି ।

 

ଏହି କାର୍ଯ୍ୟକ୍ରମର ବିଶେଷଦିଗ :–

 

ଯେଉଁ ଉପଗ୍ରହ କଥା ଆଗରୁ କୁହାଯାଇଛି, ତାହାର ଏକ ବିଶେଷତ୍ୱ ହେଲା ଏହି ଜରିଆରେ ୨ଟି ଭାଷା ମଧ୍ୟମରେ ଗୋଟିଏ ଛବି ଦେଖିହେବ, ଅର୍ଥାତ୍‌ ଓଡ଼ିଶା ଓ ମଧ୍ୟପ୍ରଦେଶର ଲୋକେ ଯେଉଁ ଚିତ୍ର ଦେଖୁଛନ୍ତି ତା’ର ଭାଷା ଉଭୟ ହିନ୍ଦୀ ଓ ଓଡ଼ିଆ । ଓଡ଼ିଶାର ଲୋକେ ଓଡ଼ିଆଚିତ୍ର ଦେଖି ଓଡ଼ିଆ ଭାଷାରେ କାର୍ଯ୍ୟକ୍ରମ ଶୁଣୁଥିଲାବେଳେ ସେହି ସମୟରେ ମଧ୍ୟପ୍ରଦେଶରେ ସେହି ଚିତ୍ର ଦେଖି ହିନ୍ଦୀଭାଷା ଶୁଣିପାରୁଛନ୍ତି । ଏ ପରୀକ୍ଷା ଯଦି ସଫଳ ହୁଏ, ତେବେ ବିଭିନ୍ନ ଭାଷାଭାଷୀ ଭାରତବର୍ଷରେ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଚାର କରିବା ବ୍ୟୟସାପେକ୍ଷ ଓ କଷ୍ଟକର ହେବନାହିଁ ।
 

ଏ ଧରଣର କାର୍ଯ୍ୟକ୍ରମର ପରୀକ୍ଷା ଏକ ଅଭିନବ ପରୀକ୍ଷା । ସାରା ପୃଥିବୀର ବିଭିନ୍ନ ରାଷ୍ଟ୍ର ଆମ ଭାରତର ଏଭଳି ପଦକ୍ଷେପକୁ ନିରୀକ୍ଷଣ କରୁଛନ୍ତି । ଏହାକୁ ସାଫଲ୍ୟମଣ୍ଡିତ କରିବାପାଇଁ କେବଳ ସରକାରୀ ଉଦ୍ୟମ ଯଥେଷ୍ଟ ନୁହେଁ । ଯେଉଁ ଗାଁମାନଙ୍କରେ ଟେଲିଭିଜନ ରହିଛି, ସେଠାରେ ଦର୍ଶକମାନଙ୍କର ଆନ୍ତରିକ ଉଦ୍ୟମ ଓ ସକ୍ରିୟ ସହଯୋଗ ଉପରେ ଏହାର ସଫଳତା ନିର୍ଭର କରେ ।

 

(ଓଡ଼ିଶାରେ ଉପଗ୍ରହ ଜରିଆରେ ଟେଲିଭିଜନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରକାଶିତ ‘ଗାଁ ଗହଳିରେ ଟେଲିଭିଜନ’ ପୁସ୍ତିକାରୁ ଉଦ୍ଧୃତ)

Image